ବିରୋଧୀଙ୍କ ଉପରେ ବର୍ଷିଲେ ଶାହା ; ସିଏଏକୁ ନେଇ ଖୋଲା ବିତର୍କ ପାଇଁ ଆହ୍ବାନ
ରାହୁଲଙ୍କ ସମେତ ବିରୋଧୀ ଦଳ ସିଏଏ ବିଷୟରେ ପଢନ୍ତୁ

ଯୋଧପୁର : ନାଗରିକତା ସଂଶୋଧିତ ଆଇନ ଲାଗୁହେବା ଦ୍ୱାରା ସଂଖ୍ୟାଲଘୁ ମାନଙ୍କର କ୍ଷତି ହେବା ନେଇ ବିରୋଧୀ ଦଳ ଅପପ୍ରଚାର ଚଳାଇଛନ୍ତି । ତେବେ ରାହୁଲ ଗାନ୍ଧୀ ଓ ତାଙ୍କୁ ସମର୍ଥନ କରି ଆନ୍ଦୋଳନ ଚଳାଇଥିବା ବିରୋଧୀ ଦଳ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବର୍ଷିଛନ୍ତି । ଶ୍ରୀ ଶାହା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳ ଗୁଡିକୁ ଖୋଲାଖୋଲି ଆହ୍ୱାନ ଦେଇ ସେ କହିଛନ୍ତି, ଏହି ଆଇନ ଲାଗୁହେବା ଦ୍ୱାରା ସଂଖ୍ୟାଲଘୁ ମାନଙ୍କର କ୍ଷତି ହେବା ନେଇ କୌଣସିଠାରେ ଉଲ୍ଲେଖ ନାହିଁ । ତେବେ ଯଦି କୌଣସି ଧାରାରେ ଏହା ଉଲ୍ଲେଖ କରାଯାଇଛି ତାହା ସେମାନେ ପ୍ରମାଣିତ କରି ଦେଖାନ୍ତୁ।
ରାହୁଲ ଗାନ୍ଧୀ ଭଲ ଭାବେ ସିଏଏକୁ ପଢନ୍ତୁୁ । ଯଦି ପଢିଛନ୍ତି ତେବେ ତାଙ୍କ ସହ ଖୋଲା ବିତର୍କରେ ଅଂଶ ଗ୍ରହଣ କରି ନିଜ ମତ ରଖନ୍ତୁ । ଯଦି ପଢି ନାହାନ୍ତି ତେବେ ଏହାକୁ ଇଟାଲୀ ଭାଷାରେ ଅଦନୁବାଦ କରି ରାହୁଲଙ୍କ ପାଖକୁ ପଠାଇଦେବେ ବୋଲି ଶାହା କହିଛନ୍ତି।
ରାଜସ୍ଥାନର ଯୋଧପୁରରେ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ନାଗରିକତା ସଂଶୋଧିତ ଆଇନ ସପକ୍ଷରେ ଆୟୋଜିତ ରାଲିରେ ଉଦବୋଧନ ଦେଇ ଏହା କହିଛନ୍ତି । କଂଗ୍ରେସ, ଟିଏମସିର ମମତା ଦିଦି,ଏସପି, ବିଏସପି ଏବଂ କେଜରିୱାଲଙ୍କୁ କଟୁ ସମାଲୋଚନା କରି ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ସେମାନେ ପ୍ରମାଣିତ କରନ୍ତୁ ଯେ, ସିଏଏ ଦ୍ୱାରା ସଂଖ୍ୟାଲଘୁଙ୍କର କ୍ଷତି ହେବ।
ସେ କହିଛନ୍ତି ସବୁ ଦଳ ପଛେ ଏକାଠିି ହୋଇଯାଆନ୍ତୁ, କିନ୍ତୁ ବିଜେପି ସିଏଏକୁ ନେଇ ଇଞ୍ଚେ ମଧ୍ୟ ପଛକୁ ଘୁଞ୍ଚିବ ନାହିଁ । ଯେତେ ଭ୍ରମ ସୃଷ୍ଟି କଲେ ମଧ୍ୟ ବିଜେପି ଏହି ଆଇନ ଲାଗୁ କରିବା ନେଇ ଆଦୌ ପଛକୁ ହଟିବ ନାହିଁ ବୋଲି ଶାହା କହିଛନ୍ତି।
ଏହି ଅବସରେ ଅମିତ ଶାହା ନାଗରିକତା ସଂଶୋଧିତ ଆଇନକୁ ସମର୍ଥନ ଜଣାଇ ଟୋଲ୍ ଫ୍ରି ନମ୍ବର ୮୮୬୬୨୮୮୬୬୨ରେ ମିସଡ କଲ୍ କରିବାକୁ ଅନୁରୋଧ କରିଛନ୍ତି ।