ମହାନଦୀରେ ଡଙ୍ଗାବୁଡ଼ି ୯ ମୃତ

0

ମହାକାଳପଡ଼ା/କୁଜଙ୍ଗ : ପୁଣି ଅସୁରକ୍ଷିତ ଜଳଯାତ୍ରା ନେଇଛି ଏକାଧିକ ଜୀବନ। ମହାନଦୀରେ ଡଙ୍ଗା ବୁଡ଼ି ବୁଧବାର ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି ୯ ଜଣ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ମହିଳା ଓ ୭ ଜଣ ଶିଶୁ। ଏବେ ବି ଜଣେ ଶିଶୁ ନିଖୋଜ ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ନିଖୋଜଙ୍କ ପତ୍ତା ମିଳିପାରିନି। ମୃତକଙ୍କ ମଧ୍ୟରେ ପ୍ରଭାତି ସ୍ବାଇଁ (୩୫), ଅନୁ ତରାଇ (୩୬) ଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଧୁନା ସାହୁ, ରୋଜିନା ସାହୁ, ବାବୁନି ସାହୁ, ଇଶାନ ଦଳାଇ, ଦେବସ୍ମିତା ପାଣି, ପିନୁ ସ୍ବାଇଁ ଓ ମିନୁ ସ୍ବାଇଁ ଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ତେବେ ପିନୁ ଓ ମିନୁ ମୃତ ମହିଳା ପ୍ରଭାତୀଙ୍କ ଦୁଇ ସନ୍ତାନ ବୋଲି ସୂଚନା ମିଳିଛି।
ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯିବାରୁ ଭାସିଯାଇଥିବା କିଛି ଲୋକ ପହଁରି ପହଁରି କୂଳରେ ପହଞ୍ଚିଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁରକ୍ଷିତ ମଧ୍ୟ ଅନେକଙ୍କୁ ଉଦ୍ଧାର କରାଯାଇଛି। ଫିକାପଡିଛି ନୂଆବର୍ଷରେ ବଣଭୋଜି ଓ ଦର୍ଶନୀୟ ସ୍ଥାନ ବୁଲା। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ହୁକିଟୋଲା ଦ୍ୱୀପକୁ ନୂଆବର୍ଷ ପାଳନ କରିବା ଲାଗି ବୁଧବାର ସକାଳୁ ଜଗତସିଂହପୁର ଜିଲା ହସିଣା ଗଁାର କୈବର୍ତ୍ତ୍ୟ ସମ୍ପ୍ରଦାୟର ୧୯ଟି ପରିବାର ସେମାନଙ୍କ ଛୁଆପିଲାଙ୍କୁ ଧରି ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଲୋକ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥି​‌େ​‌ଲ। ବଣଭୋଜି ସାରି ଆନନ୍ଦ ଉଲ୍ଲାସର ସହ ଫେରୁଥିବାବେଳେ ବତୀଘର ନିକଟ ସାନ ନିପାଣିଆର ଭାନୁ ଗିରିଘାଟ ନିକଟରେ ଡଙ୍ଗାରେ ଆସୁଥିବା ଜଣେ ମହିଳାଙ୍କୁ ଶୌଚ ଲାଗିଥିଲା। ଡଙ୍ଗା ଅଟକାଇବାକୁ ମହିଳା ଜଣଙ୍କ ଚାଳକଙ୍କୁ କହିଥିଲେ। ଏହି ସମୟରେ ଡଙ୍ଗାଟି କୂଳକୁ ଯାଉଥିବାବେଳେ ଅପରପଟୁ ଏକ ମାଛଧରା ବୋଟ୍‍ ଦ୍ରୁତଗତିରେ ଆସୁଥିଲା। କାଳେ ମାଛଧରା ବୋଟ୍‌ଟି ଧକ୍କା ଦେବ ଭାବି ଲୋକମାନେ ଗୋଟିଏ ପଟକୁ ଢଳି ପଡିଥିଲେ। ଫଳରେ ଡଙ୍ଗାଟି ସେଠାରେ ବୁଡ଼ି ଯାଇଥିଲା। ଡଙ୍ଗାଟିରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ଡଙ୍ଗା ବୁଡ଼ିବାବେଳେ ଜୁଆର ଛାଡ଼ ହେଉଥିବାରୁ ପାଣିର ସ୍ରୋତ ଅଧିକ ଥିଲା। ସ୍ରୋତରେ ସବୁ ଯାତ୍ରୀ ଭାସିଯାଇଥିଲେ। ମାତ୍ର କେତେକ ପହଁରି ପହଁରି କୂଳକୁ ଆସିଥିଲେ। ଏହି ଖବର ପାଇ ସ୍ଥାନୀୟ ସାନ ନିପାଣିଆ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୪୦ରୁ ଅଧିକ ଉଦ୍ଧାର କରି ଉଚ୍ଚସ୍ଥାନକୁ ନେଇଥିଲେ। ଉଦ୍ଧାର ମହିଳା ଅକ୍ଷୟ ସ୍ୱାଇଁଙ୍କ ପତ୍ନୀ ପ୍ରଭାତୀ ସ୍ୱାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାକି ଅନ୍ୟମାନେ ସୁସ୍ଥ ଥିବା ଜଣାପଡିଛି। ସେମାନଙ୍କୁ ଗାଁ ଲୋକେ ଶୁଖିଲା ବସ୍ତ୍ର ପିନ୍ଧିବାକୁ ଦେବା ସହ ନିଆଁଜାଳି ସୁସ୍ଥ କରାଇଥିଲେ। ନିଖୋଜ ୯ ଜଣଙ୍କ ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବହିନୀ, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ ଲାଗିଥିଲେ। ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଉଦ୍ଧାର କାର୍ଯ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଇତିମଧ୍ୟରେ ୯ଟି ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟଜଣେ ନିଖୋଜଙ୍କ ସଂପର୍କରେ କୌଣସି ଖୋଜ ଖବର ମିଳିନାହିଁ। ଏହି ଘଟଣାକୁ ନେଇ ହସିଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ସେହିଭଳି ହୁକିଟୋଲା ନୌକା ଦୁର୍ଘଟଣାରେ ଗଭୀର ମର୍ମାହତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନିଖୋଜ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ନେଇ ସେ ଶ୍ରୀ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଛନ୍ତି।
ଅପରପକ୍ଷରେ ବୋଟ୍‍ ବୁଡ଼ିବା ଖବର ପାଇବା ପରେ ହସିଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନିଖୋଜ ଥିବା କୁନି କୁନି ପିଲାଙ୍କ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ଗାଁର ଲୋକେ ଖବର ଶୁଣି ହତବାକ୍‌ ହେବା ସହ କାନ୍ଦବୋବାଳିରେ ଏହି ଗାଁ ଫାଟିପଡୁଛି। ଗାଁରୁ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି।
ସୂଚନାଯୋଗ୍ୟ, ୨୦୦୩ ଏଭଳି ଏକ ଅଘଟଣ ମହାନଦୀରେ ଘଟି ୧୨ ଜଣଙ୍କ ଜୀବନ ଯାଇଥିଲା। ମହାକାଳପଡ଼ା ପିତାପାଟକୁ କ୍ରିକେଟ୍ ଖେଳିବାକୁ ଯାଇଥିବା ନୂଆଗଡ଼ ଗାଁର ୨୩ ଜଣ ଯୁବକଙ୍କୁ ଆଣି ଆସୁଥିବା ବୋଟ୍‌ଟି ବୁଡି ଯାଇଥିଲା। ସେହିଭଳି ୨୦୧୪ରେ ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଡଙ୍ଗାବୁଡ଼ି ୩୧ ଜଣଙ୍କ ସଲିଳ ସମାଧି ଘଟିଥିଲା। କେତେକ ପରିବାର ନିଜର ବନ୍ଧୁ, ବାନ୍ଧବ ଓ ସଂପର୍କୀୟଙ୍କୁ ଧରି ପ୍ରାୟ ୧୧୫ ଜଣ ଏକ ବୋଟ୍‌ରେ ଜଳଭଣ୍ଡାରର ଅପରପାର୍ଶ୍ବରୁ ଫେରୁଥିବାବେଳେ ଡଙ୍ଗାଟି ଅତ୍ୟଧିକ ଯାତ୍ରୀଙ୍କ ଯୋଗୁଁ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା।

Leave A Reply