ହୋଡିଂ ଲାଇସେନ୍ସ ଫି’ ଛାଡ ପାଇଁ ନିବେଦନ

କରୋନା ଯୋଗୁ ପ୍ରଭାବିତ ଆଉଟଡୋର ହୋଡିଂ ଶିଳ୍ପ

ଭୁବନେଶ୍ୱର : ଦୀର୍ଘ ୧୩ ମାସ ହେବ ଓଡିଶାରେ ବିଭିନ୍ନ ବିପର୍ଯ୍ୟୟ କାରଣରୁ ଆଉଟଡୋର୍ ବିଜ୍ଞାପନ ଶିଳ୍ପ ପ୍ରଭାବିତ ହୋଇଛି। ଗତବର୍ଷ ଫନି ବାତ୍ୟା ପରଠାରୁ ବିଭିନ୍ନ ସମୟରେ ଘୁର୍ଣ୍ଣିଝଡର ପ୍ରଭାବ ଯୋଗୁଁ ହୋଡିଂ ଶିଳ୍ପ ପ୍ରଭାବିତ ହୋଇଥିଲା। ସେହି ସମୟରେ ସରକାରଙ୍କୁ ସହାୟତା ପାଇଁ ଅନୁେରାଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏତାଦୃଶ ବିପତ୍ତିରୁ ମୁକ୍ତି ମିଳି ନଥିବା ବେଳେକରୋନା ମହାମାରୀବ୍ୟାପିବା ଯୋଗୁଁ ସରକାର ଏହାକୁ ପ୍ରତିହତ କରିବା ପାଇଁ ଚଳିତ ମାର୍ଚ୍ଚ ମାସରୁ ଲକଡାଉନ୍ ସଓ ସଟଡାଉନ୍ ଲାଗୁକଲେ। ଫଳରେ ବିଜ୍ଞାପନ ଦାତାମାନେ ଚାