ହଂକଂରେ ଉଗ୍ର ହେଲା ଚୀନ ବିରୋଧୀ ବିକ୍ଷୋଭ

ହଂକଂ : ଚୀନ​‌ ଏହା​‌ର କମ୍ୟୁନିଷ୍ଟ ଶାସନର ୭୦ ତମ ବର୍ଷପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ ମଙ୍ଗଳବାର ହଂକଂରେ ସରକାର ବିରୋଧୀ ବିକ୍ଷୋଭ ଉଗ୍ର ହୋଇଛି। ସହରର ଗଣତନ୍ତ୍ର ସମର୍ଥକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ବିକ୍ଷୋଭକାରୀ ପୁଲିସ ଗୁଳିରେ ଆହତ ହୋଇଛନ୍ତି। ହଂକଂ ପୁଲିସ ପ୍ରଥମଥର ଲାଗି ବିକ୍ଷୋଭକାରୀଙ୍କ ଉପରକୁ ସିଧାସଳଖ ଗୁଳିମାଡ଼ କରିଛି। ଆହତଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯିବା ପରେ ଡାକ୍ତରଖାନାକୁ ପଠାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ବରେ ଦେଶବ୍ୟାପୀ ଏହି ବାର୍ଷିକୋତ୍ସବ ବୃହତ ଆକାରରେ ପାଳନ ହେଉଛି; କିନ୍ତୁ ହଂକଂର ସ୍ବତନ୍ତ୍ରତା ଦାବିରେ କିଛି ଗଣତନ୍ତ୍ର ସମର୍ଥକ ଗତ ତିନି ମାସ ହେବ ଏଠାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବାରୁ ଉତ୍ସବ ଅବସରରେ ବିକ୍ଷୋଭ ଦମନ ଲାଗି ପୁଲିସ ପକ୍ଷରୁ ସ୍ଥାନୀୟ ମଲ, ରୋଡ ଓ ପ୍ରମୁଖ ସବୱେଷ୍ଟେସନଗୁଡିକୁ ବନ୍ଦ ରଖାଯାଇଛି। ହଜାର ହଜାର ସଂଖ୍ୟାରେ ଦଙ୍ଗା ନିୟନ୍ତ୍ରଣକାରୀ ବାହିନୀ ମୁତୟନ କରାଯାଇଛି। ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କ ଲାଗି ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିଲା। ଏହା ସତ୍ତ୍ବେ ହଂକଂର ୫ଟି ସ୍ଥାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ପରିବାରର ବୟୋବୃଦ୍ଧ ଓ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ପାଣି ମାଡ କରିଥିଲା।
ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେତେକ ବିକ୍ଷୋଭକାରୀ ଇଟା ଓ ପେଟ୍ରୋଲ ବୋମା ମାଡ଼ କରିଥିଲେ। ହଂକଂକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ଉଲ୍ଲେଖ ଯେ ପଳାତକମାନଙ୍କୁ ହଂକଂର ସ୍ବାଧୀନ ବିଚାରବିଭାଗୀୟ ବ୍ୟବସ୍ଥା ମଧ୍ୟରୁ ଚୀନକୁ ସ୍ଥାନାନ୍ତର ଲାଗି ଉଦ୍ଦି​‌ଷ୍ଟ ଏକ ନୂତନ ବିଧେୟକକୁ ନେଇ ଏହି ବିକ୍ଷୋଭର ସୂତ୍ରପାତ ହୋଇଛି। ଏହାକୁ ନେଇ ଚୀନ ସରକାରଙ୍କ ଉଦାସୀନତା ଏବଂ ବିକ୍ଷୋଭକାରୀଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ କାରଣରୁ ବିକ୍ଷୋଭ ବଡ଼ ଆକାର ଧାରଣ କରିଛି। ହଂକଂ ଉପରେ ଚୀନ ଏହାର ଆଧିପତ୍ୟ ଜାହିର କରିବାକୁ ଚାହୁଁଥିବା ଆଶଙ୍କା କରି ସ୍ଥାନୀୟ ଲୋକେ ଏଠାକାର ନେତାମାନଙ୍କୁ ସିଧାସଳଖ ନିର୍ବାଚିତ କରିବା ଲାଗି ଦୀର୍ଘ ଦିନ ଧରି କରିଆସୁଥିବା ଦାବିକୁ ପୁନଃ ଦୋହରାଇଛନ୍ତି।

Comments are closed.