କୋଭିଡ-୧୯ ମୃତ୍ୟୁ : ଅନୁକମ୍ପାମୂଳକ ସହାୟତା ଦାବି ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ । ୨୦୨୧ର ରିଟ୍‌ ପିଟିସନ ସଂଖ୍ୟା ୧୮୦୫ରେ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି କରି ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ଆଦେଶ ଦେଇଛନ୍ତି ।

କୋର୍ଟଙ୍କ ଆଦେଶ ଅନୁସାରେ, ୨୦ ମାର୍ଚ୍ଚ ୨୦୨୨ ପୂର୍ବରୁ କୋଭିଡ-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିମନ୍ତେ କ୍ଷତିପୂରଣ ଅର୍ଥରାଶି ପାଇବା ଲାଗି ୨୪ ମାର୍ଚ୍ଚ, ୨୦୨୨ ଠାରୁ ୬୦ ଦିନର ଅତିରିକ୍ତ ବାହ୍ୟ ସମୟସୀମା ଧାର୍ଯ୍ୟ କରାଯାଇଛି ।

ଭବିଷ୍ୟତରେ କୋଭିଡ-୧୯ ମୃତ୍ୟୁ ପାଇଁ କ୍ଷତିପୂରଣ ନିମନ୍ତେ ସମୟସୀମା ମୃତ୍ୟୁ ତାରିଖ ଠାରୁ ୯୦ ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି । କ୍ଷତିପୂରଣ ଦାବିର ଯାଞ୍ଚ ଏବଂ ଅର୍ଥ ପଇଠର ବାସ୍ତବ ଅବଧି ଦାବି ହସ୍ତଗତ ହେବାର ତିରିଶ ଦିନ ମଧ୍ୟରେ କରାଯିବ। ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ଆଦେଶ ଲାଗୁ ହେବ ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଯେ ଅତ୍ୟଧିକ ଜଟିଳ ପରିସ୍ଥିତିରେ ଯେଉଁଠି କୌଣସି ଦାବିଦାର ନିର୍ଦ୍ଧାରିତ ସମୟ-ସୀମା ମଧ୍ୟରେ ଆବେଦନ କରିପାରିବେ ନାହିଁ ସେହି ଦାବିଦାର ଅଭିଯୋଗ ସମାଧାନ ସମିତି ମାଧ୍ୟମରେ ଏପରି କରିପାରିବେ । ଅଭିଯୋଗ ସମାଧାନ ସମିତି ମାମଲା ପରେ ମାମଲା ଆଧାରରେ ଏଭଳି ଦାବି ଉପରେ ବିଚାର କରିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦାବିଦାର ଦାବି କରିପାରୁନଥିବା ଏବଂ ଏହା ତାଙ୍କର ନିୟନ୍ତ୍ରଣ ବାହାରେ ଥିବା ଅଭିଯୋଗ ସମାଧାନ ସମିତି ହୃଦୟଙ୍ଗମ କଲେ, ଏପରି କ୍ଷେତ୍ରରେ ବ୍ୟତିକ୍ରମ ଆଧାରରେ ଦାବି ଉପରେ ବିଚାର କରାଯାଇ ପାରିବ ।

ଏହାବ୍ୟତୀତ, ନ୍ୟାୟାଳୟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ନକଲି ଦାବି ଆଶଙ୍କାକୁ ଯଥାସମ୍ଭବ କମାଇବା ପାଇଁ ୫ ପ୍ରତିଶତ ଦାବି ଆବେଦନକୁ ପ୍ରଥମ ଥର ସାଧାରଣ ଭାବେ ଯାଞ୍ଚ କରାଯିବ। କୌଣସି ବ୍ୟକ୍ତି ନକଲି ଦାବି କରିଥିବା ଧରାପଡ଼ିଲେ, ତାଙ୍କ ବିରୋଧରେ ବିପର୍ଯ୍ୟୟ ପ୍ରଶମନ ଆଇନ, ୨୦୦୫ର ଧାରା ୫୨ ଅଧୀନରେ ବିଚାର କରାଯିବ ଏବଂ ତଦନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ ।

Comments are closed.