କରୋନା: ୩ୟ ପର୍ଯ୍ୟାୟର ମୁକାବିଲା ପାଇଁ ଆମେ କେତେ ପ୍ରସ୍ତୁତ ?

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ଭାରତରେ ଏ​‌ବେ ୨ୟ ପର୍ଯ୍ୟାୟରେ ରହିଛି। ଏହି ସ୍ଥିତିରେ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯଦି ଏହି ଭୂତାଣୁ ସମୂହ ସଂକ୍ରମଣର ରୂପ ନିଏ, ତେବେ ଏହାର ମୁକାବିଲା ପାଇଁ ଦେଶ କେତେ ପ୍ରସ୍ତୁତ ଅଛି ? ସଦ୍ୟ ରିପୋର୍ଟ ଅନୁସାରେ ଭାରତର ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁ ଦ୍ବାରା ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୫୨ ଟପିଛି। ଭାରତରେ ଏହାର ପ୍ରଭାବ କେତେ ଅଧିକ ରହିଛି ତାହା ଦେଶରେ ଲକ୍‌ଡାଉନ ସତ୍ବେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରୁ ହୃଦବୋଧ ହେଉଛି। ଦେଶରେ ପ୍ରଥମ ୫୦ ଆକ୍ରାନ୍ତ ଚିହ୍ନଟ ହେବାକୁ ୪୦ ଦିନ ଲାଗିଥିଲା। କିନ୍ତୁ ଏହି ସଂଖ୍ୟା ୧୦୦ରେ ପହଞ୍ଚିବାକୁ ମାତ୍ର ୪ଦିନ ଲାଗିଥିଲା। ଏହା ପରେ ୨୦୦ ଆକ୍ରାନ୍ତ ହେବା ଲାଗି ୨ ଦିନ ସମୟ ଲାଗିଥିଲା। ଏହା ପରେ ପ୍ରତିଦିନ ସଂଖ୍ୟା ବଢ଼ିଚାଲିଛି। ବିଶ୍ଵରେ ଅନ୍ୟ ଦେଶର ସ୍ଥିତି ଭାରତଠାରୁ ବହୁ ଗମ୍ଭୀର ରହିଛି। ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୯ ହଜାର ଛୁଇଁଥିବାବେଳେ ୨୪ ହଜାରରୁ ଅଧିକ ପ୍ରାଣ ହରାଇଲେଣି। ୧ ଲକ୍ଷ ୨୦ ହଜାର ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଇଟାଲୀରେ ସର୍ବାଧିକ ୮୨୦୦ ଜଣଙ୍କ ମୃତ୍ୟୁ ହୋଇଛି।

ଆସୋସିଏଶନ ଅଫ ସର୍ଜନ ଅଫ ଇଣ୍ଡିଆର ପଦ୍ମଶ୍ରୀ ଡା. ପି. ରଘୁରାମ ବି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଯେ, କ’ଣ ଭାରତ ୩ୟ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି ? ଯଦି ଭାରତରେ କରୋନ ଭୂତାଣୁର ସାମାଜିକ ସଂକ୍ରମଣ ହୁଏ ତେ​‌ବେ ଏହା ଦେଶକୁ ମହାବିପଦକୁ ଠେଲି ଦେଇପାରେ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଏବଂ ବର୍ତ୍ତମାନ ଦେଶରେ ଥିବା ଚିକିତ୍ସା ବ୍ୟବସ୍ଥାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦେଶରେ ସ୍ବାସ୍ଥ୍ୟ ସେବା ୨ଟି କାଟାଗୋରିରେ ରହିଛି। ଗୋଟିଏ ସରକାରୀ ଏବଂ ଅନ୍ୟଟି ଘରୋଇ କ୍ଷେତ୍ରର ଚିକିତ୍ସା। ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ସ୍ବାସ୍ଥ୍ୟସେବା ମଧ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହାବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ହସ୍ପିଟାଲ ରହିଛି।

