ହୁକ୍କା ନିଶା ହେଲା ଅଡ଼ୁଆ; ୨୪ ଜଣ କରୋନା ପଜିଟିଭ, ଜଣେ ମୃତ

ହରିଆଣାର ଜିନ୍ଦ ଜିଲା ଅନ୍ତର୍ଗତ ସାଦିପୁର ଗାଁରେ ହୁକା ଟାଣିବାକୁ ଯାଇ ଅଡ଼ୁଆରେ ପଡ଼ିଛନ୍ତି କିଛି ବ୍ୟକ୍ତି । ହୁକା ଟାଣିଥିବା ୨୪ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି । ପ୍ରଶାସନ ପକ୍ଷରୁ ଏବେ ପୁରା ଗାଁକୁ ସିଲ୍ କରି ଦିଆଯାଇଛି ଓ ହୁକ୍କା ଟାଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଗତ ଜୁଲାଇ ୮ ତାରିଖରେ ଗାଁର ଜଣେ ଯୁବକ ଗୁୁରୁଗାଓଁ ଯାଇଥିଲା । ସେଠାରୁ ଫେରିବା ପରେ ତାର ପରୀକ୍ଷା କରାଯାଇଥିଲା ଓ ସେ କରୋନା ପଜିଟିଭ୍ ଥିବା ଜଣା ପଡ଼ିଥିଲା । ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ପରେ ଗାଁର ବହୁ ଯୁବକ ତାଙ୍କ ସହ ଏକାଠି ହୁକ୍କା ଟାଣିଥିବା ସୂଚନା ମିଳିଥିଲା ।

ତାଙ୍କ ସାଥୀରେ ହୁକ୍କା ଟାଣିଥିବା ଯୁବକମାନଙ୍କର ଯେତେବେଳେ ପରୀକ୍ଷା କରାଗଲା ସେତେବେଳେ ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଲା । ଏହି ସମୟରେ ହୁକ୍କା ଟାଣିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଗଲା । ଏହାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଥିଲା ।

ଡ଼ାକ୍ତରଙ୍କ ସୂଚନା ଅନୁସାରେ ହୁକ୍କା ପିଇବା ଦ୍ବାରା କରୋନା ଭୂତାଣୁ ସିଧା ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ଓ ସଂକ୍ରମଣ ଗତି ତୀବ୍ର ହୋଇଥାଏ । ଏହି କାରଣରୁ ଗାଁର ୨୪ ଜଣ ଯୁବକଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିଛି । କେବଳ ସଂକ୍ରମିତଙ୍କ ସହ ମିଶି ହୁକା ଟାଣିବା ଯୋଗୁଁ ଏହା ଘଟିଛି । ଏହାପରେ ଗାଁରେ ହୁକା ଟାଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି, ୭୫୦ ମିଟର ପର୍ଯ୍ୟନ୍ତ ସବୁ ଦୋକାନବଜାର ବନ୍ଦ କରିଦିଆଯାଇଛି ଓ ଗାଁକୁ ସିଲ କରି ଦିଆଯାଇଛି ।

Comments are closed.