ସମସ୍ତ ରାଜ୍ୟର ଆପାତକାଳୀନ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ୧୧ ହଜାର ୯୨ କୋଟି ଟଙ୍କାର ଅନୁମୋଦନ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନାକୁ ଭିତ୍ତି କରି ଶୁକ୍ରବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ଆପାତକାଳୀନ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ୧୧ହଜାର ୯୨ କୋଟି ଟଙ୍କାର ସହାୟତା ଅନୁମୋଦନ କରିଛନ୍ତି। ରାଜ୍ୟ ସରକାରଗୁଡିକର ଆପାତକାଳୀନ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ସହାୟତା ବୃଦ୍ଧି ଉଦ୍ଦେଶ୍ୟରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ଏହି ଆଗୁଆ ଅନୁଦାନ ମଞ୍ଜୁର କରିଛନ୍ତି।

କୋଭିଡ-୧୯ର ମୁକାବିଲା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୧୪ରେ ରାଜ୍ୟ ଆପାତକାଳୀନ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ପ୍ରଦାନ କରିଥିଲେ। କ୍ଵାରେଣ୍ଟାଇନ ସୁବିଧା, ନମୁନା ସଂଗ୍ରହ ଓ ପରୀକ୍ଷା, ଅତିରିକ୍ତ ପରୀକ୍ଷାଗାର ନିର୍ମାଣ, ଚିକିତ୍ସା ସୁରକ୍ଷା ଉପକରଣ, ଥର୍ମାଲ ସ୍କାନର କ୍ରୟ, ବାୟୁ ବିଶୋଧକ ଓ ସରକାରୀ ହସ୍ପିଟାଲର ଆନୁଷଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିଲା।

ଲକଡାଉନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ତଥା ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ଏସଡିଆରଏଫରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ଦେଇଥିଲେ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ମହାମାରୀ ଘୋଷିତ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏହି ସହାୟତା ଯୋଗାଇ ଦେଇଛନ୍ତି।

Comments are closed.