ଏକ ନ୍ୟୁଜ ଏଜେନ୍ସୀ ରିପୋର୍ଟ ଅନୁସାରେ ନ୍ୟାଶନାଲ ହେଲ୍‌ଥ ପ୍ରୋଫାଇଲ ୨୦୧୯ ମୁତାବକ ଦେଶରେ ପ୍ରାୟ ୨୬ ହଜାର ସରକାରୀ ହସ୍ପିଟାଲ ଅଛି। ଏଥିରୁ ୨୧ ହଜାର ଗ୍ରାମାଞ୍ଚଳରେ ଥିବାବେଳେ ୫ ହଜାର ହସ୍ପିଟାଲ ସହରରେ ରହିଛି। ଏହି ସଂଖ୍ୟା ଯଥେଷ୍ଟ ବୋଲି ଯେକେହି ଭାବୁଥିବେ। କିନ୍ତୁ ଯେତେବେଳେ ରୋଗୀ ସଂଖ୍ୟା ଏବଂ ହସ୍ପିଟାଲରେ ଉପଲବ୍ଧ ବେଡ୍‌ ସଂଖ୍ୟାକୁ ତୁଳନା କରାଯିବ ସେତେବେଳେ ଏହା ଚିନ୍ତାଜନକ ବୋଲି ସହଜରେ ଅନୁମେୟ।

କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧାରରେ ସମସ୍ତ ରାଜ୍ୟକୁ ନିଜ ନିଜର କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିବାକୁ ପଡ଼ିବ। ସେହିପରି ଦେଶରେ ଡାକ୍ତର ସଂଖ୍ୟାକୁ ଦୃଷ୍ଟି ଦେଲେ ନ୍ୟାଶନାଲ ହେଲ୍‌ଥ ପ୍ରୋଫାଇଲ ତଥ୍ୟ ଅନୁସାରେ, ୨୦୧୮ ପର୍ଯ୍ୟନ୍ତ ଦେଶରେ ୧୧ ଲକ୍ଷ ୫୦ ହଜାର ଏଲୋପାଥିକ ଡାକ୍ତର ରହିଛନ୍ତି। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ତଥ୍ୟ ଅନୁସାରେ ଡାକ୍ତର ଏବଂ ରୋଗୀଙ୍କ ଅନୁପାତ ୧:୧୦୦୦ ରହିବା କଥା। ଅର୍ଥାତ ପ୍ରତି ଜଣେ ଡାକ୍ତର ପିଛା ୧୦୦୦ ରୋଗୀ ରହିବା ଆବଶ୍ୟକ। କନ୍ତୁ ୧୩୮ କୋଟିର ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଡାକ୍ତର ସଂଖ୍ୟା ବହୁ କମ୍‌। ଡବ୍ଲ୍ୟୁଏଚଓ ନିୟମ ଅନୁସାରେ ତ ଏହା ଅତ୍ୟନ୍ତ ନଗଣ୍ୟ। ଯଦି ଧରାଯାଏ ଯେ ୮୦ ପ୍ରତିଶତ ଡାକ୍ତର ଉପଲବ୍ଧ ରୁହନ୍ତି, ତେବେ ଜଣେ ଡାକ୍ତର ପିଛା ୧୫୦୦ ରୋଗୀଙ୍କ ଚିକିତ୍ସା ଦାୟିତ୍ଵ ରହିବ। କରୋନାରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୫ ପ୍ରତିଶତ ରୋଗୀ ସଙ୍କଟାପନ୍ନ ହୁଅନ୍ତି। ଏଭଳି ରୋଗୀଙ୍କ ପାଇଁ ଆଇସିୟୁର ଆବଶ୍ୟକତା ରହିଛି। ଇଣ୍ଡିଆନ ସୋସାଇଟି ଅଫ କ୍ରିଟିକାଲ କେୟାର ତଥ୍ୟ ଅନୁସାରେ ଦେଶରେ ପ୍ରାୟ ୭୦ ହଜାର ଆଇସିୟୁ ବେଡ୍‌ ରହିଛି। ଇଣ୍ଡିଆନ ସୋସାଇଟି ଅଫ କ୍ରିଟିକାଲ କେୟାରର ଅଧ୍ୟକ୍ଷ ଧ୍ରୁବ ଚୌଧୁରୀଙ୍କ କହିବା ଅନୁସାରେ, ଦେଶରେ ପ୍ରାୟ ୪୦ ହଜାର ଭେଣ୍ଟିଲେଟର ଉପଲବ୍ଧ ରହିଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମେଟ୍ରୋ ସହର, ମେଡିକାଲ କଲେଜ ଏବଂ ଘରୋଇ ହସ୍ପିଟାଲରେ ରହିଛି।

