ଜାଲରେ ପଡିଲା ବିଶାଳ ସାର୍କ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳକାୟ ସାର୍କ ଧରାପଡିଛି । ଏହାର ଓଜନ ପ୍ରାୟ ୨ ଟନ୍‍ ହେବ ବୋଲି ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି । ଗଭୀର ସମୁଦ୍ରକୁ ଟ୍ରଲର ଧରି ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ପ୍ରଥମେ ଜାଲରେ ବିପୁଳ ପରିମାଣରେ ମାଛ ଲାଗିଥିବା ମନେକରି ଖୁସିରେ ଜାଲକୁ ଟାଣି ଟାଣି କୂଳକୁ ଆଣିଥିଲେ । ତେବେ ଜାଲରେ ଏକ ସାର୍କ ଲାଗିଥିବା ଦେଖିବାପରେ ସେମାନେ ଚିନ୍ତାରେ ପଡିଯାଇଥିଲେ । ସାର୍କଟି ଜୀବିତ ଥିଲା । ଏ ସମ୍ପର୍କରେ ଜଙ୍ଗଲ ବିଭାଗକୁ ଖବର ଦିଆଯିବା ପରେ ସ୍ଥାନୀୟ ବନ ବିଭାଗ ଅଧିକାରୀ ତାଙ୍କ ଦଳ ସହିତ ତାନ୍ତାଡି ଉପକୂଳରେ ପହଞ୍ଚିଥିଲେ । ସେମାନେ ବହୁ ପରିଶ୍ରମ କରି ସାର୍କକୁ ଜାଲରୁ ମୁକ୍ତ କରିଥିଲେ । ଏହାପରେ ତାକୁ ତୁରନ୍ତ ସମୁଦ୍ର ଭିତରକୁ ନେବା ବ୍ୟବସ୍ଥା କରାଯାଇଥିଲା ଏବଂ ସେଥିରେ ସେମାନେ ସଫଳ ହୋଇଥିଲେ । ବନ ବିଭାଗ, ମତ୍ସ୍ୟଜୀବୀ ଏବଂ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସମ୍ମିଳିତ ପ୍ରୟାସ ଦ୍ୱାରା ଉକ୍ତ ବିଶାଳ ସାର୍କକୁ ଧୀରେ ଧୀରେ ସମୁଦ୍ରର ଗଭୀର ଜଳରାଶିକୁ ନିଆଯାଇଥିଲା । କିଛି ସମୟ ପରେ ସାର୍କଟି ପହଁରି ପହଁରି ଗଭୀର ସମୁଦ୍ରକୁ ଚାଲିଯାଇଥିଲା । ସାର୍କ ଜାଲରେ ଧରାପଡିବା ଏବଂ ତାକୁ ପୁଣି ସମୁଦ୍ର ମଧ୍ୟରେ ଛାଡିଦିଆଯିବା ପରେ ରାଜ୍ୟ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ଏଭଳି କୌଣସି ଜଳଜୀବ ସେମାନଙ୍କ ଜାଲରେ ଲାଗିଲେ ତୁରନ୍ତ ଜଙ୍ଗଲ ବିଭାଗ ଅଥବା ବନ୍ୟପ୍ରାଣୀ ବିଭାଗକୁ ଖବର ଦେବାକୁ କୁହାଯାଇଛି । ସେମାନଙ୍କର ଜାଲ, ଡଙ୍ଗା ଆଦି ଯଦି ଏହାଦ୍ୱାରା କ୍ଷତିଗ୍ରସ୍ତ ହୁଏ ତେବେ ତାହା ଭରଣା କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।

Comments are closed.