ଅତିଷ୍ଠ ହ୍ରିତିକ୍ !

0

ବିଚରା ହ୍ରିତିକ୍ ରୋଶନ୍, କ’ଣ କରିବେ ଜାଣିପାରୁନାହାନ୍ତି। ନବାଗତଙ୍କ ଭିଡ଼ରେ ଏଇ ୪୪ ବର୍ଷୀୟ ଅଭିନେତାଙ୍କ ସ୍ଥିତି ଏବେ ଟଳମଳ ହେଲାଣି। ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବ୍ ଅଶାନ୍ତିରେ ଏଇ କ୍ରିଶ୍ କଳାକାର ଦିନ କାଟୁଛନ୍ତି। ପ୍ରଥମ ପତ୍ନୀ ସୁଜାନେ ଖାନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ନିୟମିତ ତାଙ୍କ ସହ ବୁଲାବୁଲି କରୁଛନ୍ତି ହ୍ରିତିକ୍। ଏ ବାବଦରେ ଯେତେବେଳେ ତାଙ୍କୁ ପଚରାଗଲା, ଦୁଇ ପୁଅଙ୍କ ପାଇଁ ସେମାନେ ଏସବୁ କରୁଥିବାର କହିଥିଲେ। କିଛିଦିନ ତଳେ ଉଡ଼ା ଖବର ଶୁଣାଗଲା ଯେ ହ୍ରିତିକ୍ ପୁଣି ସୁଜାନେଙ୍କୁ ବିବାହ କରିବେ। ଏ କଥା କାନକୁ ଆସିବା ପରେ ହ୍ରିିତିକ୍ ଖୁବ୍ ବିରକ୍ତ ହେବା ସହ ଏହା ସୁଜାନେଙ୍କ ଚକ୍ରାନ୍ତ ବୋଲି ଭାବିଥିଲେ। ଏସବୁ କାରଣରୁ ବରଂ ତାଙ୍କର-ସୁଜାନେଙ୍କ ସମ୍ପର୍କ ଅଧିକ ଖରାପ ହୋଇଯାଇଛି। ଏହା ପରେ ଅନ୍ୟ ଏକ କାରଣ ହେଲେ କଙ୍ଗନା ରଣାୱତ୍। ହ୍ରିତିକ୍-କଙ୍ଗନାଙ୍କ କଥା କଟାକଟି ବାବଦରେ ସମସ୍ତେ ଜ୍ଞାତ। ମିଳିଥିବା ଖବର ଅନୁସାରେ, କଙ୍ଗନାଙ୍କ ଆଗାମୀ ଚଳଚ୍ଚିତ୍ର ‘ମଣି କର୍ଣ୍ଣିକା’ ଓ ହ୍ରିତିକ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର୍-୩୦’ ଜାନୁୟାରୀ ୨୬, ୨୦୧୯ରେ ମୁକ୍ତିଲାଭ ହେବ। ହ୍ରିତିକ୍ ଏହି ବିବାଦରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଏଣୁ ନିଜ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଆଗକୁ-ପଛକୁ କରିବାକୁ ଚାହୁଁଥିବାବେଳେ କଙ୍ଗନା ଯେ ତାଙ୍କୁ ହଇରାଣ କରିବେ, ଏହା ନିଶ୍ଚିତ। ଅନ୍ୟ ପାଖେ ‘କ୍ରିଶ୍-୪’କୁ ନେଇ ମଧ୍ୟ ହ୍ରିତିକ୍ ଚିନ୍ତିତ। କାରଣ ଚଳଚ୍ଚିତ୍ରର କାହାଣୀ ସ୍ଥିର ହୋଇନଥିବାବେଳେ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଅଭିନୟ କରିବେ ଶୁଣାଗଲାଣି। ଏତେ ସବୁ ଖବରରେ ହ୍ରିତିକ୍ ଅତିଷ୍ଠ ହୋଇଗଲେଣି।

Leave A Reply