ଲକଡାଉନ ସମୟରେ ବଢୁଛି ମାନସିକ ବିଷାଦ: କିପରି ନିଜକୁ କରିବେ ରକ୍ଷା ଓ କ’ଣ କୁହନ୍ତି ମନୋବିଜ୍ଞାନୀ ?

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁକୁ ନେଇ ଦେଶରେ ଲକଡାଉନ ଲାଗୁ କରାଯାଇଛି। ୪୦ ଦିନର ଲକଡାଉନ ସମୟ ମଧ୍ୟରୁ ପ୍ରାୟ ୪ ସପ୍ତାହ ସମୟ ବିତିଗଲାଣି। ଲୋକମାନେ ଘରେ ବନ୍ଦ ହୋଇ ରହିଛନ୍ତି। କରୋନା ଭୂତାଣୁ ବିଷୟରେ ଦିନରାତି ଆଲୋଚନା କରୁଛନ୍ତି। ଏହା ପରୋକ୍ଷ ଭାବେ ସେମାନଙ୍କ ମନରେ ଅବସାଦ ବୃଦ୍ଧି କରୁଛି। ମାନସିକ ରୋଗ ବଢୁଛି। ଘରେ ଘରେ ମହିଳାମାନେ ଘରୋଇ ହିଂସାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଭାରତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଲାଣି।

ଡା. ଗୀତା ଦାସ

ଅନେକ ଲୋକ ମାନସିକ ରୋଗ ବିଶେଷଜ୍ଞ ଏବଂ କାଉନସେଲରମାନଙ୍କୁ ଏହାର ସମାଧାନ ବିଷୟରେ ପଚାରୁଛନ୍ତି। କେତେଦିନ ଏମିତି ଘରେ ରହିବାକୁ ପଡ଼ିବ ? କ’ଣ କରିବାକୁ ହେବ ତାହା ପଚାରୁଛନ୍ତି। ତେଣୁ ଏପରି ସମୟରେ କାଉନସେଲରମାନେ କ’ଣ କରିବା ଉଚିତ ? ଏ ବିଷୟରେ ମନୋବିଜ୍ଞାନୀ ତଥା କାଉନସେଲର ସ୍ବାଗତିକା ସାମନ୍ତରାୟ କାନାଡ଼ାରେ ରହୁଥିବା ଓଡ଼ିଆ ମାନସିକ ରୋଗ ବିଶେଷଜ୍ଞ ତଥା ମନୋବିଜ୍ଞାନୀ ଡା. ଗୀତା ଦାସଙ୍କ ସହ ଆଲୋଚନା କରିଥିଲେ। ଡା. ଦାସ ମାନସିକ ରୋଗରୁ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ସେନେଇ କିଛି ଟିପ୍ସ ବା ଉପାୟ ବତାଇଛନ୍ତି। ତାହା ନିମ୍ନରେ ଉଲ୍ଲେଖ କରାଯାଇଛି:-

ଡା. ଦାସ କୁହନ୍ତି, ବେଶୀଦିନ ବନ୍ଦ ହୋଇ ରହିଲେ ମଣିଷର ଶରୀର ଓ ମନରେ କେଉଁ ପ୍ରକାର ପରିବର୍ତ୍ତନ ଦେଖାଯାଏ, ସେ ବିଷୟରେ ପୂର୍ବ ମହାମାରୀ ସମୟରେ ତଥ୍ୟ ସଂଗ୍ରହ ହୋଇଛି। ଯଥା-SARS, MARS ଓ କେରଳରେ NIPAH ଭୂତାଣୁ ବ୍ୟାପିଲାବେଳେ ଲୋକେ ଅଲଗା ହୋଇ ରହିଥିଲେ। ସେଥିରୁ ଜଣାଯାଇଛି ଯେ, ସାନ ପିଲା, ବଡ଼ ମଣିଷ ଓ ବୟସ୍କ ମଣିଷଙ୍କ ଉପରେ ଭୟ ଓ ଆଶଙ୍କାର ପ୍ରଭାବରେ ଅନେକ ତଫାତ ଅଛି।

