ଦୋଛକିରେ ଜୀବନ-ଜୀବିକା:ପେଟପାଟଣା ଉପରେ ‘କରୋନା’ ମାଡ଼

ରାଉରକେଲା: ସ୍କୁଲ ଚାଲୁଥିଲା । ଶିକ୍ଷାର୍ଥୀ ଆସୁଥିଲେ । ଅଟୋ ଚାଳକଙ୍କଠାରୁ ଅଭିଭାବକଙ୍କ ଗହଳିଥିଲା । ସମସ୍ତେ ଚଣା , ଝାଲ ମୁଢି ଖାଉଥିଲେ ।  ଦିପଇସା କାରବାର ହେଉଥିଲା । କରୋନା ପାଇଁ ବହୁ ଦିନ ହେଲା ବିଦ୍ୟାଳୟ ବନ୍ଦ । ବିଦ୍ୟାଳୟ ସମ୍ମୁଖରେ ନିଜର ପୁରୁଣା ଠେଲାଟିକୁ ଧରି ବସୁଥିଲେ ମଧ୍ୟ  ବେପାର ପାଇଁ ଗ୍ରାହକ ନାହାଁନ୍ତି । ଏବେ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ୁଛି । ସେକ୍ଟର-୭ ଚିନ୍ମୟ ବିଦ୍ୟାଳୟ ସମ୍ମୁଖରେ ଗତ ୧୦ବର୍ଷ ହେଲା ଏହି ବେପାରକୁ ଜୀବିକା କରିଥିବା ଏହା ହେଉଛି ହେମନ୍ତଙ୍କ କାହାଣୀ । ପଡ଼ୋଶୀ ପଶ୍ଚିମବଙ୍ଗରୁ ଆସି ରାଉରକେଲାକୁ ଆସି କର୍ମଭୂମି କରିଥିବା ହେମନ୍ତ ଜୀବନରେ ଏଭଳି ଦୁର୍ଦ୍ଦିନ କେବେ ଦେଖିନଥିବା କହିଛନ୍ତି । ୧୨ବର୍ଷ ବୟସରୁ ପେଟପାଟଣା ପାଇଁ ଘରୁ ଗୋଡ କାଢିଥିଲେ । ପ୍ରଥମେ ଟାଟା ଓ ପରେ କଲିକତାରେ କାମ କରିଥିଲେ । ୨୨ବର୍ଷ ବୟସରେ ବାହାଘର ହେଲା । ବାପା ମରିଯିବାରୁ ଦୁଇ ଭଉଣୀକଚ ବାହା ଦେଇ ପରିବାର ଧରି ରାଉରକେଲା ଚାଲି ଆସିଥିଲେ । ଶୁଣିଥିଲେ ରାଉରକେଲା ଇସ୍ପାତ କାରଖାନାରେ କାମ କଲେ ବେଶ ଦିପଇସା ମିଳିବ । ରାଉରକେଲାରେ ପହଂଚି ଇସ୍ପାତ କାରଖାନାରେ କାମ କଲେ । ସେତେବେଳେ ତାଙ୍କୁ ମିଳୁଥିଲା ୩୫ଟଙ୍କା । ଏହା ସହିତ ଟିଫିନ ମାଗଣାରେ ମିଳି ଯାଉଥିଲା । ଓଭର ଟାଇମ କରି ଅଧିକ ପଇସା କମାଉଥିଲା । ପରେ ପରିବା ବେପାର କଲେ ଭଲ ପଇସା ମିଳିବ ବୋଲି କାର୍ଯ୍ୟ ଆରମ୍ଭ କଲେ । ତେବେ ସେ ବେମାର ହେବାରୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଡାକ୍ତର ସାଇକେଲ ଚଳାଇବାକୁ ମନା କଲେ । ୨୦୦୦ ମସିହାରେ ଠେଲାରେ ଆରମ୍ଭ କଲେ ଚଣା, ଝାଲ ମୁଡ଼ି, ବାଦାମ ମସଲା