ଘରମୁହାଁ ପ୍ରବାସୀ

୭ଟି ଭେଷଜ ମହାବିଦ୍ୟାଳୟକୁ ଜିଲା ଦାୟିତ୍ବ, -୬୨% ଆଇସିୟୁରେ ରୋଗୀ

ଭୁବନେଶ୍ୱର : କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା, ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା (ଆଇସିୟୁ)ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ୭ଟି ମେଡ଼ିକାଲ କଲେଜକୁ ଜିଲା ଦାୟିତ୍ବ ଦିଆଯାଇଛି। ବିଭିନ୍ନ ଜିଲାକୁ ମେଡ଼ିକାଲ କଲେଜ ସହିତ ଯୋଡ଼ାଯାଇଛି।
ଏଥିପାଇଁ ରାଜ୍ୟ ତଥା ମେଡ଼ିକାଲ କଲେଜ ସ୍ତରରେ ବି‌େ‌ଶଷଜ୍ଞ ଦଳ ଗଠନ କରାଯାଇଛି। ସେମାନେ କୋଭିଡ଼ ଚିକିତ୍ସା ସୁବିଧା ଅନୁଧ୍ୟାନ କରିବା ସହିତ ରୋଗୀଙ୍କ ଚିକିତ୍ସା ପରିଚାଳନା ବ୍ୟବସ୍ଥାର ତଦାରଖ କରିବେ।
ରାଜ୍ୟସ୍ତରୀୟ ଦଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ(ଜନସ୍ବାସ୍ଥ୍ୟ) ଅଧ୍ୟକ୍ଷ ଥିବାବେଳେ ଫୁସଫୁସ ରୋଗ (ପଲମୋନାରୀ), ଅଣୁଜୀବ ବିଜ୍ଞାନ (ମାଇକ୍ରୋବାଇଓଲୋଜି) ଏବଂ ନିଶ୍ଚେତକ ବିଭାଗ ପ୍ରଫେସର ସଦସ୍ୟ ଅଛନ୍ତି। ସେହିପରି ମେଡ଼ିକାଲ କଲେଜ ସ୍ତରରେ ଗଠିତ ଦଳରେ ପୁଲମୋନାରୀ, ମାଇକ୍ରୋବାଇଓଲୋଜି ଓ ନିଶ୍ଚେତକ ବିଭାଗର ଅଧ୍ୟାପକ ସଦସ୍ୟ ଅଛନ୍ତି।
ମେଡ଼ିକାଲ କଳେଜ ଅଧୀକ୍ଷକଙ୍କ ପରାମର୍ଶ କ୍ରମେ ବିଭିନ୍ନ ମେଡ଼ିକାଲ କଲେଜର ଡ଼ିନ ବା ଅଧ୍ୟକ୍ଷଙ୍କ ଦ୍ବାରା ମେଡ଼ିକାଲ କଲେଜ ସ୍ତରୀୟ ଦଳ ଗଠନ କରାଯିବ ଏବଂ ଉକ୍ତ ଦଳ ସେମାନଙ୍କ ମେଡ଼ିକାଲ କଲେଜ ସହିତ ଯୋଡ଼ାଯାଇଥିବା କୋଭିଡ଼ ଡାକ୍ତରଖାନାଗୁଡ଼ିକ ତଦାରଖ କରିବେ।
ଏହି ଦଳ ପୃଥକବାସ, ସଙ୍ଗରୋଧ, ନମୁନା ସଂଗ୍ରହ, କୋଭିଡ଼ ସଂକ୍ରମିତଙ୍କୁ ଚିକିତ୍ସା, ଗୁରୁତର ରୋଗୀ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଯୋଗାଇବା ବ୍ୟବସ୍ଥା, ବର୍ଜ୍ୟ ନିଷ୍କାସନ, ସଂକ୍ରମଣ ନିୟନ୍ତ୍ରଣ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ)ର ବ୍ୟବହାର ବ୍ୟବସ୍ଥାର ତନ୍ନତନ୍ନ ତଦାରଖ କରିବେ। ଏହି ଦଳରେ ଥିବା ସଦସ୍ୟ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ ସହିତ ଉପକରଣ, ଅମ୍ଳଜାନ, ଔଷଧ ଆଦି ଗୁଣାତ୍ମକ ମାନର କି ନା ତାହା ମଧ୍ୟ ତନଖି କରିବେ।
