ଗଲୱାନରୁ ଚୀନ ଶିବିରକୁ କିପରି ହଟାଇଲା ବିହାର ରେଜିମେଣ୍ଟ

ନୂଆଦିଲ୍ଲୀ :ଲଦାଖର ଗଲୱାନ ଉପତ୍ୟକାରେ ଜୁନ୍‌ ୧୫ ତାରିଖ ରାତିରେ ଭାରତ ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ପଛର କାରଣ ହେଉଛି ଗଲୱାନ ଉପତ୍ୟକାରୁ ଚୀନର ଶିବିର ହଟାଇବା। ଭାରତ ସେନାର ୧୬ ବିହାର ରେଜିମେଣ୍ଟର ଯବାନମାନେ ଗଲୱାନ ଉପତ୍ୟକାରୁ ଚୀନର ଶିବିରକୁ ହଟାଇଥିଲେ। ଉପତ୍ୟକାର ଶ୍ୟୋକ ଓ ଗଲୱାନ ନଦୀ ନିକଟରେ ଅବସ୍ଥିତ ୱାଇ ଜଙ୍କସନରେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ବୈଠକ ହେବାକୁ ଥିଲା। ବୈଠକ ପୂର୍ବରୁ ଶିବିର ହଟାଇବାକୁ ଚୀନକୁ କୁହାଯାଇଥିଲା। ଶିବିର ହଟାଯାଇଛି କି ନାହିଁ ତାହା ଅନୁଧ୍ୟାନ କରିବା ଲାଗି ବିହାର ରେଜିମେଣ୍ଟକୁ ପଠାଯାଇଥିଲା। ବିହାର ରେଜିମେଣ୍ଟ ସମେତ ଅନ୍ୟ ବାହିନୀର ଯବାନମାନେ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ଯାଇଥିଲେ। ଏହି ସମୟରେ ଶିବିରକୁ ଚୀନର ୧୦ରୁ ୧୨ ସୈନିକ ଜଗି ରହିଥିଲେ। ଭାରତର ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଶିବିର ହଟାଇବା ଲାଗି କହିଥିଲେ। କାରଣ ଏହି ଶିବିର ହଟାଇବା ଲାଗି ପୂର୍ବରୁ ଉଭୟ ଦେଶର ସାମରିକସ୍ତରୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏହି ଶିବିର ହଟାଇବାକୁ ଚୀନ ସୈନିକମାନେ ମନା କରିଥିଲେ।

ପରେ ଭାରତର ପାଟ୍ରୋଲିଂ ଟିମ୍ ସେମାନଙ୍କ ୟୁନିଟ୍‌କୁ ଫେରିଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହା ପରେ ଭାରତ ସେନାର ୧୦୦ ଯବାନ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କ​‌େ​‌ର୍ଣ୍ଣଲ ସନ୍ତୋଷ ବାବୁଙ୍କ ନେତୃତ୍ବରେ ଚୀନ ଶିବିର ନିକଟକୁ ଯାଇଥିଲେ। ଚୀନ ସୈନିକଙ୍କୁ ପୁନର୍ବାର ଫେରିଯିବାକୁ କୁହାଯାଇଥିଲା। ଏହି ସମୟରେ ଚୀନର ୩୦୦ରୁ ୩୫୦ ସୈନିକ ସେଠାରେ ଠୁଳ ହୋଇସାରିଥିଲେ। ଏପରିକି ଭାରତ​‌ ସୈନିକଙ୍କ ଉପରେ ଆକ୍ରମଣ ପାଇଁ ସେମାନେ ପଥର ଓ ଅନ୍ୟ ଅସ୍ତ୍ର ଧରି ଆସିଥିଲେ। ଦୁଇପକ୍ଷ କଥାବାର୍ତ୍ତା ହେଉଥିବାବେଳେ ଯୁକ୍ତିତର୍କ ଜୋର ଧରିଥିଲା। ଯୁକ୍ତି ଜୋର ହେବାରୁ ଭାରତ ସେନା ଚୀନର ଶିବିରକୁ ଉଠାଇବା ଆରମ୍ଭ କରିଥିଲେ। ଏହି ସମୟରେ ପ୍ରସ୍ତୁତ ଥିବା ଚୀନ ସୈନିକମାନେ ଭାରତ ଉପରେ ଆକ୍ରମଣ କରିଥିଲେ। ଚୀନ ସୈନିକମାନେ ପ୍ରଥମେ ହାବିଲଦାର ପଲାନି ଓ ଅନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ବିହାର ରେଜିମେଣ୍ଟର ଯବାନମାନେ ପ୍ରତିଆକ୍ରମଣ କରିଥିଲେ। ଚୀନ ସୈନିକମାନେ ସଂଖ୍ୟାରେ ବହୁତ ଅଧିକ ହୋଇଥିବା ସତ୍ତ୍ବେ ଭାରତ ଦୃଢ ଜବାବ ଦେଇଥିଲା। ପ୍ରାୟ ୩ଘଣ୍ଟା ଧରି ଏହି ସଂଘର୍ଷ ଲାଗି ରହିଥିଲା। ଚୀନର ଅନେକ ସୈନିକ ଏଥିରେ ପ୍ରାଣ ହରାଇବା ସହିତ ଗୁରୁତର ଆହତ ହୋଇଥିଲେ। ଭାରତ ପଟୁ କ​‌େ​‌ର୍ଣ୍ଣଲ ସନ୍ତୋଷଙ୍କ ସହ ୨୦ଜଣ ସହିଦ ହୋଇଥିଲେ। ସକାଳକୁ ପରିସ୍ଥିତି ଶାନ୍ତ ହୋଇଥିଲା। ସଂଘର୍ଷ ମଧ୍ୟରେ ୧୪ ନମ୍ବର ପାଟ୍ରୋଲିଂ ପଏଣ୍ଟରୁ ଚୀନର ଶିବିରକୁ ଉପାଡି ଫିଙ୍ଗିବାରେ ଭାରତୀୟ ସୈନ୍ୟ ସଫଳ ହୋଇଥିଲେ। ଏହି ଘଟଣା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଭୟ ଦେଶର ସାମରିକ ଓ କୂଟନୈତିକସ୍ତରରେ ଆଲୋଚନା ଜାରି ରହିଛି। ଗୋଟିଏ ପଟେ ପରିସ୍ଥିତି ନିୟନ୍ତ୍ରଣ ପାଇଁ କଥାବାର୍ତ୍ତା ଚାଲିଥିବାବେଳେ ଅନ୍ୟପଟେ ଉଭୟ ନିଜ ନିଜ ସୀମାରେ ସୈନ୍ୟ ଠୁଳ ଜାରି ରଖିଛନ୍ତି।

Comments are closed.