ଦଶମ ପରୀକ୍ଷା ପ୍ରଥମ ଦିନ, ୨୯୪୬ ଅନୁପସ୍ଥିତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଶ୍ରେଣୀଗୃହରେ ଦଶମ ପରୀକ୍ଷାର ଶୁକ୍ରବାର ପ୍ରଥମ ମାତୃଭାଷା ପରୀକ୍ଷା ହୋଇଥିଲା। ଅସାଧୁ ଉପାୟ ଅବଲମ୍ବନ କରି ୫ଜଣ ପରୀକ୍ଷାର୍ଥୀ ଯାଞ୍ଚକାରୀ ଦଳ ହାତରେ ଧରାପଡ଼ିଛନ୍ତି। ତନ୍ମଧ୍ୟରେ ଜଣେ ଦଶମ ଶ୍ରେଣୀର ନିୟମିତ ଓ ୪ ଜଣ ରାଜ୍ୟ ମୁକ୍ତବିଦ୍ୟାଳୟର ପରୀକ୍ଷାର୍ଥୀ ଅଛନ୍ତି। ଫର୍ମପୂରଣ କରିଥିବା ୧୫,୧୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨,୨୧୦ଜଣ ପରୀକ୍ଷା ଦେଇଥିବା ବେଳେ ୨,୯୪୬ଜଣ ଅନୁପସ୍ଥିତ ରହିଛନ୍ତି। ଏଥିସହ କଲେଜ ଛକ, ବାଲୁବଜାର ଓ ଜଗତପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରି ନଥିବାରୁ ସେମାନଙ୍କ ଅଭିଭାବକ ମାଲଗୋଦାମ ଥାନାରେ ଏତଲା ଦାୟର କରିଥିବା ଜଣାଯାଇଛି। ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଥିବା ବେଳେ ସେମାନଙ୍କୁ ଆଡ୍‍ମିଟ୍‍ କାର୍ଡ(ଅନୁମତିପତ୍ର) ମିଳିନଥିଲା। ସେମାନେ ମଧ୍ୟ ଏ ବାବଦରେ ଜିଲାପାଳ, ଗଣଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗର ଏକକିତା ନକଲ ପ୍ରଦାନ କରି ତଦନ୍ତ ଦାବି କରିଛନ୍ତି। କୋଭିଡ୍‍ କଟକଣାରେ ଚାଲିଥିବା

ଏହି ପରୀକ୍ଷା ପରିଚାଳନାକୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ପୃଥକ ଭାବେ ଭୁବନେଶ୍ୱରର ୟୁନିଟ୍‍-୧ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରେଣୀଗୃହରେ ଦଶମ ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଥିବା ମୋଟ ୧୫,୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ସମଗ୍ର ରାଜ୍ୟରେ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମାଟ୍ରିକର ୬,୫୯୭ ଜଣ ଛାତ୍ରଛାତ୍ରୀ ୨୭୮ଟି କେନ୍ଦ୍ରରେ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮,୪୯୩ ଜଣ ଛାତ୍ରଛାତ୍ରୀ ୨୨୨ କେନ୍ଦ୍ରରେ ଓ ମଧ୍ୟମାର ୬୧ ଜଣ ଛାତ୍ରଛାତ୍ରୀ ୪ଟି କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି।

ସେହିପରି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଆଜି ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଦଶମ ପରୀକ୍ଷା ଦେଇଛନ୍ତି। ଏବର୍ଷ ସେ ପରୀକ୍ଷା ଦେବା ନିମନ୍ତେ ଆବେଦନ ପତ୍ର ପୂରଣ କରିଥିଲେ। ଦୁଇଦିନ ପୂର୍ବରୁ ବିଧାୟକଙ୍କୁ ସର୍ଦ୍ଦି ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଏକ ସ୍ବତନ୍ତ୍ର ସଙ୍ଗରୋଧ କୋଠରିରେ ତାଙ୍କ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି କୋଠରିରେ ମଧ୍ୟ ସିସି ଟିଭି ସଂଯୋଗ କରାଯାଇଥିଲା।

Comments are closed.