SARS ଓ N1H1 ବ୍ୟାପିବାବେଳେ ରୋଗମୁକ୍ତ ଅଞ୍ଚଳରେ ଥିବା ଓ ରୋଗବ୍ୟାପ୍ତ ଅଞ୍ଚଳରେ ଥିବା ଲୋକଙ୍କ ମଧ୍ୟରେ ତୁଳନା କରି ଜଣାଯାଇଛି ଯେ, ରୋଗବ୍ୟାପ୍ତ ଅଞ୍ଚଳରେ ଅନ୍ୟମାନଙ୍କଠାରୁ ଅଲଗା ହୋଇ ଘରେ ରହୁଥିବା ଲୋକଙ୍କଠାରେ ୨୮% ଅଧିକ ମାନସିକ ବିଶୃଙ୍ଖଳା(PTSD-Post Traumatic Stress disorder) ଦେଖାଯାଇଥିଲା ଏବଂ ପିଲାଙ୍କଠାରେ ୪ ଗୁଣ ଅଧିକ ଥିଲା।

ଯେଉଁମାନେ ମହାମାରୀବେଳେ ହସ୍ପିଟାଲରେ କାମ କରୁଥିଲେ, ସେମାନଙ୍କଠାରେ ୩ ବର୍ଷ ପରେ ମଧ୍ୟ ପିଟିଏସଡିର ଲକ୍ଷଣ ଦେଖାଯାଇଛି। ପିଟିଏସଡିର ସାଧାରଣ ଲକ୍ଷଣ ହେଲା ସାମାନ୍ୟ କଥାରେ ଡରିବା(ହାଇପର-ଭିଜିଲେଶନ) ଓ ଅଧିକାଂଶ ସମୟରେ ବିପଦର ଆଶଙ୍କା କରିବା, ଦୁଃସ୍ବପ୍ନ ଏବଂ ଚାହିଁଥିଲାବେଳେ ପୁରୁଣା ଭୟର ଘଟଣା ଛବି ପରି ଆଖି ଆଗରେ ଭାସିବା(ଫ୍ଲାସବ୍ୟାକ) ଓ ନିଜର ଭୟକୁ ଆୟତ୍ତ କରିବା ପାଇଁ ସିଗାରେଟ, ବିଡି ବା ମଦର ଅତ୍ୟଧିକ ସେବନ କରିବା।

ଅନିଶ୍ଚିତ ଅବସ୍ଥାରେ ବେଶୀଦିନ ବନ୍ଦ ହୋଇ ରହିଲେ ଓ ଚିକିତ୍ସା ନ ଥିବା ରୋଗର ପ୍ରସାର ବଢ଼ିଲେ ମନରେ ଭୟ ସୃଷ୍ଟି ହେବା ସ୍ବାଭାବିକ।  ଏହି ଅବସ୍ଥାରେ ଯିଏ କୁହେ ମୋର ଡର ନାହିଁ, ମୋର କିଛି ହେବ ନାହିଁ ବୋଲି ମୁଁ ଜାଣେ- ସେ ଘଟଣାକୁ ଅସ୍ବୀକାର କରି ନିଜ ମନର ଭୟକୁ ଆୟତ୍ତ କରେ। ତେଣୁ ଭୟ ସମୟରେ କିଛି ଲୋକ ଆକଟ ମାନନ୍ତି ନାହିଁ ଓ ଅନ୍ୟମାନଙ୍କ ବାରଣକୁ ବେଖାତିର କରି ମନ ଇଚ୍ଛାରେ ଚଳନ୍ତି। ନିଜର ଦେହ ଖରାପ ହେଲେ ବା ଘର ଲୋକଙ୍କ ଦେହ ଖରାପ ବେହା ପରେ କଥା ମାନିଚଳନ୍ତି।