କରୋନା ସଂକ୍ରମଣ ୩ୟ ପର୍ଯ୍ୟାୟରେ ପହଞ୍ଚିବା ପରେ ଅଧିକାଂଶ ରୋଗୀଙ୍କୁ କ୍ରିଟିକାଲ କେୟାରର ଆବଶ୍ୟକତା ପଡ଼ିବ। ତେଣୁ କେନ୍ଦ୍ର ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି ଯେ ଏହାକୁ ୨ୟ ପର୍ଯ୍ୟାୟରେ ହିଁ ଅଟକାଯାଉ। ତେବେ ଯଦି ୩ୟ ପର୍ଯ୍ୟାୟରେ କରୋନା ଭୂତାଣୁ ପହଞ୍ଚେ, ତେବେ ଉପଲବ୍ଧ ଥିବା ଭେଣ୍ଟିଲେଟର ଯଥେଷ୍ଟ ହେବ କି ବୋଲି ପ୍ରଶ୍ନରେ ଧ୍ରୁବ ଚୌଧୁରୀ କହିଛନ୍ତି ଯେ, ଇଟାଲୀ, ଚୀନ, ସ୍ପେନ ଭଳି ସ୍ଥିତି ଭାରତରେ ଉପୁଜିଲେ ପରିସ୍ଥିତି ଅତି ଭୟାବହ ହେବ। ଯେତିକି କ୍ରିଟିକାଲ କେୟାର ୟୁନିଟ୍‌ ଅଛି ସେଥିରେ ଏହାର ମୁକାବିଲା କରି ହେବ ନାହିଁ। ଆଇସିୟୁଠାରୁ ଅଧିକ ସମସ୍ୟା ଭେଣ୍ଟିଲେଟର ପାଇଁ ହେବ। ସେ କୁହନ୍ତି, ଆଇସିୟୁ ହେଉଛି ସେହି ସ୍ଥାନ, ଯେଉଁଠି ରୋଗୀଙ୍କୁ ଅଧିକ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ। କିଛି ଯନ୍ତ୍ରପାତି ଜରିଆରେ ହସ୍ପିଟାଲଗୁଡ଼ିକର କିଛି ୱାର୍ଡକୁ ଆଇସିୟୁରେ ପରିବର୍ତ୍ତନ କରାଯାଇପାରିବ। କିନ୍ତୁ ଆଗାମୀ ଦିନରେ କରୋନା ଯୋଗୁ ସ୍ଥିତି ବେକାବୁ ହେବା ପୂର୍ବରୁ ସରକାରଙ୍କୁ ଭେଣ୍ଟିଲେଟର ଯୋଗାଡ଼ କରିବାର ଆବଶ୍ୟକତା ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଭାରତରେ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରାୟ ୧୨୦୦ ଭେଣ୍ଟିଲେଟର ମଗାଯାଇଛି, ଯାହା ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ସେଣ୍ଟର ଫର ଡିଜିଜ ଡାଇନାମିକ୍ସର ନିର୍ଦେଶକ ଡା. ରାମାନନ ଲକ୍ଷ୍ମୀନାରାୟଣ କହିଛନ୍ତି, ହୋଇପାରେ ରୋଗୀ ସଂଖ୍ୟାରେ ଆମେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ପଛରେ ଅଛେ, କିନ୍ତୁ ସ୍ପେନ ଏବଂ ଚୀନରେ ଯେଭଳି ସ୍ଥିତି ଅଛି, ଯେତେ ସଂଖ୍ୟାରେ ସେଠାରେ ଲୋକ ସଂକ୍ରମଣ ହୋଇଛନ୍ତି, ସେଭଳି ସ୍ଥିତି ଏଠାରେ ଉପୁଜିଲେ ଆଉ କିଛି ସପ୍ତାହ ଭିତରେ ଆମକୁ କରୋନାର ସୁନାମୀ ପାଇଁ ପ୍ରସ୍ତୁତ ରହିବା ଦରକାର।

