କୋଭିଡ-୧୯ ସମୟରେ ନିରାପଦ ଅନଲାଇନ ଅଧ୍ୟୟନ ପୁସ୍ତିକା ଉନ୍ମୋଚିତ

ନୂଆଦିଲ୍ଲୀ :  କୋଭିଡ୍‍-୧୯ସଂକ୍ରମଣ ସମୟରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ସୁରକ୍ଷିତ ଅନ୍‍ଲାଇନ୍‍ ଶିକ୍ଷାଦାନ ବ୍ୟବସ୍ଥା ସମ୍ବନ୍ଧୀୟ ଏକ ପୁସ୍ତିକା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ପୁସ୍ତିକାର ଉନ୍ମୋଚନ କରି ମନ୍ତ୍ରୀ କହିଛନ୍ତି, କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ ଭଳି ପରିସ୍ଥିତିରେ ଅନ୍‍ଲାଇନ୍‍ ଶିକ୍ଷାଦାନ ପଦ୍ଧତି ବୃଦ୍ଧି ପାଇଛି ଓ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍‍ଲାଇନ୍‍ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି।

ସେ କହିଛନ୍ତି, ଛାତ୍ରଛାତ୍ରୀ ଓ ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ନିରାପଦ ଅନ୍‍ଲାଇନ୍‍ ଶିକ୍ଷା ଗ୍ରହଣ ବ୍ୟବସ୍ଥା ଯୋଗାଇ ଦେବାକୁ ଉଭୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଏନ୍‍ସିଇଆର୍‍ଟି ପ୍ରତିଶ୍ରୁତିବଦ୍ଧ। ଏନ୍‍ସିଇଆର୍‍ଟି ଏବଂ ୟୁନେସ୍କୋ ମିଳିତ ଭାବେ ଏହି ପୁସ୍ତିକାକୁ ପ୍ରସ୍ତୁତ କରିଛନ୍ତି। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସଚେତନ କରାଯାଇ ପାରିବ ଓ ସାଇବର ଅପରାଧ କ୍ଷେତ୍ରରେ ଠିକ୍‍ ସମୟରେ ପଦକ୍ଷେପ ନିଆଯାଇ ପାରିବ ବୋଲି ସେ କହିଛନ୍ତି। ଯେଉଁମାନେ ସାଇବର ଅପରାଧର ଶିକାର ହେଉଛନ୍ତି ସେମାନେ ଏ ସଂକ୍ରାନ୍ତରେ ତୁରନ୍ତ ଜଣାଇବାକୁ ଶ୍ରୀ ନିଶଙ୍କ ନିବେଦନ କରିଛନ୍ତି।

ୟୁନେସ୍କୋ ନିର୍ଦ୍ଦେଶକ ଓ ଭାରତ ପାଇଁ ୟୁନେସ୍କୋର ପ୍ରତିନିଧି ଏରିକି ଫାଲ୍ଟ କହିଛନ୍ତି, ୟୁନେସ୍କୋ ସମସ୍ତ ଛାତ୍ରଛାତ୍ରୀ ଓ
ପିଲାମାନଙ୍କୁ ଏକ ଉତ୍ତମ ତଥା ସାମୁହିକ ଶିକ୍ଷା ସୁବିଧା ପ୍ରଦାନ କରିବାକୁ ବଚନବଦ୍ଧ। ସେ କହିଛନ୍ତି, ଏହି ସୂଚନା ପୁସ୍ତିକାରେ ସାଇବର ଅପରାଧ ସମ୍ବନ୍ଧୀୟ ବିଷୟଗୁଡ଼ିକର ଉଲ୍ଲେଖ ରହିଛି ଓ ସେଗୁଡ଼ିକରୁ କିଭଳି ନିଜକୁ ସୁରକ୍ଷିତ ରଖାଯାଇ ପାରିବ ତାହାର ଉପାୟମାନ ଦିଆଯାଇଛି। ଭାରତରେ ୫ରୁ ୧୧ ବର୍ଷ ବୟସ ମଧ୍ୟରେ ୭୧ ନିୟୁତ ଛାତ୍ରଛାତ୍ରୀ ଇଣ୍ଟରନେଟ ବ୍ୟବହାର କରୁଛନ୍ତି।

Comments are closed.