ଜିଲାସ୍ତରୀୟ ଚିକିତ୍ସାଳୟ ଅବହେଳିତ ମାମଲା ,ସରକାର ଦାଖଲ କଲେ ରିପୋର୍ଟ

0

କଟକ: ରାଜ୍ୟର ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟ ଅବସ୍ଥା ବେହାଲ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ହାଇକୋର୍ଟରେ ସରକାର ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିଛନ୍ତି। ଫଳରେ ଜାନୁୟାରୀ ୨୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ଜିଲାସ୍ତରୀୟ ସରକାରୀ ଚିକିତ୍ସାଳୟମାନଙ୍କରେ ମଞ୍ଜୁରପ୍ରାପ୍ତ ଡାକ୍ତର ପଦବି ସଂଖ୍ୟା ପୂରଣ କରାଯାଉନାହି। ଫଳରେ ରୋଗୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦର୍ଶାଇ ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ଚିତ୍ତରଞ୍ଜନ ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ସରକାରୀ ଚିକିତ୍ସାଳୟ ପ୍ରତି ଧ୍ୟାନ ନଦେଇ ବେସରକାରୀ ଚିକିତ୍ସାଳୟକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ସରକାରୀ ଚିକିତ୍ସାଳୟ ଅବସ୍ଥା ସାଘାଂତିକ ଆଡକୁ ଗତି କରୁଥିବା ଆବେଦନକାରୀ ଦର୍ଶାଇଛନ୍ତି। ଜିଲା ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାବେଳେ ସର୍ବାଧିକ ମେଡ଼ିକାଲରେ ପାନୀୟ ଜଳ ସୁବିଧା ନାହି। ରାଜ୍ୟ ସରକାର ଡାକ୍ତରଙ୍କ ମୁହଁ ଦେଖା ବଦଳି କରୁଛନ୍ତି। ଫଳରେ ରୋଗୀ ସେବା ଠିକ ଭାବେ ହେଉନାହି। ଚିକିତ୍ସାଳୟ ବହିର୍ବିଭାଗରେ ପରିଶ୍ରାଗାର ବ୍ୟବସ୍ଥା ନଥିବାବେଳେ ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ନହୋଇ ପଡିରହିଛି। ଚିକିତ୍ସାଳୟ ପରିସରରେ ରୋଗୀଙ୍କ ସଂପର୍କିତଙ୍କ ନିମନ୍ତେ ବିଶ୍ରାମଗାର ନିର୍ମାଣ ପାଇଁ ସାଂସଦ ଓ ଅନ୍ୟାନ୍ୟ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଉବେଳେ ଏହା ଖର୍ଚ୍ଚ ହୋଇନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଏଥିପାଇଁ ବିଚାର ବିଭାଗୀୟ କମିଟି ଗଠନ କରାଯିବା ସହ ଏମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ଧ୍ୟାନ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Leave A Reply