ଭୋକର ଜ୍ୱାଳା, ଭୂତାଣୁ ଭୟ…ଭିଟାମାଟିର ମୋହ

କୋରାପୁଟ: ଭୋକର ଜ୍ୱାଳା ଭିତରେ ଅଦୃଶ୍ୟ ଭୂତାଣୁ ଭୟ ଏମାନଙ୍କୁ ରାସ୍ତା କଡ଼ରେ ମାସ ମାସ ଧରି ଦୟନୀୟ ଅବସ୍ଥାରେ ବାନ୍ଧି ରଖିଛି। ଅବସ୍ଥା ଏପରି ଭୋକ ଏମାନଙ୍କ ଠାରୁ ଭିଟାମାଟିର ମୋହ ଛଡ଼ାଇ ନେଇଛି। ଆମ ରାଜ୍ୟରୁ ଅନେକ ପ୍ରବାସୀ ଅକଥନୀୟ ଦୁର୍ଦଶାର ସମ୍ମୁଖିନ ହୋଇ ଭିଟାମାଟିକୁ ଫେରିଥିଲେ ହେଁ ଏମାନେ ନାଁ ଭିଟାମାଟିକୁ ଯାଇପାରୁଛନ୍ତି ନାଁ ଏଠାରେ ପେଟ ପୋଷି ପାରୁଛନ୍ତି। କେବଳ ମେଞ୍ଚାଏ ଅନୁଦାନକୁ ଅପେକ୍ଷା କରି ରହିଥିବା ଏହି ବଞ୍ଜାରାମାନେ କୋରାପୁଟ ରାଜରାସ୍ତାର କେଉଁ ଏକ କଡ଼ରେ କେବଳ ଚାରି ଖୁଣ୍ଟ ଘେରା ପଲିଥିନ ଢଙ୍କା ନୂଆଣିଆ ଘର କରି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି। ନାଁ ବିତ୍ତଶାଳୀ ହୋଇ ବଞ୍ଚିବାର ସ୍ୱପ୍ନ ଏମାନେ ଦେଖନ୍ତି ନାଁ ଏମାନଙ୍କ ପିଲାଛୁଆ ପାଠପଢ଼ି ବଡ଼ ବାବୁ ହେବାକୁ ଆଶା ରଖିଛନ୍ତି, କେବଳ ଦୁଇ ଓଳି ଦୁଇ ମୁଠା ଖାଦ୍ୟରେ ବଞ୍ଚିଛି ପ୍ରାଣ। ପିଲା, ବଡ଼ ମିଶାଇ ଏପରି ପ୍ରାୟ ୭୦ଜଣ ଏବେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଆମେଥି ଅଞ୍ଚଳରୁ କିଛି ବଞ୍ଜାରା କୋରାପୁଟ ଜିଲା କୋଟପାଡ଼ ଓ ବୋରିଗୁମ୍ମା ଅଞ୍ଚଳକୁ ଗତ ଫେବୃୟାରୀ ମାସରେ ଚାଲି ଆସିଥିଲେ। ମେଳା, ପର୍ବ ପର୍ବାଣୀରେ ବଜାରରେ ବୁଲି ବୁଲି ବେଲୁନ, ପ୍ଲାଷ୍ଟିକ ଫୁଲ ଆଦି ବିକ୍ରି କରୁଥିବା ଏହି ଲୋକମାନେ ଶିବରାତ୍ର ସମୟରୁ ଆସିଥିବାବେଳେ ହୋଲି ସମୟରେ ବୋରିଗୁମ୍ମା ଓ ପରେ କୋରାପୁଟ ଆସିଯାଇଥିଲେ। ତେବେ ଯେତେବେଳେ ସେମାନେ ଭିଟାମାଟିକୁ ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିଲେ ସେହି ସମୟରେ ମହାମାରୀ କରୋନା ଓଡ଼ିଶାରେ ପାଦ ଥାପି ସାରିଥିଲା। କଡ଼ା କଟକଣା ଓ ତାଲା ବନ୍ଦ ଭିତରେ ଏମାନଙ୍କ ଜୀବନଜୀବିକାରେ ଏକ ପ୍ରକାର ତାଲା ଝୁଲିଗଲା। ସେମାନେ ଚିନ୍ତା କରି ନ ଥିଲେ ପରିସ୍ଥିତି ଦିନକୁ ଦିନ ଏତେ ଭୟଙ୍କର ରୂପ ଧାରଣ କରିବ। ମାସେ ଦୁଇମାସ ଭିତରେ ଗାଁକୁ ଫେରିବାକୁ ଆଶା ବାନ୍ଧିଥିଲେ। ମାର୍ଚ୍ଚ ମାସ ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା ତାଲାବନ୍ଦ। ବଜାର ଘାଟ ବନ୍ଦ ହୋଇଯିବା