ଭାରତର ଡ଼ିଜିଟାଲ ଷ୍ଟ୍ରାଇକ୍: ୫ଜି ଦୌଡ଼ରୁ ବାଦ ପଡ଼ିପାରେ ଚୀନ କମ୍ପାନୀ ୱାୱେ

ଗଲୱାନରେ ଭାରତୀୟ ଯବାନଙ୍କ ଉପରେ ଚୀନ ସେନାର ହିଂସ୍ରକ ଆକ୍ରମଣ ପରେ କଠୋର ହୋଇଛି ଭାରତ । କୂଟନୈତିକସ୍ତରରେ ଓ ଆନ୍ତର୍ଜାତିକ ସମୁଦାୟରେ ଚୀନକୁ ଏକ ଘରିକିଆ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି । ଏପରି ସ୍ଥିତିରେ ଚୀନ ନିର୍ମିତ ମୋବାଇଲ ଆପ୍ ଉପରେ ଭାରତ କଟକଣା ଲଗାଇଛି । ଟିକଟକ୍ ସହ ୫୯ଟି ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ଅଙ୍କୁଶ ଲାଗିଛି । ଏହି ପରିପ୍ରେକ୍ଷୀରେ ୫ଜି ସେବା ନିମନ୍ତେ ଚୀନ କମ୍ପାନୀ ୱାୱେକୁ ବାଦ ଦେବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୂର୍ବରୁ ୱାୱେକୁ ୫ଟି ପରୀକ୍ଷାମୂଳକ ସେବା ନିମନ୍ତେ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନିଆଯାଇପାରେ ବୋଲି ସୂଚନା ମିଳିଛି ।

ୱାୱେ ଉତ୍ପାଦ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଆମେରିକା ଓ ଅଷ୍ଟ୍ରେଲିଆରେ ସୁରକ୍ଷା କାରଣକୁ ନଜରରେ ରଖି ୱାୱେକୁ ଟ୍ରାଏଲରୁ ବାହାର କରାଯାଇଛି । ସିଙ୍ଗାପୁରରେ ୫ଜି ଦୌଡରୁ ୱାୱେ ବାହାର ହୋଇସାରିଛି । ସେଠାରେ ନୋକିଆ ଓ ଏରିକ୍ସନକୁ ସୁଯୋଗ ମିଳିଛି । ତେଣୁ ଭାରତ ମଧ୍ୟ ୱାୱେକୁ ମଧ୍ୟ ବାଦ ଦିଆଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।ଗତକାଲି ମୋଦୀ ସରକାର ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକରେ ୫ଜି ଉପରେ ଚର୍ଚ୍ଚା କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଓ ବାଣିଜ୍ୟମନ୍ତ୍ରୀ ପୀୟୁଷ ଗୋୟଲ ବୈଠକରେ ସାମିଲ ଥିଲେ । ବୈଠକରେ ନିର୍ଦିଷ୍ଟ ଭାବରେ କେଉଁ ପ୍ରସଙ୍ଗ ଆଲୋଚନା ହୋଇଥିଲେ ତାହା ଜଣା ପଡ଼ି ନ ଥିଲେ ହେଁ ୫ଜି ପରୀକ୍ଷାମୂଳକ ଦୌଡ଼ରୁ ୱାୱେକୁ ବାଦ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

Comments are closed.