କରୋନା ପରୀକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଆଇସିଏମଆର ମହାନିର୍ଦେଶକ ବଳରାମ ଭାର୍ଗବଙ୍କ ସୂଚନା ମୁତାବକ, ଫ୍ରାନ୍ସ ପ୍ରତି ସପ୍ତାହରେ ୧୦ ହଜାର ଲୋକଙ୍କ ପରୀକ୍ଷା କରାଉଛି। ବ୍ରିଟେନରେ ଏକ ସପ୍ତାହରେ ୧୬ ଜହାର ଲୋକଙ୍କ ପରୀକ୍ଷା ହେଉଛି। ଆମେରିକାରେ ୨୬ ହଜାର ପରୀକ୍ଷା କରାଯାଉଛି। କିନ୍ତୁ ଦକ୍ଷିଣ କୋରିଆ ସପ୍ତାହକରେ ୮୦ ହଜାର ଲୋକଙ୍କ ପରୀକ୍ଷା କରାଉଛି। ସେହିପରି ଜର୍ମାନୀରେ ଗୋଟିଏ ସପ୍ତାହରେ ପ୍ରାୟ ୪୨ ହଜାର ଏବଂ ଇଟାଲୀରେ ୫୨ ହଜାର ଲୋକଙ୍କ ପରୀକ୍ଷା ହୋଇଛି।

ଡା. ଭାର୍ଗବ କହିଥିଲେ ଯେ, ଭାରତରେ ପ୍ରତି ସପ୍ତାହରେ ୬୦ରୁ ୭୦ ହଜାର ଲୋକଙ୍କ ପରୀକ୍ଷା କରାଇବାର କ୍ଷମତା ରହିଛି। ଲାବରେଟୋରୀ ଏବଂ ନମୁନା ସଂଗ୍ରହ କେନ୍ଦ୍ର ବୃଦ୍ଧି କରିବା ଆବଶ୍ୟକ। କେନ୍ଦ୍ର ସରକାର କିଛି ଜରୁରୀ ପଦକ୍ଷେପ ବି ନେଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ୨୦୧୭-୧୮ରେ ଭାରତ ସରକାର ଜିଡିପି(ମୋଟ ଘରୋଇ ଉତ୍ପାଦ)ର ୧.୨୮ ପ୍ରତିଶତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରିବାର ବ୍ୟବସ୍ଥା କରିଛନ୍ତି। ଏହାବ୍ୟତୀତ ୨୦୦୯-୧୦​ରେ ଦେଶର ପ୍ରତି ନାଗରିକଙ୍କ ପିଛା ସ୍ବାସ୍ଥ୍ୟ ସେବା ଲାଗି ୬୨୧ ଟଙ୍କା ବ୍ୟୟ ବରାଦ ହେଉଥିଲା। ଗତ ୮ବର୍ଷରେ ଏହା ବୃଦ୍ଧି ପାଇ ୧୬୫୭ ଟଙ୍କାରେ ପହଞ୍ଚିଛି। ଏହି ତଥ୍ୟରୁ ଜଣାପଡୁଛି ଯେ ସରକାର ଦେଶବାସୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାଶୀଳ ଅଛନ୍ତି।

 

Comments are closed.