ମାନସିକ ଚାପ ଗୁରୁତର ହେବାର କାରଣ ହେଲା- ଯେଉଁମାନେ ମାର୍ଚ୍ଚ ୧୫ରେ ହୋଲି ଖେଳୁଥିଲେ, ମନ୍ଦିର, ସିନେମା ଓ ଶପିଂ ମଲରେ ଭିଡ଼ ଜମାଉଥିଲେ, ସେମାନଙ୍କୁ ୨୨ ତାରିଖରେ ହଠାତ ଘରୁ ବାହାରକୁ ବାହାରିବାକୁ ମନା ହେଲା। ଏତେ ଅଳ୍ପ ସମୟ ଭିତରେ ମଣିଷ ନିଜର ନିୟମିତ ଚଳଣି ବଦଳାଇବା ସହଜ ନୁହେଁ। ଏପଟେ ସରକାର ଭାବିଚିନ୍ତି କାମ କରିବାକୁ ବେଳ ନାହିଁ। ରୋଜଗାର ବନ୍ଦ ହୋଇଗଲା ଓ ଦିନରାତି ଖବରକାଗଜ, ଟେଲିଭିଜନ ଓ ସୋସିଆଲ ମିଡିଆରେ କରୋନା ଭୂତାଣୁର ଡର ଖବର ସମସ୍ତଙ୍କୁ ବାଟବଣା କଲା। କିଛିଦିନ ପରେ ବନ୍ଦୀ ଜୀବନର ବିରକ୍ତି ଓ ରୋଗ ଭୟର ଆଶଙ୍କା ସହିଯିବେ ସତ, କିନ୍ତୁ ମନର ଆଘାତକୁ ସମସ୍ତେ ବିନା କାଉନସେଲରଙ୍କ ସାହାଯ୍ୟରେ ଆୟତ୍ତ କରିପାରି​‌ବେ ନାହିଁ। ତେଣୁ କାଉନସେଲର ବ୍ୟକ୍ତିର ସ୍ବଭାବ, ମନର ଅବସ୍ଥା, ପୂର୍ବ ଜୀବନର ଅଭିଜ୍ଞତା ଓ ପ୍ରୟୋଜନକୁ ବିଚାର କରି ପରାମର୍ଶ ଦେବେ।

ଉପାୟ-

ଡା. ଦାସ କୁହନ୍ତି, ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନରେ ବର୍ଷେ ଉପରକୁ ଅତି ଛୋଟ ଜାଗାରେ ଅନ୍ୟମାନଙ୍କ ସହିତ ଚଳିଥିବା ଆଷ୍ଟ୍ରୋନଟ୍‌ମାନଙ୍କର ଅଭିଜ୍ଞତାରୁ ଆମେ କେତେକ ଉପାୟ ଶିଖିପାରିବୁ। ସେମାନଙ୍କର ଶରୀର ଓ ମନ ଉପରେ ବନ୍ଦ ହୋଇ ରହିବାର କ’ଣ ପ୍ରଭାବ ପଡ଼ିଛି ସେ ବିଷୟରେ ଅନେକ ତଥ୍ୟ ସଂଗୃହୀତ ହୋଇଛି। ସେମାନେ କହିଛନ୍ତି ଯେ, କାହା ପରେ କ’ଣ କରିବେ ସେ କଥା ସ୍ଥିର କରି ରୁଟିନ ଅନୁସାରେ କାମ କଲେ ମନକୁ ଅନ୍ୟ ଚିନ୍ତା ସେତେଟା ଆସେନାହିଁ। କର୍ମଚଞ୍ଚଳ ରହିବାରୁ ମାନ୍ଦା ଲାଗେ ନାହିଁ କି ବୋର୍‌ ଲା​‌ଗେ ନାହିଁ। ତା’ ଛଡ଼ା ନିଜର ପ୍ରତିଦିନର ଅନୁଭୂତି, ଅଭିଜ୍ଞତା, ପର୍ଯ୍ୟବେକ୍ଷଣ ଓ ଭାବନା ଚିନ୍ତା ସବୁ ଡାଏରୀରେ ଲେଖିବାରୁ ସମୟ କଟିଯାଉଥିଲା ଓ ମନ କଥା ଅସଙ୍କୋଚରେ ଲେଖୁଥିବାରୁ ମନର ଚାପ କମିଯାଏ। ଏସବୁ ସତ୍ବେ ସେମାନଙ୍କ ମନରେ ଘାସରେ ଚାଲିବା ପାଇଁ, କଅଁଳିଆ ଖରାରେ ବସିବା ପାଇଁ ଓ ସାଗୁଆ ରଙ୍ଗ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେଲା। ଅନ୍ୟାନ୍ୟ ଆଷ୍ଟ୍ରୋନଟଙ୍କ ସହିତ ନୂଆ ନୂଆ ଘନିଷ୍ଠତା ହେଲା। ମାତ୍ର କାହା କାହା ସହିତ ମନୋମାଳିନ୍ୟ ବି ହେଲା।​ ତେଣୁ ବନ୍ଦ ହୋଇ ରହିଲେ ମାନସିକ ଅବସ୍ଥାର ଗତି ତଳକୁ ଖସିବ। ତେଣୁ କଥା ହେଲା, କେମିତି ନିଜକୁ ସମ୍ଭାଳିବ ?

