ରହସ୍ୟମୟୀ ଯୁବତୀଙ୍କ ଜାଲରେ ସେନା କର୍ମଚାରୀ, ଗୁପ୍ତତଥ୍ୟ ପ୍ରଦାନ

ଡିଆରଡିଓ ଗୁପ୍ତତଥ୍ୟ ଚୋରି ଘଟଣା

କଟକ : ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆରଡିଓ)ର ଗୁପ୍ତତଥ୍ୟ ଚୋରି ମାମଲା ଯେତେ ପୁରୁଣା ହେଉଛି,ଘଟଣା ସଂକ୍ରାନ୍ତରେ ସେତିକି ନୂଆ ନୂଆ ତଥ୍ୟ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗୁଛି। ଏହି ଘଟଣାର ମୁଖ୍ୟ ତଥା ରହସ୍ୟମୟୀ ଯୁବତୀଙ୍କର କେବଳ ଓଡ଼ିଶା ସହିତ ଯୋଗାଯୋଗ ନ ଥିଲା, ରାଜସ୍ଥାନ ସହିତ ମଧ୍ୟ ଯୋଗସୂତ୍ର ରହିଥିଲା ବୋଲି ଅପରାଧ ଶାଖାର ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଉକ୍ତ ଯୁବତୀଙ୍କ ମାୟାଜାଲରେ ଡିଆରଡିଓର ୫ଜଣ କର୍ମଚାରୀଙ୍କ ପରି ରାଜସ୍ଥାନ ଯୋଦ୍ଧପୁର ସ୍ଥିତ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀ ପଡ଼ିଥିଲେ। ଫଳରେ ସେ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ରର ଫଟୋ ମହିଳାଙ୍କ ନିକଟକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଘଟଣା ସଂକ୍ରାନ୍ତରେ ୧୫ରେ ରାଜସ୍ଥାନରେ ମାମଲା ରୁଜୁ ହୋଇଥିଲା। ଏ ନେଇ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା ସହ ରାଜସ୍ଥାନ ଅପରାଧ ଅନୁସନ୍ଧାନ ବିଭାଗ(ସିଆଇଡି) ଯୋଗାଯୋଗ କରିଛି। ସେହିପରି ଓଡ଼ିଶାକୁ ୨ଟି କିସ୍ତିରେ ଆସିଥିବା ୩୮ହଜାର ଟଙ୍କାର ଠିକଣା ମିଳିଛି। ଦୁବାଇରୁ ୨୪ ହଜାର ଟଙ୍କା ଆସିଥିଲା। ଲୁଲୁ ଇଣ୍ଟରନ୍ୟାସନାଲ ମନି ଏକ୍ସଚେଞ୍ଜ ସେଣ୍ଟରରୁ ଏହି ଟଙ୍କା ଆସିଥିବା ବେଳେ ବଳକା ୧୪ହଜାର ଟଙ୍କାର ତଥ୍ୟ ଖୋଜାଚାଲିଛି। ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଏତେ ସବୁ ଘଟଣାର ପରେ ବି ସାମାଜିକ ଗଣମାଧ୍ୟମରେ (ଫେସବୁକ୍‍) ରହସ୍ୟମୟୀ ଯୁବତୀଙ୍କ ଆକାଉଣ୍ଟ ଏ ପର୍ଯ୍ୟନ୍ତ ସଚଳ ରହିଥିବା ଏଡିଜି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁପ୍ତତଥ୍ୟ ଚୋରି ଘଟଣାରେ ଓଡ଼ିଶା ପୁଲିସ ଡିଆରଡିଓର ୫ କର୍ମଚାରୀଙ୍କୁ ଗିରଫ କରିଥିଲା। ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ଅଧିକ ତଦନ୍ତ କରାଯିବା ପରେ ରହସ୍ୟମୟୀଙ୍କ ୪ଟି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ସଞ୍ଚାଳନ ହେଉଥିବା ଜଣାପଡ଼ିଥିଲା। ପ୍ରକ୍ସି ଆଇପି ଜରିଆରେ ଉକ୍ତ ଯୁବତୀ ଠିକଣା ଲୁଚାଉଥିଲେ। ଯୁବତୀଙ୍କ ଆକାଉଣ୍ଟ ପାକିସ୍ତାନରୁ ସଞ୍ଚାଳନ ହେଉଥିଲେ ବି ଆମେରିକା, ଜର୍ମାନୀ ଓ ଭାରତର ଆଇପି ଦର୍ଶାଉଥିଲେ।

Comments are closed.