ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷା ମଡେଲର ଅଗ୍ରଗତି ଆବଶ୍ୟକ : ପ୍ରଧାନମନ୍ତ୍ରୀ

‘ନୂଆ ଶିକ୍ଷା ନୀତି’ରେ ନୂଆ ପିଢି ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ : ଧର୍ମେନ୍ଦ୍ର ପ୍ରଧାନ

-ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦ୍ଦେଶକ ମାନଙ୍କ ସହ ଆଲୋଚନା
-ଦୀର୍ଘ ୩୪ ବର୍ଷ ପରେ ଅଣାଯାଇଥିବା ଶିକ୍ଷା ନୀତି ନୂଆ ପିଢ଼ିକୁ ନୂଆ ମାର୍ଗ ଦେଖାଇବ
-ଦେଶର ଆବଶ୍ୟକତା ପୂରଣ ସହ ବିଶ୍ୱର ସମାଧାନର ସୂତ୍ର ମଧ୍ୟ ବାହାର କରିବ ନୂଆ ଶିକ୍ଷା ନୀତି
-ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ମହତ୍ୱପୂର୍ଣ୍ଣ ଦିଗ ଦେଖାଇବ

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ନୂଆ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ବୈଷୟିକ ଅନୁଷ୍ଠାନ ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ,, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ନିର୍ଦ୍ଦେଶକ ମାନଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗ ଦେଇ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅବସରରେ ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାର୍ଥୀ ମାନଙ୍କର ଆବଶ୍ୟକତା ଅନୁଯାୟୀ ଶିକ୍ଷାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେଉଥିବା ଶିକ୍ଷା ମଡେଲ୍‍ ଗୁଡିକୁ ଆଗେଇ ନେବାର ଆବଶ୍ୟକତା ରହିଛି। ଶିକ୍ଷାର ଉପଲବ୍ଧି, ସୁଲଭ ମୂଲ୍ୟରେ ଶିକ୍ଷା, ଶିକ୍ଷାରେ ସମାନତା ତଥା ଗୁଣାତ୍ମକ ଶିକ୍ଷା ଯୋଗାଇବା ଭଳି ଶିକ୍ଷା ମଡେଲ ଗୁଡିକର ମୂଳ ମୂଲ୍ୟ ହେବା ଉଚିତ୍‍। କୋଭିଡ୍‍ -୧୯ର ଆହ୍ୱାନ ଗୁଡିକୁ ପୂରଣ କରିବା ଦିଗରେ ଆଇଆଇଏସସି ବାଙ୍ଗାଲୋର, ଆଇଆଇଟି ବମ୍ବେ, ଆଇଆଇଟି ମାଡ୍ରାସ, ଆଇଆଇଟି କାନପୁରର ବୈଷୟିକ ଅନୁଷ୍ଠାନ ଗୁଡିକ ଦ୍ୱାରା ହୋଇଥିବା ଗବେଷଣା ଏବଂ ବିକାଶ(ଆର୍‍ ଏବଂ ଡି) କାର୍ଯ୍ୟ ପ୍ରଶଂସନୀୟ ଏହାସହ ବୈଷୟିକ ସମାଧାନ ଦିଗରେ ଯୁବ ନବସୃଜନଙ୍କ ଉଦ୍ୟମକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି।
ଏହି ଆଲୋଚନାରେ ସାମିଲ ହୋଇ ନୂଆ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ  ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଉପରେ କାର୍ଯ୍ୟ କରିବା ତଥା ଗବେଷଣା ଏବଂ ନୂତନତ୍ୱକୁ ଉତ୍ସାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ଅତ୍ୟନ୍ତ ଗୋରବର ବିଷୟ।

ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂଆ ଶିକ୍ଷା ନୀତି ଦେଶରେ ଉପସ୍ଥାପନ କରାଯାଇଛି। ନୂଆ ଶିକ୍ଷା ନୀତିକୁ କେବଳ ଦେଶରେ ନୁହେଁ ବିଶ୍ୱରେ ମଧ୍ୟ ସ୍ୱୀକୃତି ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ନୂଆ ପିଢି ପାଇଁ ନୂତନ ମାର୍ଗ
ପ୍ରସ୍ତୁତ କରାଯିବ। ଏହି ନୂତନତ୍ୱର ସୁବର୍ଣ୍ଣ ସମୟରେ ନୂଆ ଅନ୍ୱେଷଣ, ନୂଆ ପିଢ଼ିକୁ ନୂଆ ମାର୍ଗ ଦେଖାଇବା ଦେବା ପାଇଁ ଆମର ନୂଆ ଶିକ୍ଷା ନୀତି ଦେଶର ଆବଶ୍ୟକତା ପୂରଣ ସହ ବିଶ୍ୱର ସମାଧାନର ସୂତ୍ର ମଧ୍ୟ ବାହାର କରିବ। ଶିକ୍ଷା କ୍ଷେତ୍ରରେ ଭାରତର ବୈଜ୍ଞାନିକ, ଇନୋଭେଟର, ଗବେଷକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଯେଉଁ ଅପେକ୍ଷା ରହିଛି ତାହାକୁ ମଧ୍ୟ ନୂଆ ଜାତୀୟ ଶିକ୍ଷା ନୀତି ପୂରଣ କରିବ ଏବଂ ଆଜିର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ଦେଶର ନୂଆ ପିଢ଼ିକୁ ଗବେଷଣା, ବିକାଶ, ନବୋନ୍ମେଷକୁ ପୁନଃ ନୂଆ ଦିଶା ଦେଖାଇବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷାନୁଷ୍ଠାନଗୁଡିକର ଦୃଢ ସହଯୋଗରେ ଆମେ ଶିକ୍ଷା ସହ ରୋଜଗାର ବୃଦ୍ଧିର ନୂଆ ବେଞ୍ଚମାର୍କ ସ୍ଥାପନ କରିବୁ ଏବଂ ଏହାକୁ ବିଶ୍ୱମାନର କରିବା ପାଇଁ ନୂତନ ମାନଦଣ୍ଡ ସ୍ଥିର କରିବା ପାଇଁ ଉଦ୍ୟମ କରିବୁ। ଲମ୍ବା ସମୟ ଧରି ଉଚ୍ଚ ଶିକ୍ଷା କ୍ଷେତକ୍ରୁ ସାମାଜିକ ପୁଞ୍ଜିନିବେଶ ଭାବେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଶିକ୍ଷାର ଉପଲବ୍ଧି, ସମାନତା, ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଗଲେ ଏହା ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାଂସ୍କୃତିକ ବିକାଶ, ସାମାଜିକ ଏକତା, ନ୍ୟାୟ ଏବଂ ଉତ୍କର୍ଷକୁ ବଢ଼଼ାଇବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ
କହିଛନ୍ତି।
ସୂଚନାଯୋଗ୍ୟ,​ମନ୍ତ୍ରିମଣ୍ଡଳ ଅଦଳବଦଳର ପ୍ରଥମ ଦିନରୁ ଶିକ୍ଷା ବିଭାଗକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ବୈଷୟିକ ଶିକ୍ଷାନୁଷ୍ଠାନ ଦ୍ୱାରା ନିଆଯାଇଥିବା ଗବେଷଣା ଏବଂ ବିକାଶ ପଦକ୍ଷେପ ସମ୍ପର୍କୀତ ଏକ ‘ଇ-ପୁସ୍ତକ’ ଉନ୍ମୋଚନ କରିଥିଲେ।
ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଏସସି ବାଙ୍ଗାଲୋର ନିର୍ଦ୍ଦେଶକ ପ୍ରଫେସର ଗୋଭିନ୍ଦନ ରଙ୍ଗରାଜନ, ଆଇଆଇଟି ବମ୍ବେର ନିର୍ଦ୍ଦେଶକ ପ୍ରଫେସର ସୁଭାସିସ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ରାମାମୂର୍ତ୍ତୀ, ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର ପ୍ରମୁଖ ଏକ ପ୍ରେଜେନଟେସନ ଉପସ୍ଥାପନ କରିଥିଲେ। ଏହାସହ ୧୦୦ ଅନୁଷ୍ଠାନର ମୁଖ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Comments are closed.