ପ୍ରାଚୀନ ସାଧନାର ନୂଆ ପ୍ରୟୋଗ

ଆମ ଦେଶରେ ପ୍ରାଚୀନ କାଳରୁ ଆଧ୍ୟାତ୍ମିକ ଜୀବନର ବିକାଶ ଓ ବୃଦ୍ଧି ପାଇଁ ପ୍ରାଣାୟାମ, ଧ୍ୟାନ, ଯୋଗାସନ ଅଭ୍ୟାସ କରିବାର ପ୍ରଥା ଅଛି। ବର୍ତ୍ତମାନ ମନୋବିଜ୍ଞାନୀମାନେ ମନର ଭୟ ଓ ଉତ୍କଣ୍ଠା ଦୂର କରି ମାନସିକ ଚାପ କମାଇବା ପାଇଁ ଏହି ଉପାୟଗୁଡ଼ିକ ପ୍ରୟୋଗ କରୁଛନ୍ତି ଓ ଗବେଷଣା କରି ଏହାର ଫଳାଫଳ ତନଖି ମୂଲ୍ୟାୟନ କରି ଏ ଉପାୟଗୁଡ଼ିକର ସାର୍ଥକତା ପ୍ରତିପାଦନ କରିଛନ୍ତି।

ପ୍ରାଣାୟମ

Image Courtesy: Fitsri

କରେନା ଭୂତାଣୁ ଶ୍ଵାସ ଯନ୍ତ୍ରକୁ ବିକ୍ଷତ କରେ। ତେଣୁ ଶ୍ଵାସକ୍ରିୟା ଦ୍ବାରା ଶ୍ଵାସଯନ୍ତ୍ରର ବଳିଷ୍ଠତା ବଢ଼ାଇଲେ କରୋନାର ପ୍ରତିଷେଧକ ହେବ। ପ୍ରାଣାୟମ ହେଲା ନିୟମ ଅନୁସାରେ ଶ୍ଵାସ ଓ ପ୍ରଶ୍ଵାସକୁ ଶୃଙ୍ଖଳିତ କରି ନିର୍ଦ୍ଧାରିତ ସମୟ ଅନୁସାରେ ଏକ ଲୟରେ ଶ୍ଵାସକ୍ରିୟା ନିର୍ବାହ କରିବା। ଶ୍ଵାସ, ପ୍ରଶ୍ଵାସ କେମିତି ସଞ୍ଚାଳିତ ହେବ ତା’ର ବହୁ ପ୍ରଣାଳୀ ଅଛି ଓ ସେହି ଅନୁସାରେ ପ୍ରଣାଳୀଗୁଡ଼ିକର ନାମକରଣ ହୋଇଛି। ଖରାପ ଚିନ୍ତା ଭାବିବାକୁ ନ ଚାହିଁଲେ ମଧ୍ୟ ମନକୁ ଆକ୍ରାନ୍ତ କରେ ଓ ମନରେ ଗ୍ଳାନି, ଆଶଙ୍କା ଓ ଭୟ ବଢ଼ାଏ। ତେଣୁ ପ୍ରାଣାୟାମର ପ୍ରୟୋଗ କରାଯାଉଛି ମନକୁ ଯେମିତି ଭୟର ଭାବନା ଆସିବ ନାହିଁ। ମନ ଶ୍ଵାସକ୍ରିୟାରେ ନିବଦ୍ଧ ରହିବାରୁ ପ୍ରାଣାୟାମ କଲାବେଳେ ମନକୁ ଅନ୍ୟ ଚିନ୍ତା ଆସିପାରେ ନାହିଁ।

