ଭୂତ ହୋଟେଲର ଭଡ଼ା ଦିନପିଛା ୨ଲକ୍ଷ ଟଙ୍କା!

ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ୟବସାୟୀମାନେ ବିଭିନ୍ନ ଉପାୟ ପ୍ରୟୋଗ କରିବାରେ ଲାଗିଛନ୍ତି। ସ୍କଟଲାଣ୍ଡର ରାଜାରାଜୁଡ଼ାମାନେ ଅନେକ ବର୍ଷ ପୂର୍ବେ ନିଜ ପୁଅ, ଝିଅଙ୍କ ବିବାହ ଉତ୍ସବରେ ସେମାନଙ୍କୁ ରାଜଉଆସ, କ୍ୟାସେଲ୍‌ମାନ ଉପହାର ଭାବେ ଦେଉଥିଲେ। ୧୫୦୦ ଶତାବ୍ଦୀର ଜନୈକ ରାଜା ଜେମ୍ସ ଦ୍ବିତୀୟ ତାଙ୍କ ଅଲିଅଳୀ ଝିଅ ରାଜକୁମାରୀ ମ୍ୟାରିଙ୍କ ବିବାହରେ ‘ଆଇର୍‌ସିଇର୍ କ୍ୟାସେଲ୍’ଟି ଉପହାର ଭାବେ ଦେଇଥିଲେ। ଅନେକ ବର୍ଷ ପରେ ରାଜପରିବାରର ସଦସ୍ୟମାନେ ଏହି କ୍ୟାସେଲ୍‌କୁ ‘ହଲିଡେ ହୋମ୍’ର ରୂପ ଦେଇଥିଲେ। କିଛି ବର୍ଷ ଅନ୍ତରାଳେ ହଲିଡେ ହୋମ୍‌ରେ ଭୂତ ଚଳପ୍ରଚଳ କରୁଥିବାର କେତେଜଣ ଗ୍ରାହକ ମତ ଦେଇଥିଲେ। ସମୟକ୍ରମେ ଏହା ‘ଘୋଷ୍ଟ ହାଉସ୍’ ଭାବେ ପରିଚିତ ହୋଇଗଲା। ଯୁବପିଢ଼ି ଏଠାରେ ଅଧିକାଂଶ ସଂଖ୍ୟାରେ ରହିବାକୁ ଆସୁଥିବା ଏଇ କ୍ୟାସେଲ୍‌ର କର୍ମଚାରୀ କହିଛନ୍ତି। କ୍ୟାସେଲ୍‌ର ଶୟନ କକ୍ଷଗୁଡ଼ିକ ସିନେମା ହଲ୍ ସେଟ୍ ପରି ସୁସଜ୍ଜିତ ହୋଇଥିବାବେଳେ କେତୋଟି କକ୍ଷରେ ଗୋପନ ଶିଢ଼ି ମଧ୍ୟ ରହିଛି। ଗ୍ରାହକଙ୍କ ସଂଖ୍ୟା ବଢ଼ିବାରୁ କର୍ତ୍ତୃପକ୍ଷ ମଧ୍ୟ ଭିତର ସାଜସଜ୍ଜାକୁ ‘ଭୂତ ଘର’ ପରି ରୂପ ଦେବାକୁ ଯଥାସାଧ୍ୟ ଚେଷ୍ଟା କରିଛନ୍ତି। ମହାମାରୀ ପରଠାରୁ ଏହି କ୍ୟାସେଲ୍‌କୁ ଗ୍ରାହକ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୨୦ ଫେବୃଆରୀ ବେଳକୁ କ୍ୟାସେଲ୍‌ର ଦିନପିଛା ଭଡ଼ା ୩ ଲକ୍ଷ ୩୦ ହଜାର ଟଙ୍କା ଥିଲା। ବର୍ତ୍ତମାନ କିନ୍ତୁ ଗ୍ରାହକ ଆସୁନଥିବାରୁ କର୍ତ୍ତୃପକ୍ଷ ଦିନ ପିଛା ଭଡ଼ା ହ୍ରାସ କରି ୨ଲକ୍ଷ ଧାର୍ଯ୍ୟ କରିଥିବାର ଜଣାପଡ଼ିଛି।

Comments are closed.