ପରେ ଏମାନେ ଆଉ ନିଜର ଜୀବିକା କରି ପାରି ନ ଥିଲେ। ଫଳରେ ମାଗିଯାଚି ଯାହା ମିଳୁଥିଲା ଓ ପର ଦୟାରେ ନିର୍ଭର କରୁଥିଲା ଏମାନଙ୍କ ଜୀବନ। ପ୍ରଶାସନ ମଧ୍ୟ ଏମାନଙ୍କ ଦୁର୍ଦିନରେ ବିପଦର ବନ୍ଧୁ ସାଜି ବେଶ କିଛି ଦିନ ଦିନକୁ ଦୁଇଓଳି ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିଥିଲା। କଷ୍ଟ ଭିତରେ ମଧ୍ୟ ଦୁଇ ଓଳି ଖାଇବା ଗଣ୍ଡାକ ପାଇ ଏମାନେ ବଞ୍ଚିବାର ଆଶା ବାନ୍ଧିଥିଲେ। ବଡ଼ ଲୋକମାନେ ଭିକ୍ଷା ବୃତ୍ତି କରୁଥିବାବେଳେ ପ୍ରାୟ ୩୦ରୁ ୩୫ କୁନି କୁନି ପିଲା ବସ୍‍ଷ୍ଟାଣ୍ଡ ଓ ଜନଗହଳପୂର୍ଣ୍ଣ ସ୍ଥାନରେ ଦିନସାରା ବୁଲି ବୁଲି ଯେଉଁ ୨୦ ୩୦ଟଙ୍କା ମିଳିଲା ସେତକରେ ଏମାନେ ଚଳୁଥିଲେ। କରୋନା ମହାମାରୀ ବ୍ୟାପି ଚାଲୁଥିବାବେଳେ ଏମାନଙ୍କ ଜୀବନ ଧୀରେଧୀରେ ଦୁର୍ବିସହ ହୋଇପଡ଼ିଲାଣି। ଆଉ ପୂର୍ବର ରନ୍ଧା ଖାଦ୍ୟ ଏମାନଙ୍କୁ ମିଳୁନି, ସ୍ୱେଚ୍ଛାସେବୀଙ୍କ ସହାୟତା ମଧ୍ୟ ଏମାନଙ୍କ ପର୍ୟ୍ୟନ୍ତ ପହଞ୍ଚିପାରୁନି। ଗଣ୍ଡେ ଖାଇଁ ଦଣ୍ଡେ ଜୀଇଁବାକୁ ରାହା ଖୋଜୁଛନ୍ତି ଏମାନେ। ନାଁ ନିଜ ଭିଟାମାଟିକୁ ବାହୁଡ଼ି ପାରୁଛନ୍ତି ନାଁ ଭୋକ ମେଣ୍ଟାଇପାରୁଛନ୍ତି। କରୋନା କଟକଣା ଏମାନଙ୍କ ପାଖ ମାଡ଼ିପାରୁନି।
ସାମାଜିକ ଦୂରତା, ମାସ୍କ ପରିଧାନ, ହାତ ଧୋଇବା ସତେ ଯେପରି ଏମାନେ ଅଜଣା। ଧୂଳିମଳିରେ ଗଡ଼ୁଥିବା ପିଲାଙ୍କ ନୁଖୁରା କେଶ ଦେଖିଲେ ବୁଝି ହେଉଛି ଅର୍ଥାଭାବରେ ପେଷି ହେଉଥିବା ଏମାନଙ୍କ ଦୁଃଖ। ରାଜ୍ୟରେ କରାଳ ରୂପ ଦେଖାଇ କରୋନା କାହା ମଥାରୁ ସିନ୍ଦୂର, କାହା ପାଖରୁ ସାମାଜିକ ସମ୍ପର୍କ ଛଡ଼ାଇ ନେଇଥିବାବେଳେ ଭୂତାଣୁ ଭୟ ଓ ଭୋକର ଜ୍ୱାଳା ଏମାନଙ୍କ ଠାରୁ ଭିଟାମାଟିର ମୋହ ଛଡ଼ାଇ ନେଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସହାୟତା ପ୍ରଦାନ ନେଇ ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରେ ସରକାରଙ୍କ ନିର୍ଦେଶପ୍ରକାରେ ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିଲା। ଏବେ ଧୀରେଧୀରେ ଲକଡାଉନ ନିୟମ କୋହଳ ହେଲାଣି, ସେମାନେ ପୂର୍ବ ଭଳି ଗୁଜୁରାଣ ମେଣ୍ଟାଇପାରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

Comments are closed.