ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦୃଢୋକ୍ତି – ଶେଷ ବର୍ଷ ପରୀକ୍ଷା ନିଶ୍ଚିତ ହେବ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲା ନେଇ ଲକ ଡାଉନ ଜାରି ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଓ ପରୀକ୍ଷା ନେଇ ଚିନ୍ତା ଦୂର କରିବାକୁ ଚେଷ୍ଟା କରିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହିତ ଆଲୋଚନା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଫାଇନାଲ ବର୍ଷ ପରୀକ୍ଷା ନିଶ୍ଚିତ ଭାବରେ ହେବ। ନିଶଙ୍କ କହିଛନ୍ତି ଯେ ଅନ୍ତିମ ବର୍ଷ ପରୀକ୍ଷା ନିଶ୍ଚିତ ଭାବରେ ହେବ ଏବଂ ଠିକ୍ ସମୟରେ ସବିଶେଷ ତଥ୍ୟ ଜଣାଇ ଦିଆଯିବ।

ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଆସନ୍ତା ଜୁଲାଇରେ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିବା ବେଳେ ଜୁଲାଇ ମାସ ସୁଦ୍ଧା କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଲେ ନୂତନ ବ୍ୟବସ୍ଥା ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କହିଛି। ମନ୍ତ୍ରୀ କହିଛନ୍ତି ଯେ ଯଦି ଜୁଲାଇ ମାସ ସୁଦ୍ଧା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରିବା ସମ୍ଭବ ନ ହୁଏ ତେବେ ଇଂଟରନାଲ ପରୀକ୍ଷାରେ ମିଳିଥିବା ମାର୍କ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ପଦୋନ୍ନତି ଦିଆଯିବ।

Comments are closed.