ପ୍ରଥମ ଟେଷ୍ଟ : ହୋଲଡର ଓ ଗ୍ରାବିଏଲଙ୍କ ଘାତକ ବୋଲିଂ

ଇଂଲଣ୍ଡର ପ୍ରଥମ ଇନିଂସ ୨୦୪ରେ ସୀମିତ

ସାଉଥମ୍ପଟନ : ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ଜାସନ୍ ହୋଲଡର ଓ ଫାଷ୍ଟ ବୋଲର ସାନନ୍ ଗ୍ରାବିଏଲଙ୍କ ଘାତକ ବୋଲିଂ ବଳରେ ଘରୋଇ ଇଂଲଣ୍ଡ ରୋଜବାୱଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୦୪ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍‌ ଷ୍ଟୋକ୍‌ସ ସର୍ବାଧିକ ରନ କରିଥିବାବେଳେ ହୋଲଡର ୬ଟି ଓ ଗ୍ରାବିଏଲ ୪ଟି ୱିକେଟ ନେଇଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍‌ ୧୯.୩ ଓଭରରେ ୧ ୱିକେଟ୍ ହରାଇ ୫୭ ରନ୍ ସଂଗ୍ରହ କରିଛି। ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନ ଖେଳ ବନ୍ଦ ରହିଥିଲା। ଦଳ ତରଫରୁ କ୍ୟାମ୍ପବେଲ୍‌ ୩ଟି ଚୌକା ସହାୟତାରେ ୨୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବ୍ରାଥୱେଟ୍‌ ୨୦ ଓ ସାଇ ହୋପ୍‌ ୩ ରନ୍‌ କରି ଅପରାଜିତ ରହିଛନ୍ତି।
ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଅସମାପ୍ତ ୩୫/୧ରୁ ଇଂଲଣ୍ଡ ଗୁରୁବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ବର୍ନସ ୨୦ ଓ ଡେନ୍‌ଲି ୧୪ରନରୁ ଖେଳ ଆରମ୍ଭ କରିଥିଲେ। ଉଭୟ ସତର୍କତାର ସହିତ ଇନିଂସକୁ ଆଗକୁ ବଢାଇଥିଲେ। ଦ୍ବିତୀୟ ୱିକେଟ ଯୋଡ଼ିରେ ସେମାନେ ୪୭ରନ ଯୋଗ କରିଥିଲେ। ଦଳୀୟ ସ୍କୋର ୪୮ରନ ଥିବାବେଳେ ଡେନ୍‌ଲି ୪ଟି ଚୌକା ସହ ୧୮ରନ କରି ଗ୍ରାବିଏଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଇଂଲଣ୍ଡ ୩ରନ ବ୍ୟବଧାନରେ ତୃତୀୟ ୱିକେଟ ହରାଇଥିଲା। ସ୍କୋର ୫୧ରନ ଥିବାବେଳେ ବର୍ନସ ୩୦ରନ କରି ଗ୍ରାବିଏଲଙ୍କ ତୃତୀୟ ଶିକାର ହୋଇଥିଲେ।
ଚତୁର୍ଥ ୱିକେଟରେ ଅଧିନାୟକ ବେନ୍ ଷ୍ଟୋକ୍‌ସ ଓ ​‌କାରୱେଲ ୨୦ରନ ଯୋଗ କରିଥିଲେ। ସ୍କୋର ୭୧ରନ ଥିବାବେଳେ କାରୱେଲ ୧୦ରନ କରି ଅଧିନାୟକ ଜାସନ୍‌ ହୋଲଡରଙ୍କ ବଲରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇଥିଲେ। ଅଧିନାୟକ ଷ୍ଟୋକ୍‌ସଙ୍କ ସହ ପଞ୍ଚମ ୱିକେଟରେ ସାଥ୍‌ ଦେଇଥିଲେ ପେପେ। ଉଭୟ ପଞ୍ଚମ ୱିକେଟରେ ୧୬ରନ ଯୋଗ କରି ଦଳୀୟ ସ୍କୋରକୁ ୮୭ରେ ପହଞ୍ଚାଇଥିଲେ। ପେପେ୍‌ ୧୨ରନ କରି ହୋଲଡରଙ୍କ ବଲରେ ଡାରୱିଚ୍‌ଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଷଷ୍ଠ ୱିକେଟରେ ଷ୍ଟୋକ୍‌ସ ଓ ଜୋସ୍‌ ବଟ୍‌ଲର ସତର୍କତାର ସହିତ ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମଧ୍ୟାହ୍ନବିରତି ପର୍ଯ୍ୟନ୍ତ ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ମଧ୍ୟାହ୍ନବିରତି ସୁଦ୍ଧା ଇଂଲଣ୍ଡ ୫ ୱିକେଟ ବିନିମୟରେ ୧୦୬ରନ କରିଥିଲେ। ମଧ୍ୟାହ୍ନବିରତି ପରେ ଷ୍ଟୋକ୍‌ସ ଓ ବଟ୍‌ଲର ସତର୍କତାର ସହିତ ରନ୍‌ କରି ଚାଲିଥିଲେ। ଉଭୟ ଷଷ୍ଠ ୱିକେଟ ଯୋଡ଼ିରେ ୬୭ରନ କରିଥିଲେ। ସ୍କୋର ୧୫୪ରନ ଥିବାବେଳେ ଷ୍ଟୋକ୍‌ସ ୯୭ଟି ବଲର ସମ୍ମୁଖୀନ ହୋଇ ୭ଟି ଚୌକା ସହାୟତାରେ ୪୩ରନ କରି ହୋଲଡରଙ୍କ ବଲରେ ଡାରୱିଚ୍‌ଙ୍କ ଦ୍ବାରା କ୍ୟାଚ୍‌ଆଉଟ୍‌ ହୋଇଥିଲେ । ଷ୍ଟୋକ୍‌ସଙ୍କ ୱିକେଟ ପତନ ପରେ ଇଂଲଣ୍ଡର ଶେଷ ଅର୍ଡର ବ୍ୟାଟ୍ସମ୍ୟାନ ୱିକେଟରେ ବେଶି ସମୟ ତିଷ୍ଠି ରହିପାରିନଥିଲେ। ଦଳୀୟ ସ୍କୋର ୧୫୭ରନ ଥିବାବେଳେ ଇଂଲଣ୍ଡ ସପ୍ତମ ଓ ଅଷ୍ଟମ ୱିକେଟ ହରାଇଥିଲା। ବଟ୍‌ଲର ୩୫ ରନ ଓ ଜେଫ୍ରା ଆର୍ଚର ବିନା ରନ୍‌ରେ ଆଉଟ୍‌ ହୋଇଥିଲେ। ବଟ୍‌ଲର ଓ ଆର୍ଚରଙ୍କୁ ହୋଲଡର ଆଉଟ୍‌ କରିଥିଲେ। ନବମ ୱିକେଟ ଯୋଡ଼ିରେ ବେସ୍‌ ଓ ମାର୍କ ଉଡ୍‌ ଦଳୀୟ ସ୍କୋରକୁ ୧୭୪ରନରେ ପହଞ୍ଚାଇଥିଲେ। ଉଡ୍‌ ୫ରନ କରି ହୋଲଡରଙ୍କ ବଲରେ ୱିକେଟକିପର ହୋପ୍‌ଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅଧିନାୟକ ହୋଲଡର ୬ଟି ୱିକେଟ ଓ ସାନନ୍ ଗ୍ରାବିଏଲ ୪ଟି ୱିକେଟ ନେଇଥିଲେ।

Comments are closed.