ଅଗଷ୍ଟରୁ ବଢିବ ହୋଣ୍ଡା କାର୍‍ ମୂଲ୍ୟ

ନୂଆଦିଲ୍ଲୀ: ଚଳିତ ସମୟରେ ବିଭିନ୍ନ କଞ୍ଚାମାଲ ଦର ବୃଦ୍ଧି କାରଣରୁ କେତେକ ଯାନବାହନ ଉତ୍ପାଦନ କମ୍ପାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘୋଷଣା କରିସାରିଛନ୍ତି । ଏବେ ସେଥିରେ ଆଉ ଏକ କମ୍ପାନୀ ଯୋଡି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହୋଣ୍ଡା କାର୍‍ଓ ଇଣ୍ଡିଆ ମଧ୍ୟ ତାହାର ସମୁଦାୟ ବର୍ଗର କାର ମୂଲ୍ୟ ବୃଦ୍ଧି ଘଟାଇବ । ଏହି ମୂଲ୍ୟ ବୃଦ୍ଧି ଚଳିତ ବର୍ଷ ଅଗଷ୍ଟରୁ କରାଯିବ ଏବଂ ଏହା ବିଭିନ୍ନ ବର୍ଗ ନିମନ୍ତେ ସର୍ବନିମ୍ନ କେତେରୁ ସର୍ବାଧିକ କେତେ ଟଙ୍କା ହେବ ତାହା ପରବର୍ତ୍ତୀ ସମୟରେ କମ୍ପାନୀ ପକ୍ଷରୁ ଘୋଷଣା କରାଯିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି, ଇସ୍ପାତ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ମୂଲ୍ୟ ଯଥେଷ୍ଟ ବୃଦ୍ଧିପାଇଛି । ସେଥିପାଇଁ ଏହା ନିଜର ଉତ୍ପାଦ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଛି । ହୋଣ୍ଡା କାର୍‍ସ ଇଣ୍ଡିଆ ଲିମିଟେଡର ବିପଣନ ଓ ବିକ୍ରୟ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ରାଜେଶ ଗୋଏଲ କହିଛନ୍ତି, କଞ୍ଚାମାଲଗୁଡିକର ଦର ମାତ୍ରାଧିକ ବୃଦ୍ଧିପାଇଛି । ଏପରିକି ସେଗୁଡିକ ମଧ୍ୟରୁ କିଛିର ମୂଲ୍ୟ ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି । ଏହାଦ୍ୱାରା ଯାନବାହନ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହା କମ୍ପାନୀର ଆର୍ଥିକ ସ୍ଥିତି ଉପରେ ଯଥେଷ୍ଟ ପ୍ରଭାବ ପକାଉଛି । ଏହା ଗ୍ରାହକଙ୍କ ନିକଟରୁ ଏ ବାବଦରେ ଯଥାସମ୍ଭବ କମ୍‍ ଖର୍ଚ୍ଚ ଆଦାୟ କରିବାକୁ ବିଚାର କରୁଛି । ତେବେ ଏହାଦ୍ୱାରା କେତେ ପରିମାଣରେ ଦରବୃଦ୍ଧି କରାଯିବ, ତାହା ସେ ସ୍ପଷ୍ଟ କରିନଥିଲେ । ହୋଣ୍ଡାର ସଂପ୍ରତି ଦେଶରେ ପାଞ୍ଚଟି ମଡେଲ କାର ବିକ୍ରି ହେଉଛି । ସେଗୁଡିକ ମଧ୍ୟରେ ହୋଣ୍ଡା ଆମେଜ, ହୋଣ୍ଡା ସିଟି (୫ମ ପିଢି), ହୋଣ୍ଡା ସିଟି (୪ର୍ଥ ପିଢି), ହୋଣ୍ଡା ଡବ୍ଲୁଆର-ଭି ଏବଂ ହୋଣ୍ଡା ଜାଜ ଅନ୍ତର୍ଭୁକ୍ତ ।

Comments are closed.