୨୦୨୧ ସୁଦ୍ଧା ଦେଶରେ ଖୋଲିବ ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟ

- ପୁରୀରେ ଜାତୀୟ ନବୋଦୟ ନେତୃତ୍ୱ ପ୍ରଦାନକାରୀ ପ୍ରତିଷ୍ଠାନ

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଶୁକ୍ରବାର ୫ଟି ନୂଆ ଜବାହର ନବୋଦୟ ବିଦ୍ୟାଳୟର ଉଦଘାଟନ ଏବଂ ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାଶ କରିଛନ୍ତି। ଏହା ବ୍ୟତୀତ ଗୋଟିଏ ଜାତୀୟ ନବୋଦୟ ନେତୃତ୍ୱ ପ୍ରଦାନକାରୀ ପ୍ରତିଷ୍ଠାନର ମଧ୍ୟ ଉଦଘାଟନ କରିଛନ୍ତି। ପୋଖରିଆଲ ଏହି ସବୁ ବିଦ୍ୟାଳୟଗୁଡିକୁ ନୂଆଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜବାହର ନବୋଦୟ ବିଦ୍ୟାଳୟଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଶିଳାନ୍ୟାଶ କରାଯାଇଥିବା ବିଦ୍ୟାଳୟଗୁଡିକର ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ ହେବ। ଏଥିପାଇଁ ୪୧୭ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉଦଘାଟିତ ହୋଇଥିବା ୫ଟି ନୂଆ ଜବାହର ନବୋଦୟ ବିଦ୍ୟାଳୟ ମଧ୍ୟରୁ ୨ଟି ଉତ୍ତରପ୍ରଦେଶର ସୀତାପୁର ଏବଂ କାସିରାମ ନଗରରେ ପ୍ରତିଷ୍ଠା କରାଯାଇଥିବା ବେଳେ ୨ଟି ଗୁଜୁରାଟର ନବସାରି ଓ ଡାଙ୍ଗରେ ଏବଂ ଗୋଟିଏ ଓଡ଼ିଶାର ମାଲକାନଗିରିରେ ସ୍ଥାପନ କରାଯାଇଛି। ପୁରୀରେ ଜାତୀୟ ନବୋଦୟ ନେତୃତ୍ୱ ପ୍ରଦାନକାରୀ ପ୍ରତିଷ୍ଠାନ ଉଦଘାଟିତ ହୋଇଛି। ଶିଳାନ୍ୟାଶ କରାଯାଇଥିବା ୧୩ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ଆସାମରେ ୩ଟି, ଗୁଜୁରାଟରେ ୨ଟି, ମଧ୍ୟପ୍ରଦେଶରେ ୨ଟି ଏବଂ ବିହାର, କର୍ଣ୍ଣାଟକ, ଓଡିଶା, ଉତ୍ତରପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

Comments are closed.