ଦଲାଲଙ୍କ ନେଟୱାର୍କରେ ଚାଲିଛି ମଣିଷ ବେପାର, ହରିଦ୍ୱାରରେ ବନ୍ଧା ପଡିଛନ୍ତି ୨ ନାବାଳକ

କଲମପୁର: ଦିନକୁ ଦିନ କଳାହାଣ୍ଡିରେ ଜଟିଳ ହେଉଛି ଦାଦନ ସମସ୍ୟା। ଦାଦନ ରୋକିବାରେ ବିଫଳ ହେଉଛି ମନରେଗା ଭଳି ଯୋଜନା। ଯେଉଁଥି ପାଇଁ କେତେବେଳେ କଳାହାଣ୍ଡିର ଯୁବକ ଦାଦନ ଖଟିବାକୁ ଯାଇ ସବୁଦିନ ପାଇଁ ନିଖୋଜ ହେଇଯାଉଛି ତ କିଏ ଦଲାଲର ଦୌରାତ୍ମ୍ୟ ଯୋଗୁଁ ନିର୍ଯ୍ୟାତନା ପାଇ ହାତ ଗୋଡ କାଟି ହେଇ ଫେରୁଛି। ପୁଣି କିଏ ଶବ ହେଇ ଫେରୁଛି ତ କାହାର କାହାର ଶବ ଗାଁ ମାଟି ପାଇବା ଭାଗ୍ୟରେ ରହୁ ନାହିଁ। ଗୋଟିଏ ମାସ ମଧ୍ୟରେ ତିନ ଜଣ ଦାଦନଙ୍କ ଶବ ଗାଁକୁ ଫେରିଥିବା ବେଳେ ଏବେ ପୁଣି ଏକ ନୁଆଁ ସମସ୍ୟା ଦେଖା ଦେଇଛି।

୨ ନାବାଳକ ସମେତ ୫ ଜଣ ଶ୍ରମିକ ଦଲାଲର ଶୋଷଣର ଶିକାର ହେଇ ହରିଦ୍ୱାରାଠାରେ ବନ୍ଧକ ପଡିଛନ୍ତି। ସେମାନଙ୍କ ପରିବାର ଥୁଆମଉଲ ରାମପୁର ଥାନା ଓ ଭବାନିପାଟଣା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସୁରକ୍ଷିତ ଉଦ୍ଧାର କରିବାକୁ ନେଇ ଗୁହାରି କରି ସାରିଥିଲେ ମଧ୍ୟ ନିରାଶ ହେଇ ଫେରିଛନ୍ତି। ଏନେଇ ସୁଚନା ପାଇବା ପରେ ଆମ ପ୍ରତିନିଧି ବନ୍ଧକ ପଡିଥିବା ଦାଦନଙ୍କ ପରିବାର ରହୁଥିବା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଥୁାମୁଳ ପଂଚାୟତ ଅନ୍ତର୍ଗତ କଣ୍ଟାବାଞ୍ଜି ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ।

ପରିବାର ଲୋକଙ୍କ ସୁଚନା ଅନୁସାରେ ଗ୍ରାମର ପବିତ୍ର ନାଏକଙ୍କ ୧୪ ବର୍ଷିୟ ପୁଅ ବିପେନ୍ଦ୍ର, ସ୍ୱର୍ଗତ ବୁଦୁ ମାଝୀଙ୍କ ଦୁଇ ପୁଅ ରାମ ସିଂ୧୬ ଓ ସାନନ୍ତ ୨୩, ସୁନାଧର ମାଝୀଙ୍କ ପୁଅ ସୁ୍‍ନ୍ଦର ସିଂ ମାଝୀ ଓ ସ୍ୱର୍ଗତ ମାଲକି ମାଝୀଙ୍କ ପୁଅ ରାଜେନ୍ଦ୍ର ପ୍ରମୁଖ ଯୁବକଙ୍କୁ ନିକଟସ୍ଥ ଥୁଆମୁଲ ଗ୍ରାମର ଜନୈକ ଯୁବକ ଯଶୋବନ୍ତ ପୁଝାରୀ ମାସିକ ୧୨ ହଜାର ଟଙ୍କା ଦିଆଯିବ ଓ ଆନ୍ଧ୍ର ପ୍ରଦେଶର ବିଜୟନଗରମରେ କାମ କରିବ ବୋଲି କହି ଥୁଆମଉଳ ରାମପୁର ପହଂଚାଇଥିଲେ। ସେଠରୁ ଅନ୍ୟତମ ଦଲାଲ ସହାୟତାରେ କାଶିପୁର ଓ କାଶିପୁର ଠାରୁ ରାୟଗଡାକୁ ନିଆଯାଇଥିଲା। ସେଠାରୁ ବସ ଯୋଗେ ଗଞ୍ଜାମ ଜିଲ୍ଲା ଖଲିକୋଟକୁ ନିଆଯିବା ପରେ ଟ୍ରେନ ଯୋଗେ ହରିଦ୍ୱାରା ଚାଲାଣ କରାଯାଇଥିବା ସୁଚନା ମିଳିଛି। ଏ ସମସ୍ତଙ୍କୁ ହରିଦ୍ୱାର ନିକଟସ୍ତ ପତ୍ରି ନାମକ ଏକ ଷ୍ଟେସନ ନିକଟରେ କୌଣସି ଏକ ଅଜଣା ସ୍ଥାନରେ ରଖାଯାଇ ରେଲ ୱେର ବିଭିନ୍ନ କାମରେ ନିୟୋଜିତ କରାଯାଉଛି। କାମରେ ପହଂଚିବାର ତିନି ମାସ ବିତି ସାରିଥିଲେ ମଧ୍ୟ କୌଣସି ପାରିଶ୍ରମିକ ଦିଆଯାଇନଥିବା ବେଲେ ଅନେକ ସମୟରେ ମାଡ ଗାଳି ଦିଆଯାଉଥିବା ଶ୍ରମିକଙ୍କ ତରଫରୁ ସୁଚନା ମିଳିଛି।

