ହୋମ କ୍ବାରେଣ୍ଟାଇନ ପଞ୍ଜିକରଣ କରି ସର୍ବସାଧାରଣ ସ୍ଥାନରେ ବୁଲିବା ଅଭିଯୋଗରେ ୩ଜଣଙ୍କ ନାମରେ ମାମଲା

ଭୁବନେଶ୍ବର : ହୋମ କ୍ବାରେଣ୍ଟାଇନ ନିୟମ ଉଲଘଂନ କରିବା ଅଭିଯୋଗରେ ଶୈଳଶ୍ରୀ ବିହାରର ଦୁଇଜଣ ବ୍ୟକ୍ତିଙ୍କ ନାମରେ ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏଫଆଇଆର ଦାଖଲ କରାଯାଇଛି। ଏହି ଦୁଇଜଣ ବ୍ୟକ୍ତି ବିଦେଶରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ବୋଲି ପଞ୍ଜିକରଣ କରିଥିଲେ କିନ୍ତୁ ସେମାନେ ନିୟମ ଭାଙ୍ଗି ସର୍ବସାଧାରଣଙ୍କ ନିକଟକୁ ଆସିଥିଲେ। ଏହା ସୂଚନା ପାଇବାପରେ ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଆମ୍ବୁଲାନ୍ସରେ ଘରୁ ଉଠାଇ ନେଇଛି। ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ହୋମ କ୍ବାରେଣ୍ଟାଇନ ନିୟମ ଉଲଘଂନ କରିଥିବା ଶୈଳଶ୍ରୀ ବିହାରର ଦୁଇ ବ୍ୟକ୍ତିଙ୍କୁ ନେଇ ସରକାରୀ କ୍ବାରେଣ୍ଟାଇନରେ ରଖିଥିବା ଜଣାପଡିଛି।

ସେହିପରି କଟକରେ ମଧ୍ୟ ଜଣେ ବ୍ୟକ୍ତି ଆମେରିକାରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିଥିବା ପଞ୍ଜିକରଣ କରିଥିଲେ କିନ୍ତୁ ସେ ସରକାରଙ୍କ ପକ୍ଷରୁ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋମ କ୍ବାରେଣ୍ଟାଇନରେ ରହିବା ସମୟରେ ମାନିବାକୁ ଥିବା ନିୟମକୁ ଅମାନ୍ୟ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହୋମ କ୍ବାରେଣ୍ଟାଇନରେ ରହିଥିବା ପଞ୍ଜିକରଣ କରି ମଧ୍ୟ ସହର ମଧ୍ୟରେ ବୁଲୁଥିଲେ ଏବଂ ସର୍ବସାଧାରଣଙ୍କ ନିକଟକୁ ଆସୁଥିଲେ। ଯାହା ଜଣାପଡିବା ପରେ କଟକ ପୁରୀଘାଟ ଥାନାରେ ଉକ୍ତ ବ୍ୟକ୍ତିଙ୍କ ନାମରେ ମାମାଲା ଦାୟର କରାଯାଇଛି। ପୁଲିସ ପକ୍ଷରୁ ଉକ୍ତ ଘଟଣାର ଯାଞ୍ଚ କରାଯାଉଥିବା ବେଳେ ବ୍ୟକ୍ତି ଜଣଙ୍କୁ ଆନୁଷ୍ଠାନିକ କ୍ବାରେଣ୍ଟାଇନକୁ ପଠାଇ ଦିଆଯାଇଛି।

Comments are closed.