ମାଟ୍ରିକ ଫଳ ଆଜି

ଏକ ସଙ୍ଗେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ, ୱେବସାଇଟ୍‍ରେ ସନ୍ଧ୍ୟା ୬ଟା

ଜୁଲାଇ ୩୧ ସୁଦ୍ଧା ୧୦ମ, ୧୨ଶ ଫଳ ପ୍ରକାଶ କର: ସର୍ବୋଚ୍ଚ ନ୍ୟାୟାଳୟ

କଟକ : ୨୦୨୦-୨୧ ଶିକ୍ଷାବର୍ଷର ଦଶମ ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ଆଜି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବସାଇଟ୍‍ www.bseodisha.nic.in ଏବଂ www.bseodisha.ac.inରେ ଫଳ ସନ୍ଧ୍ୟା ୬ଟାରୁ ଉପଲବ୍ଧ ହେବ। ବିଗତ ବର୍ଷଗୁଡ଼ିକ ପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ଫଳ ମଧ୍ୟ ଏକସଙ୍ଗେ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଆସନ୍ତାକାଲି ଅପରାହ୍ଣରେ ୨୦୨୦-୨୧ ଶିକ୍ଷାବର୍ଷର ଏହି ୩ଟି ପରୀକ୍ଷାଫଳ ସମ୍ପର୍କିତ ତଥ୍ୟ ବୋର୍ଡର ପରୀକ୍ଷା କମିଟି ଆଗରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ। କମିଟି ଅନୁମୋଦନ କରିବା ପରେ ମୁଖ୍ୟାଳୟରୁ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ଘୋଷଣା ହେବ। କୌଣସି ଅଞ୍ଚଳରେ ଇଣ୍ଟରନେଟ୍‍ ଉପଲବ୍ଧ ନଥିଲେ ମୋବାଇଲ୍‍ ଫୋନ୍‍ରୁ ଏସ୍‍ଏମ୍‍ଏସ୍‍ ଜରିଆରେ ପରୀକ୍ଷା ଫଳ ଜାଣିବା ନିମନ୍ତେ ମଧ୍ୟ ବ୍ୟବସ୍ଥା
କରାଯାଇଛି। ଏଥିପାଇଁ ମୋବାଇଲ୍‍ ଫୋନ୍‍ର ମେସେଜ୍‍ ବକ୍ସକୁ OR01 <Roll No> > ଲେଖିବା ପରେ ତାହାକୁ ୫୬୭୬୭୫୦କୁ ପଠାଇଲେ ଫଳ ସେହି ମୋବାଇଲ୍‍କୁ ଆସିଯିବ।
ରାଜ୍ୟ ବୋର୍ଡଗୁଡିକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ : ଜୁଲାଇ ୩୧ ସୁଦ୍ଧା ୧୦ମ, ୧୨ଶ ଫଳ ପ୍ରକାଶ କର
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ପରିଚାଳିତ ଶିକ୍ଷା ବୋର୍ଡଗୁଡିକୁ ନିର୍ଦେଶ ଦେଇଛନ୍ତି। ବିଚାରପତି ଏଏମ୍ ଖାନୱିଲକର ଓ ବିଚାରପତି ଦିନେଶ ମାହେଶ୍ବରୀଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ଗୁରୁବାର ଏହି ନିର୍ଦେଶ ଦେଇଛନ୍ତି। ନିର୍ଦେଶ ଅନୁଯାୟୀ ରାଜ୍ୟ ବୋର୍ଡଗୁଡିକ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ପ୍ରକାଶ ନେଇ ଆବଶ୍ୟକ ପଦ୍ଧତି ୧୦ଦିନ ମଧ୍ୟରେ ଚୂଡାନ୍ତ ପୂର୍ବକ ଜୁଲାଇ ୩୧ ସୁଦ୍ଧା ଏହି ସମସ୍ତ ପରୀକ୍ଷା ଫଳ ପ୍ରକାଶ କରିବେ।

Comments are closed.