ତୁରନ୍ତ ଉଦ୍ଧାର କରିବା ପାଇଁ ସେମାନେ ଏକ ଭିଡିଓ ବାର୍ତ୍ତାରେ ଆକୁଳ ନିବେଦନ କରିଛନ୍ତି। ନିଜ ଭଉଣୀର ବିବାହ ଥିବାରୁ କିଛି ରୋଜଗାର କରିବା ଆଶାରେ ମାତ୍ର ଦୁଇମାସ ତଳେ ବିବାହ କରିଥିବା ପତ୍ନୀ ଚମ୍ପାକୁ ଛାଡି ରାଜେନ୍ଦ୍ର ଦାଦନ ଯାଇଥିବା ବେଳେ ଦୁଇଦିନ ପରେ ଭଉଣୀର ବାହା ଶେଷ ହେବ କିନ୍ତୁ ଏଯାଏ ଭାଇ ଟଙ୍କା ପଠାଇବା ଦୂରର କଥା ବନ୍ଧକ ପଡିଥିବାରୁ ଘରକୁ ଫେରି ନାହିଁ। ତାର ଫେରନ୍ତା ପଥକୁ ପତ୍ନୀ ଚମ୍ପା ସମେତ ଘରର ସମସ୍ତ ଲୋକ ଚାହିଁ ରହିଛନ୍ତି।

ସେହିଭଳି କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ସାଙ୍ଗମାନଙ୍କ ସହ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତିତ ହେଉଛି ଅଷ୍ଟମ ଶ୍ରେଣୀରେ ପଢୁଥିବା ବିପେନ୍ଦ୍ର। ମାଁ ଆଖିରୁ ଲୁହ ସୁଖୁ ନାହିଁ। କେମିତି ପୁଅ ସୁରକ୍ଷିତ ଫେରିବ ସେ ନେଇ ରାତି ଦିନ ଚିନ୍ତା। ଥୁଆମୁଲ ରାମପୁର ପୁଲିସ ଠାରୁ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଜ ସନ୍ତାନଙ୍କ ଉଦ୍ଧାର ପାଇଁ ଯାଇଥିଲେ ମଧ୍ୟ ଏମାନେ ନିରାଶ ହେଇଥିବା ସୁଚନା ଦେଇଛନ୍ତି ବିପେନ୍ଦ୍ର ମାଁ ସୁଲୋଚନା ନାଏକ। ଏନେଇ ବି.ଡି.ଓ ନିଶାନ ମିଶ୍ରଙ୍କ ସହ ଯୋଗଯୋଗ କରାଯାଇଥିଲା ତୁରନ୍ତ ଜିଲା ଶ୍ରମ କମିଶନରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନିଆଯିବ ଓ ସୁରକ୍ଷିତ ଉଦ୍ଧାର ଦିଗରେ ପ୍ରୟାସ କରାଯିବ ବୋଲି ସୁଚନା ଦେଇଥିଲେ। ଅନ୍ୟପଟେ ଶ୍ରମ ଅଧିକାରୀ ଫୋନ ଉଠାଉନଥିବାରୁ କୌଣସି ସୁଚନା ମିଳି ନାହିଁ।

Comments are closed.