ଧ୍ୟାନ

Image Courtesy: NPR

ପ୍ରାଣାୟାମ ପରି ଧ୍ୟାନ ମଧ୍ୟ ଗୋଟାଏ ରୂପ, ଚିନ୍ତା ବା ଶବ୍ଦରେ ନିବଦ୍ଧ କରିରଖେ। କେବଳ ସେତିକି ନୁହେଁ, ଚଞ୍ଚଳ ମନକୁ ନିଶ୍ଚଳ କରେ। ଧ୍ୟାନର ପ୍ରଥମ ଅବସ୍ଥାରେ ଗୋଟାଏ କଥା ଭାବିଲା ବେଳେ ଆଉ ୧୨ଟା କଥା ମନେପଡ଼େ। ତେଣୁ ଅନେକେ ନିୟମିତ ଧ୍ୟାନ କରନ୍ତି ନାହିଁ କିମ୍ବା ଧ୍ୟାନର ଫଳ ପାଇବାକୁ ଦୀର୍ଘ ସମୟ ଲାଗିବ ଶୁଣି ଏସବୁ ମୋ ଦ୍ବାରା ହୋଇପାରିବ ନାହିଁ କହି ସାଙ୍ଗେ ସାଙ୍ଗେ ମନର ଦୁଶ୍ଚିନ୍ତା ଦୂର କରିବା ଲାଗି ଓ ଟେନସନ କମାଇବା ଲାଗି ଅନ୍ୟ ବାଟରେ ଯାଆନ୍ତି। ଔଷଧ ସାଙ୍ଗେ ସାଙ୍ଗେ ହୁଏତ ମୁଣ୍ଡବ୍ୟଥା, ରକ୍ତଚାପ ବା ପେଟବ୍ୟଥା କମାଇବ, କିନ୍ତୁ ମନର ଯନ୍ତ୍ରଣା ବଢ଼ିଲେ ଅନେକ ସମୟରେ ଔଷଧ କାମ କରେନାହିଁ। ମାତ୍ର ଧ୍ୟାନର ଅଭ୍ୟାସ ମନକୁ ଦୁଃସମୟରେ ସ୍ଥିର ରଖେ। ଇବୋଲା ଭାଇରସ ଯେତେବେଳେ କଙ୍ଗୋରେ ବ୍ୟାପିଥିଲା, ସେତେବେଳେ ଯିଏ ଡାକ୍ତରୀ ଚିକିତ୍ସାର ପରିଚାଳକ ଥିଲେ, ସେ ନିଜେ ନିୟମିତ ଧ୍ୟାନର ଅଭ୍ୟାସ କରିଥିବାରୁ ସବୁ ପ୍ରକାର ବିଶୃଙ୍ଖଳା ସତ୍ବେ ଅବିଚଳିତ ଭାବରେ କାମ କରି ଅନ୍ୟମାନଙ୍କୁ ପ୍ରଣୋଦିତ କରିଥିଲେ। ବହୁ ଏମର୍ଜେନ୍ସୀ ରୁମରେ ବା କାଜୁଆଲଟିରେ କାମ କରୁଥିବା ଡାକ୍ତର ଓ ନର୍ସ ଧ୍ୟାନର ଅଭ୍ୟାସ କରିବାରୁ ତ୍ଵରିତ ବେଗରେ କାମ କରି ଲୋକଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଛନ୍ତି।

