ଶୀତଦିନେ ଗରମପାଣି ଗାଧୁଆ ଆରାମଦାୟକ, ହେଲେ ଶରୀର ପାଇଁ ଖୁବ୍ କ୍ଷତିକାରକ

ସାଧାରଣତଃ ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇବାକୁ ଭଲପାଆନ୍ତି। ଥଣ୍ଡା ପାଗରେ ଗରମ ପାଣିରେ ଗାଧୋଇବାକୁ ଆରାମ ଲାଗେ ସତ ହେଲେ ଖୁବ୍ କମ୍ ଲୋକ ଏ ବିଷୟରେ ଅବଗତ ଯେ ଲଗାତର ଗରମ ପାଣିରେ ଗାଧୋଇବା ଦ୍ବାରା ଆମର ଅନେକ କ୍ଷତି ହୋଇଥାଏ। ଏହାଦ୍ବାରା ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ସୃଷ୍ଟି ହେବା ସହ ତ୍ବଚା ଓ କେଶ ମଧ୍ୟ ଖରାପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ଗରମ ପାଣିରେ ଗାଧୋଇବା ଦ୍ବାରା ଆମର କି କ୍ଷତି ହୋଇଥାଏ –

ତ୍ୱଚା ଆର୍ଦ୍ର ତଥା ଶୁଷ୍କ ହୋଇଥାଏ: ନିୟମିତ ଭାବେ ଗରମପାଣିରେ ଗାଧୋଇଲେ ତ୍ବଚାର ନମନୀୟତା କ୍ଷୟ ହୋଇ ତ୍ୱଚା ଆର୍ଦ୍ର ହୋଇଯାଏ। ବିଶେଷକରି ଯେଉଁମାନଙ୍କର ସମ୍ବେଦନଶୀଳ ତ୍ୱଚା ସେମାନେ ଗରମପାଣିରେ ଗାଧୋଇବା ଉଚିତ ନୁହେଁ।

ସଂକ୍ରମଣ ଭୟ: ଅତ୍ୟଧିକ ଗରମପାଣିରେ ଗାଧୋଇଲେ ଶରୀରରୁ ପ୍ରାକୃତିକ ତୈଳ ଶେଷ ହୋଇଯିବାରୁ ତ୍ବଚା ସଂକ୍ରମଣ ଭୟ ଅଧିକ ରହିଥାଏ।

ପ୍ରଜନନ କ୍ଷମତା ପ୍ରଭାବିତ ହୁଏ: ଏକ ଗବେଷଣାରୁ ଜଣାପଡ଼ିଛି, ନିୟମିତ ଗରମପାଣିରେ ଗାଧୋଇବା ଦ୍ୱାରା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ। ଯେଉଁମାନଙ୍କର ପ୍ରଜନନ ସମ୍ପନ୍ଧୀୟ କିଛି ସମସ୍ୟା ରହିଛି, ସେମାନେ ଗରମ ପାଣିରେ ଗାଧୋଇବା ଆଦୌ ଉଚିତ ନୁହେଁ।

ଆଳସ୍ୟ ଅନୁଭବ: ଗରମ ପାଣିରେ ଗାଧୋଇବା ଦ୍ୱାରା ପ୍ରଥମେ ଶରୀରକୁ ବହୁ ଆରାମ ଅନୁଭବ ହୋଇଥାଏ, କିନ୍ତୁ ପରେ ଆଳସ୍ୟ ଅନୁଭବ ହେବା ସହ ନିଦ ଲାଗିଥାଏ। ମାତ୍ର ଥଣ୍ଡାପାଣିରେ ଗାଧୋଇଲେ ପୂରା ଦିନ ଫୂର୍ତ୍ତି ଅନୁଭବ ହୋଇଥାଏ।

ଚର୍ମ କୁଞ୍ଚନ: ଗରମ ପାଣିରେ ଗାଧୋଇଲେ ବୟସ ପୂର୍ବରୁ ମୁହଁରେ ଚର୍ମ କୁଞ୍ଚନ ବା ବୟସର ଛାପ ଦେଖାଦିଏ।

କେଶ ଝଡ଼ିବା: ଏହା କେଶ ପାଇଁ ବହୁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଗରମ ପାଣିରେ ମୁଣ୍ଡ ଧୋଇଲେ କେଶ ଓ ଏହାର ମୂଳ ଶୁଷ୍କ ହୋଇଯାଏ। ଫଳରେ କେଶ ଝଡ଼ିବା ସହ ଦୋମୁହାଁ କେଶ ସମସ୍ୟା ଦେଖାଦିଏ।

ଆଖି ଉପରେ ପ୍ରଭାବ ପଡ଼େ: ଗରମପାଣି ଦ୍ବାରା ଆଖିର ନମନୀୟତା କ୍ଷୟ ହୋଇଥାଏ। ଏହାଦ୍ୱାରା ଆଖି କୁଣ୍ଡାଇହେବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଅଧିକ ଗରମ କି ଥଣ୍ଡା ପାଣି ବଦଳରେ ସାଧାରଣ ପାଣିରେ ଗାଧାନ୍ତୁ।

Comments are closed.