ବିଭିନ୍ନ କୋଭିଡ଼ ଚିକିତ୍ସା କେନ୍ଦ୍ର ପରିଦର୍ଶନ କାଳରେ ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସାରେ କେତେଦୂର ସନ୍ତୁଷ୍ଟ ତାହା ପଚାରି ବୁଝିବେ। ସଦସ୍ୟମାନେ ଡାକ୍ତରଖାନାର ଅଧିକାରୀ ଓ ଡ଼ାକ୍ତରଙ୍କ ସହିତ ଆଲୋଚନା କରି ଆବଶ୍ୟକ ସ୍ଥଳେ ବ୍ୟବସ୍ଥାରେ ପରିବର୍ତ୍ତନ ବିଷୟରେ ପରାମର୍ଶ ଦେବେ। ଭେଷଜ ମହାବିଦ୍ୟାଳୟର ଡିନ ଓ ଅଧ୍ୟକ୍ଷଙ୍କ ମାଧ୍ୟମରେ ଏହି ବି‌େ‌ଶଷଜ୍ଞ ଦଳ ଭେଷଜ ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମଇଟି)ଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ନୂଆ ବ୍ୟବସ୍ଥା ଅନୁସାରେ କଟକର ବଡ଼ ଡାକ୍ତରଖାନା(ଏସସିବି ) ସହିତ କଟକ, ଢ଼େଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀକୁ ଯୋଡ଼ାଯାଇଥିବାବେଳେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ ସହିତ ବୌଦ୍ଧ, ଗଞ୍ଜାମ, ଗଜପତି, କନ୍ଧମାଳ, ବୁର୍ଲାସ୍ଥିତ ଭିମସାର ସହିତ ଅନୁଗୋଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା, ପଣ୍ଡିତ ରଘୁନାଥମୁର୍ମୁ ମେଡିକାଲ କଲେଜ, ଓ ହସ୍ପିଟାଲ, ବାରିପଦା ସହିତ କେନ୍ଦୁଝର ଓ ମୟୂରଭଞ୍ଜ, ଫକିରମୋହନ ମେଡ଼ିକାଲ କଲେଜ ସହିତ ବାଲେଶ୍ବର ଓ ଭଦ୍ରକ, ବଲାଙ୍ଗୀର ମେଡ଼ିକାଲ କଲେଜ ସହିତ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ସୋନପୁର ଜିଲାକୁ ଯୋଡ଼ାଯାଇଛି।
ମେଡ଼ିକାଲ କଲେଜ ସ୍ତରୀୟ ଟିମର ମତାମତ ଆଧାରରେ ରାଜ୍ୟସ୍ତରୀୟ ଦଳ ଅନୁଧ୍ୟାନ କରିବା ପରେ କୋଭିଡ଼ ଡାକ୍ତରଖାନା ତଦାରଖ କରିବେ। ଡାକ୍ତରଖାନାର ଅଧୀକ୍ଷକଙ୍କ ଦ୍ବାରା ବି‌େ‌ଶଷଜ୍ଞ ଦଳର ଯାତ୍ରା ବ୍ୟବସ୍ଥା କରାଯିବ ଏବଂ ଜନସ୍ବାସ୍ଥ୍ୟ ମୁକାବିଲା ପାଣ୍ଠିରୁ ଅର୍ଥ ଭରଣା କରାଯିବ। ଏଥିନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର ଏକ ନିର୍ଦେଶନାମା ଜାରି କରିଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ଅଧିକ ଶଯ୍ୟା ବଢ଼ାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏବେବି ରାଜ୍ୟରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ମାତ୍ର ୩୦% ରୋଗୀ ଅଛନ୍ତି। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ୭୦% ଶଯ୍ୟା ଖାଲି ପଡ଼ିଛି। ତେବେ ଆଇସିୟୁରେ ୨୮ ପ୍ରତିଶତ ଶଯ୍ୟା ଖାଲି ପଡ଼ିଛି।
ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ତ୍ତମାନ ଆମ ପାଖରେ ଏବେ ଯେତିକି ସାଧାରଣ ଶଯ୍ୟା ଅଛି ସେଥିରୁ ମାତ୍ର ୩୦.୮୬ ପ୍ରତିଶତରେ ରୋଗୀ ଅଛନ୍ତି। ସେହିଭଳି ଆଇସିୟୁରେ ଯେତିକି ଶଯ୍ୟା ଅଛି ସେଥିରୁ ୬୨.୦୩% ରୋଗୀ ଅଛନ୍ତି। ବାକି ୩୭% ଆଇସିୟୁ ଶଯ୍ୟା ଖାଲି ପଡ଼ିଛି। ସେହିପରି ୨୭୯ଟି ଭେଣ୍ଟିଲେଟର ଶଯ୍ୟା ଥିବା ବେଳେ ମାତ୍ର ୪୬ଟିରେ ରୋଗୀ ଅଛନ୍ତି। ଗତକାଲି ସୁଦ୍ଧା ଆଇସିୟୁରେ ୬୧୧ ଶଯ୍ୟା ଥିବାବେଳେ ୩୭୯ଟି ଶଯ୍ୟାରେ ରୋଗୀ ଥିଲେ।
କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି। ଶନିବାରଠାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ପୁଲିସ ଅମାନିଆଙ୍କଠାରୁ ଜୋରିମାନା ଆଦାୟ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରେ ଆଗାମୀ ଦିନରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭୟ ଦେଖିବାକୁ ମିଳିଛି। ଯାହାଫଳରେ ଲୋକମାନେ ପୁନଃ ଘରମୁହାଁ ହେଲେଣି। ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଛାତ୍ର ଓ ଛାତ୍ରୀ ନିବାସ ସୋମବାରଠାରୁ ବନ୍ଦ ହୋଇଯିବ। ଫଳରେ ଭୁବନେଶ୍ବର ମୁଖ୍ୟ ରେଳ ରହଣିସ୍ଥଳରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବଢୁଥିବା ଗହଳିକୁ ଦୃଷ୍ଟିରେ ରଖି ରେଳ ରହଣିସ୍ଥଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବି‌ଶେଷକରି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ରାତି ୯ଟାରୁ ଭୋର ୫ଟା ଯାଏ ସାନ୍ଧ୍ୟ ଆଇନ ଲାଗୁ ହୋଇଛି। ଗୋଟିଏ ପଟରେ କରେନା ସଂକ୍ରମଣ ବଢୁଥିବାବେଳେ ଅନ୍ୟ ପଟରେ ସେହି ତୁଳନାରେ ଯାତ୍ରୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୨୦ ଯୋଡ଼ା ଟ୍ରେନ୍‌ ଚଳାଚଳ ହେଉଥିବା ବେଳେ ପାଖାପାଖି ୪୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା, କରୋନା କଟକଣା ପାଳନ, େରଳ ରହଣି ସ୍ଥଳ ପରିସରକୁ ନିୟମିତ ବିଶୋଧନ, ସମସ୍ତଙ୍କ ପାଇଁ ମୁଖା ବାଧ୍ୟତାମୂଳକ କରାଯାଇଥିବା ନିର୍ଦେଶକ ଚିତ୍ତରଞ୍ଜନ ନାୟକ ପ୍ରତିକ୍ରିୟା ରଖିଛନ୍ତି। ଏଥି ସହ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.