ଯୋଗାସନ

Image Courtesy: Healthlive.com

ଯୋଗାସନ ଅଭ୍ୟାସର ନିୟମ ହେଲା ଯେ ପ୍ରାଣ ଅର୍ଥାତ ନିଃଶ୍ଵାସ ପ୍ରଶ୍ଵାସର ଗତି ଅନୁସାରେ ଆସନ କରିବାକୁ ପଡ଼େ ଓ ମନର ଏକାଗ୍ରତା ନ ରହିଲେ ଆସନର ଅଙ୍ଗଚାଳନା ନିର୍ଦେଶ ଅନୁସାରେ କରିହୁଏନା। ତେଣୁ ଆସନର ଅଭ୍ୟାସ ଯୋଗୁ ମନର ଏକାଗ୍ରତା ବଢ଼େ, ଶିଖିବା ଓ ବୁଝିବା ଶକ୍ତି ବଢ଼େ ଓ ଅଙ୍ଗପ୍ରତ୍ୟଙ୍ଗର ଶାରିରୀକ ସ୍ମୃତି ବଢ଼ିବାରୁ ମସ୍ତିଷ୍କର ଦେହ ସଞ୍ଚାଳନ କ୍ଷମତା ବଳିଷ୍ଠ ହୁଏ। ଦେହ ଓ ମସ୍ତିଷ୍କ ଏବଂ ସ୍ନାୟୁ ମଣ୍ଡଳର ବଳିଷ୍ଠତା ଯୋଗୁ ଦେହ ରୋଗମୁକ୍ତ ରୁହେ ଓ ଜରାଗ୍ରସ୍ତ ହୁଏ ନାହିଁ। ମନ ଭାବାବେଗରେ ଆବିଳ ନ ହେବାରୁ ଚିନ୍ତାଶକ୍ତି ବଢ଼େ। ମନର ଏଇ ବିଭିନ୍ନ ଶକ୍ତି ବିପଦ ଆପଦବେଳେ ମନରେ ସ୍ଥିରତା ଓ ଧୈର୍ଯ୍ୟ ବଢ଼ାଇଲାରୁ ମନ ବିଚଳିତ ହୁଏ ନାହିଁ। ବାହାରର ବିପଦ, ମନର ଭୟ ଯୋଗୁ ଲୋକ ଭାଙ୍ଗିପଡ଼େ ନାହିଁ। ଦୁଶ୍ଚିନ୍ତାର ପ୍ରଭାବ ବିଷୟରେ ଗୋଟିଏ ଓଡ଼ିଆ ପ୍ରବାଦ ହେଲା- ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି

