ମଦ ମୃତ୍ୟୁ ସଂଖ୍ୟା ୮୬​‌​ରେ ପହଞ୍ଚିଲା; ମାଷ୍ଟରମାଇଣ୍ଡ ଥିଲେ ଦୁଇ ମହିଳା

ବଟାଲା:  ପଞ୍ଜାବ ବିଷାକ୍ତ ମଦ୍ୟପାନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି । ଏହି ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ମୁଖ୍ୟ କୁହାଯାଉଥିବା ୪ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଏହି ଦୁଇ ମହିଳା ଦୀର୍ଘଦିନ ଧରି ମଦ ବେପାର କରୁଥିଲେ ଓ ଏହି ମଦମୃତ୍ୟୁ ଘଟଣାରେ ସେମାନଙ୍କୁ ମାଷ୍ଟରମାଇଣ୍ଡ ବୋଲି ପୁଲିସ ମନେ କରୁଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୭ ଜଣ ଅବକାରୀ ଓ ୬ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଇଂରାଜୀ ସମ୍ବାଦପତ୍ର ଟ୍ରିବ୍ୟୁନ​‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଯେଉଁ ୪ ଅଭିଯୁକ୍ତଙ୍କୁ ପୁଲିସ ମୁଖ୍ୟ ବୋଲି ଦର୍ଶାଉଛି ସେମାନଙ୍କ ମଧ୍ୟରେ ତ୍ରିବେଣୀ ଚୌହ୍ବାଣ ଓ ଦର୍ଶନ ରାଶୀ ଓରଫ ଫୌଜା ମଧ୍ୟ ସାମିଲ ଅଛନ୍ତି । ଏହି ଦୁଇ ମହିଳାଙ୍କ ପୁଅମାନଙ୍କୁ ମଧ୍ୟ ଗିରଫ କରାଯାଇଛି । ବଟାଲାର ହାତୀ ଗେଟ୍ ନିକଟରେ ରହୁଥିବା ଜଣେ ଯୁବକଙ୍କ ସୂଚନା ଅନୁସାରେ ଏହି ଦୁଇ ମହିଳା ପୁରା ଘଟଣାର ମୁଖ୍ୟ ଏବଂ ଗତ ୩୦ ବର୍ଷ ଧରି ଏମାନେ ବେଆଇନ ଭାବରେ ମଦ ବିକ୍ରି କରି ଆସୁଛନ୍ତି । ଏପରିକି ପୁଲିସ ଓ ଅବକାରୀ ବିଭାଗ ସହାୟତାରେ ହିଁ ସେମାନେ ମଦ କାରବାର କରୁଥିଲେ ।

ସେହିପରି ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ତ୍ରିବେଣୀ ଚୌହ୍ବାନ ପୁଲିସକୁ ମଧ୍ୟ ଧୋକା ଦେବାକୁ ଚେଷ୍ଟା କରିଥିଲା । ଏପରିକି ନିଜକୁ ନିର୍ଦୋଷ ପ୍ରମାଣ କରିବା ପାଇଁ ତ୍ରିବେଣୀ ଯେଉଁଠି ଲୋକମାନଙ୍କର ମଦ ମୃତ୍ୟୁ ହୋଇଥିଲା ସେଠାକୁ ପୁଲିସକୁ ସାଥୀରେ ନେଇ ଯାଇଥିଲା । ବାସ୍ତବରେ ସେ ପୁଲିସକୁ ଭୂଆଁ ବୁଲାଇବାକୁ ଚାହୁଁଥିଲା । ମାତ୍ର ପୁଲିସ ଅନୁସନ୍ଧାନ ବେଳେ ସେ ହିଁ ମୁଖ୍ୟ ବୋଲି ଜଣାପଡ଼ିଥିଲା । ବର୍ତମାନ ସୁଦ୍ଧା ୮୬ ଜଣଙ୍କ ମୃତ୍ୟୁ ଘଟିଛି ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ପୁଲିସ ଅନୁମାନ କରୁଛି ।

Comments are closed.