ଗାଈ ପାଇଁ ହଷ୍ଟେଲ

ଅବକ୍ଷୟ ବେଳେ ସଂରକ୍ଷଣ ଯୋଜନା

ଚିକିଟି(ଅର୍ଜୁନ ପଣ୍ଡା): ଗୋ-ଵଂଶ ଅବକ୍ଷୟବେଳେ ଏମିତି ଏକ ଗାଁ ଅଛି ଯେଉଁଠି ଦେଶୀ ଗାଈ ଓ ବଳଦକୁ ଆଦରର ସହ ପାଳନ କରୁଛନ୍ତି। କେବଳ ସେତିକି ନୁହେଁ ଗ୍ରାମର ସବୁ ପରିବାର ଏହାକୁ ପେଷା ଭାବେ ଗ୍ରହଣ କରିଛନ୍ତି। ଏହାଦ୍ବାରା ଗ୍ରାମର ଶ୍ରୀବୃଦ୍ଧି ସହ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା ହୋଇଛି। ଏମିତି ଏକ ଗୋପାଳନର ଗଁା ହେଉଛି ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ପଞ୍ଚାୟତର ଆମ୍ବଝୁଲା। ଗ୍ରାମରେ ବାସ କରନ୍ତି ୩୦ ଆଦିବାସୀ ପରିବାର। ଜନସଂଖ୍ୟା ପାଖାପାଖି ଦେଢ଼ଶହ। ଗ୍ରାମର ସମସ୍ତଙ୍କୁ ଯୋଗାଇ ଦିଆଯାଇଛି ଇନ୍ଦିରା ଆବାସ ଯୋଜନାରେ ଘର। ଗଁାରେ ଅଛି ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ର। ବିଦ୍ୟାର୍ଥୀ ସଂଖ୍ୟା କମ ହେବାରୁ ଗଁା ସ୍କୁଲକୁ ବନ୍ଦ କରି ନିକଟସ୍ଥ ସ୍କୁଲରେ ସାମିଲ କରି ଦିଆଯାଇଛି। ପ୍ରତି ପରିବାରରେ ରହିଛି ଗୃହପାଳିତ ପଶୁ ଓ ପକ୍ଷୀ। ୧୬ ପରିବାର ଘରେ ଗାଈ ଓ ବଳଦ ପାଳନ କରୁଥିବା ବେଳେ ୩ଟି ପରିବାର ଛେଳି ପାଳନ କରୁଛନ୍ତି ଓ ପ୍ରତି ଘରେ ଦେଶୀ କୁକୁଡ଼ା ପାଳନ କରାଯାଉଛି। ଗୃହପାଳିତ ପଶୁ ଓ ପକ୍ଷୀ ପାଳନ କରିବାରେ ଗ୍ରାମବାସୀଙ୍କ ଆଗ୍ରହ ଦେଖି ବ୍ଲକ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇ ଗ୍ରାମରେ ଆରମ୍ଭ କରିଛନ୍ତି ଆଦର୍ଶ ଗାଈ ଗୁହାଳ ହଷ୍ଟେଲ ଯୋଜନା। ଗୋପାଳନ କରୁଥିବା ୧୬ ପରିବାର ପାଇଁ ମନରେଗା ଯୋଜନାରେ ୧୬ ଟି ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି। ଆଦର୍ଶ ଗୋ-ଶାଳା ପାଇଁ ହିତାଧିକାରୀଙ୍କ ଜାଗା ନଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ମାଗଣାରେ ଜାଗା ଯୋଗାଇ ଦେବା ସହ ମନରେଗାରେ ଆଦର୍ଶ ଗାଈ ଗୁହାଳ ପାଇଁ ୧ ଲକ୍ଷ ୧୩ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହାସହ ଅତିରିକ୍ତ ଗୋଟିଏ ସୋକପିଟ ପାଇଁ ୫୬୦୦ ଟଙ୍କା ଓ ଉନ୍ନତ ମାନର କମ୍ପୋଷ୍ଟ ଖତ କୁଣ୍ଡ ପାଇଁ ୧୪ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର ବୁଢ଼ାବାରିଆ ମଳିକ, ରମେଶ ମଳିକ, ମଙ୍ଗୁଳୁ ମଳିକ, ଜାଡ଼ି ମଳିକ, କୁଶ ମଳିକ, ଦାମ ମଳିକ, ବଡଜାଗିଲି ମଳିକ, ବାସୁ ମଳିକଙ୍କ ଗୋଶାଳା ନିର୍ମାଣ ଚାଲିଛି। ଗଣେଶ ମଳିକ, ସନ୍ତୋଷ ମଳିକ, ଭଗବାନ ମଳିକ, ଦୋରା ମଳିକ, ଭରତ ମଳିକ, ବଡ ଭଗବାନ ମଳିକ, ରଂଜନ ମଳିକ, ଦଣ୍ଡାସୀ ମଳିକ ଗୋ-ଶାଳା ନିର୍ମାଣ ଅପେକ୍ଷାରେ ରହିଛନ୍ତି। ରାଜମିସ୍ତ୍ରୀର ଅଭାବ କାରଣରୁ ଏମାନଙ୍କ ଗୋ-ଶାଳା ନିର୍ମାଣ କାମ ଆରମ୍ଭ ହୋଇନି। ଆଠଟି ଗୋଶାଳା ସମ୍ପୂର୍ଣ୍ଣ ପରେ ଆଉ ଆଠଟି ଗୋଶାଳା ନିର୍ମାଣ ହେବ। ସବୁଠାରୁ ବଡ଼ କଥା ହେଲା ଏହି ଗ୍ରାମରେ ଗାଈ ଗୋରୁଙ୍କୁ
ଦିନରେ ଚରାଇବା ପାଇଁ କେହି ମାହାର ନାହଁାନ୍ତି। ଦିନକୁ ଦୁଇଟି ପରିବାରର ସଦସ୍ୟ ପାଳି କରି ଗୋରୁ ଚରାଉଛନ୍ତି। ଯାହାକି ଆଜିର ଦିନରେ ବିରଳ। ସମଗ୍ର ଗାଁର ଗୃହପାଳିତ ପଶୁ ଗୋଟିଏ କମ୍ପ୍ଲେକ୍ସ ଭିତରେ ରହିବେ ଓ ଗୋ-ମାତା ମଧ୍ୟ ମଣିଷ ପରି ଭଲ ପକ୍କାଘରେ ରହିବେ ଏହା ନିଶ୍ଚିତ ଭାବେ ଏକ ଆଦର୍ଶ ଚିନ୍ତାଧାରା। ଗ୍ରାମର ଗୋପାଳନ ଚାଷୀଙ୍କ ପାଇଁ ଗୋଶାଳା ନିର୍ମାଣ କରାଯାଉଥିବା ବେଳେ ଛେଳି ଚାଷୀ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଅବଶିଷ୍ଟ ୧୧ପରିବାରର ଆର୍ଥିକସ୍ଥିତି ଦୁର୍ବଳ। ଏଣୁ ଗୋପାଳନ ପାଇଁ ଆଗ୍ରହ ଥିଲେ ମଧ୍ୟ ସେମାନେ ଗାଈ କିଣିପାରୁ ନାହାନ୍ତି। ଯଦି ପ୍ରଶାସନ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ ସେମାନେ ମଧ୍ୟ ଗୋପାଳନ କରିଥାଅାନ୍ତେ ବୋଲି ଗ୍ରାମବାସୀ କହିଛନ୍ତି। ବିଡ଼ମ୍ବନାର ବିଷୟ ଏହି ଯେ ଆଠଟି ଗୁହାଳ ନିର୍ମାଣ ସରିବା ଉପରେ; କିନ୍ତୁ ଟଙ୍କାଟିଏ ମଧ୍ୟ ମଜୁରୀ କିମ୍ବା ସାମଗ୍ରୀ ପାଇଁ ମିଳି ନାହିଁ। ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ତଥା ସମାଜସେବୀ ଟୁନା ପ୍ରଧାନ ହିତାଧିକାରୀଙ୍କୁ ସହଯୋଗ କରି କାମ ଆଗେଇ ନେଇଛନ୍ତି। ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ସୁଚିସ୍ମିତା ମିଶ୍ର ପ୍ରତିଦିନ ଗଁା ପରିଦର୍ଶନରେ ଯାଇ କାର୍ଯ୍ୟ ତଦାରଖ କରୁଛନ୍ତି। ଏନେଇ ବିଡ଼ିଓ ଫାଲଗୁନି ମାଝୀ କହିଛନ୍ତି ଯେ ଖୁବଶୀଘ୍ର ସେମାନଙ୍କ ପ୍ରାପ୍ୟ ଦିଆଯିବ। ସେହି କ୍ୟାମ୍ପସ ଭିତରେ ଏକ କମ୍ୟୁନିଟି ଡଗୱେଲ ଖୋଲାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟଯେ ଏହି ବ୍ଲକରେ ମୋଟ ୬୫୨ଟି ଗାଈ ଗୁହାଳ ନିର୍ମାଣ ଲକ୍ଷଧାର୍ଯ୍ୟ ଥିବାବେଳେ ୯୧ଟି ସମ୍ପୂର୍ଣ୍ଣ ହୋଇ ପାରିଛି ଓ ୧୪୨ଟିର ନିର୍ମାଣ କାର୍ଯ୍ୟ ଚାଲିଛି। ଅନେକ ସ୍ଥାନରେ ଆଦର୍ଶ ଗାଈ ଗୁହାଳ ନିର୍ମାଣ ହୋଇଛି।

Comments are closed.