ଅତ୍ୟଧିକ ଗରମ ଚା’ପିଉଛନ୍ତି କି ? ତେବେ ଏବେଠୁଁ ହୋଇ ଯାଆନ୍ତୁ ସାବଧାନ

ଅନେକ ଲୋକ ଦିନର ଆରମ୍ଭ ଏକ କପ୍ ଗରମ ଚା’ରୁ କରିଥାନ୍ତି । ସକାଳର ଏକ କପ୍ ଗରମ ଚା’ ସାରା ଦିନ ଫୂର୍ତ୍ତି ରଖିବାରେ ସାହାଯ୍ୟ କରେ । କିନ୍ତୁ ଯଦି ଆପଣଙ୍କର ଗରମ ଚା’ ପିଇବାର ଅଭ୍ୟାସ ଥାଏ ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗରମ ଚା’ ଶରୀର ପାଇଁ ହାନିକାରକ। ନିୟମିତ ଗରମ ଚା’ ପିଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ।

ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ମାତ୍ରାରେ ଗରମ ଚା’ ପିଇବା ଦ୍ବାରା ଏସୋଫେଗଲ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହି ରିପୋର୍ଟ ‘ଇଣ୍ଟରନେଶନାଲ ଜର୍ନଲ ଅଫ କ୍ୟାନସର’ରେ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଯେଉଁ ଲୋକ ପ୍ରତିଦିନ ୭୫ ଡିଗ୍ରୀ ସେଲସିୟସ ବା ତା’ ଠାରୁ ଅଧିକ ଗରମ ଚା’ ପିଅନ୍ତି, ତେବେ ସେମାନଙ୍କୁ ଅନ୍ୟ ଲୋକ ତୁଳନାରେ ଏସୋଫେଗଲ କର୍କଟ ରୋଗ ଆଶଙ୍କା ଦୁଇ ଗୁଣ ବଢିଯାଇଥାଏ ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏସୋଫେଗଲ କର୍କଟରୁ ବଞ୍ଚିବାକୁ ଚାହୁଁଥିଲେ ଆପଣଙ୍କୁ ଚା’ ଛାଡିବାକୁ ପଡିବ ନାହିଁ । କିନ୍ତୁ ଚା’ ପ୍ରସ୍ତୁତ ହେବାର ଅତି କମରେ ୪ ମିନିଟ୍ ପରେ ବା ଅଳ୍ପ ଥଣ୍ଡା ହେବା ପରେ ପିଇ ପାରିବେ । ଏପରି କରିବା ଦ୍ବାରା ଏସୋଫେଗଲ କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ ।

Comments are closed.