ବେପାର । ୨୦୦୦ମସିହାରେ ପ୍ରଥମେ ବର୍ତମାନ ଅକ୍ଷୟପାତ୍ର ଫାଉଣ୍ଡେସନଥିବା ଇସ୍ପାତ ବିଦ୍ୟାଳୟ ନିକଟରେ ତାଙ୍କର ଏହି ବେପାର ଚାଲିଲା । ୪୫ଟଙ୍କାରେ ମାଲ ଆଣି ସେ  ସେତେବେଳେ ୯୦ଟଙ୍କାରେ ବିକ୍ରି କରୁଥିଲେ । ପରେ ସେକ୍ଟରର ବିଭିନ୍ନ ଲାଇନ ବୁଲି ନିଜର ବେପାର ଆରମ୍ଭ କରି ଦିପଇସା ପାଇଲେ । ଥରେ ଚିନ୍ମୟ ବିଦ୍ୟାଳୟ ଦେଇ ଯାଉଥିବା ବେଳେ ପିଲାଙ୍କ ଗହଳି ଓ ତାଙ୍କ ଠାରୁ ଚଣା, ଝାଲ ମୁଢି କିଣିବା ଦେଖି ତାଙ୍କ ବେପାର ଏହି ସ୍ଥାନରେ ବେଶ ଜମିବ ବୋଲି ସେ ଭାବିଲେ । ଲାଇନ ବୁଲିବା ଛାଡ଼ିଲେ ଓ ବିଦ୍ୟାଳୟ ସମ୍ମୁଖରେ ଠେଲା ପକାଇ ବେପାର କଲେ । ସେଦିନର ତାଙ୍କ ନିଷ୍ପତି ତାଙ୍କୁ ଏକ ସ୍ଥାୟୀ ଜୀବିକା ପାଇଁ ବାଟ ଦେଖାଇଲା ବୋଲି ହେମନ୍ତି । ୨୦୧୦ ମସିହାରୁ ଏହି ସ୍ଥାନରେ ସେ ରହିଛନ୍ତି । ଗତ ୧୦ବର୍ଷ ଭିତରେ ଦିନକୁ ୩୦୦ରୁ ୫୦୦ଟଙ୍କା ସେ ବେପାର କରିଛନ୍ତି । ପରିବାର ଓ ପିଲାଛୁଆଙ୍କ ଚଳିବା ପାଇଁ ଏହା ତାଙ୍କ ପାଇଁ ଯଥେଷ୍ଟ ହୋଇଛି । ସ୍ତ୍ରୀ ବେମାର ଥିବାରୁ ତାଙ୍କର ଚିକିତ୍ସା ମଧ୍ୟ ଭଲଭାବେ କରି ପାରିଛନ୍ତି । ଏବେବି ସେହି ସ୍ଥାନରେ ଠେଲା ପକାଇ ଠିଆ ହେଉଛନ୍ତି । କିନ୍ତୁ ବେପାର ନାହିଁ । ଦିନକୁ ୫୦ଟଙ୍କା ବେପାର ହେଉନାହିଁ । ତାଙ୍କ ବେପାରର ମୁଖ୍ୟ ଆଧାର ଥିଲା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ଥିବାରୁ ତାଙ୍କ ବେପାର କିପରି ଚାଲିବ ବୋଲି ସେ କହିଛନ୍ତି । ଏହି ସଙ୍କଟ ଘୁଂଚିବ ଓ ବିଦ୍ୟାଳୟ ଖୋଲିଲେ ପୁଣି ତାଙ୍କ ଭାଗ୍ୟ ଖୋଲିବ ବୋଲି ହେମନ୍ତ ଆଶା ବାନ୍ଧିଛନ୍ତି । ପରିଣତ ବୟସରେ ଠେଲାହିଁ ତାଙ୍କର ଏକମାତ୍ର ସମ୍ବଳ । ଜୀବନ ଜୀବିକାକୁ ନେଇ ଦୋଛକିରେ ଥିବା ହେମନ୍ତ ପୁଣି ସୁଦିନ ଫେରିବା ଆଶାରେ ରହିଛନ୍ତି ।

-ରିପୋର୍ଟ: ସତ୍ୟାନନ୍ଦ ବେହେରା

 

Comments are closed.