ଶାସ୍ତ୍ର ପାଠ

Image Courtesy: Patrika.com

ଶାସ୍ତ୍ର ପାଠ ପୁଣ୍ୟ କର୍ମ ବୋଲି ଯେଉଁମାନେ ପୂଜାପ୍ରାର୍ଥନାରେ ବିଶ୍ଵାସ କରନ୍ତି ସେମାନେ ଓଡ଼ିଶାରେ ଗୀତା ଓ ଭାଗବତ ପଢ଼ନ୍ତି। ଯେଉଁମାନେ ଏସବୁ ପ୍ରଥାରେ ବିଶ୍ଵାସ କରନ୍ତି ନାହିଁ, ସେମାନେ ବହିର ନାଁ ଶୁଣିଛନ୍ତି, କିନ୍ତୁ ଖୋଲିକରି ପଢ଼ିନାହାନ୍ତି। ଗୀତାର କାଉନସେଲିଂ ସହିତ କ’ଣ ସମ୍ବନ୍ଧ ଅଛି ? ଗୀତା ପଢ଼ିଲେ ଆମେ କ’ଣ ଅଧିକା ବିଷୟ ଜାଣିବା ? ଗୀତା ପଡ଼ିଲେ ଦେଖିବେ ଗୀତାର ଆରମ୍ଭ ହୋଇଛି ଅର୍ଜୁନ ବିଷାଦ ଯୋଗ ଅଧ୍ୟାୟରୁ। ଅର୍ଜୁନଙ୍କର ବିଚଳିତ ହେବାର କାରଣ ହେଲା ହଠାତ୍‌ ଯୁଦ୍ଧକ୍ଷେତ୍ରରେ ନିଜର ପ୍ରିୟ ସ୍ବଜନମାନଙ୍କୁ ଶତ୍ରୁପକ୍ଷରେ ଦେଖି ସେମାନଙ୍କୁ ମାରିବାକୁ ପଡ଼ିବ ଭାବିବାରୁ ତାଙ୍କର ଡିପ୍ରେସନ ହେଲା। ଅର୍ଜୁନ ଯୁଦ୍ଧ କରିବେ ନାହିଁ ବୋଲି କହିଲେ। ମାନସିକ ଦ୍ବନ୍ଦ୍ବ ଯୋଗୁ ଅର୍ଜୁନଙ୍କର ଘୋର ବିଷାଦ ଦେଖି କୃଷ୍ଣ ତାଙ୍କୁ ଜୀବନର ଜଟିଳ ସମସ୍ୟା, ନ୍ୟାୟ-ଅନ୍ୟାୟ ଜ୍ଞାନ ଓ ମନର ପରସ୍ପର-ବିରୋଧୀ ଭାବର ସମାଧାନ କରିବାର ଉପାୟ କହିଥିଲେ। ଗୀତାର ପରାମର୍ଶ ଓ ଉପଦେଶ ଶୁଣି ବହୁ ଲୋକ ନିଜର ମାନସିକ ଦ୍ବନ୍ଦ୍ବ, ମନର ଦୋଳାୟମାନ ଅବସ୍ଥା ଓ ଦୁର୍ଭାବନାକୁ ଆୟତ୍ତ କରି ଅବିଚଳିତ ଭାବରେ ସଙ୍କଟ ସମୟରେ ଚଳିଛନ୍ତି।

ଗୀତା ଓ ଭାଗବତ ଉଭୟ ଶାସ୍ତ୍ର କାଉନସେଲରମାନେ ପଢ଼ିଲେ ଜୀବନ ବିଷୟରେ ଅନ୍ତଃଦୃଷ୍ଟି(insight) ବଢ଼ିବ ଓ ନିଜର ପାରଙ୍ଗମତା ବଢ଼ିବ। କାରଣ ନିଜ ଦେଶର ପ୍ରଥା, ପରମ୍ପରା ଓ ସଂସ୍କୃତି ନ ଜାଣିଲେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଲେ ସେମାନେ ଠିକରେ ବୁଝି ପାରିବେ ନାହିଁ।

ସ୍ଥାନୀୟ କାଉନସେଲରମାନେ ଦିନକୁ ଦୁଇଘଣ୍ଟା ପାଇଁ ଭୟଭୀତ ଲୋକମାନଙ୍କୁ ପରାମର୍ଶ ଦେବା ଉଚିତ। ତା’ହେଲେ କିଛି ଲୋକଙ୍କର ଉପକାର ହେବ। ବିଶେଷକରି ଯେଉଁ ଲୋକଙ୍କର କେହି ଆତ୍ମୀୟ ଆଇସିୟୁରେ ଅଛନ୍ତି କିମ୍ବା ଯାହାଙ୍କ ଘରେ କାହାର ଦେହାନ୍ତ ହୋଇଛି, ସେଭଳି ଲୋକଙ୍କ ପାଇଁ ମାନସିକ ସାହାଯ୍ୟ ନିହାତି ଜରୁରୀ ବୋଲି ଡା. ଗୀତା ଦାସ କହିଛନ୍ତି।

Comments
Loading...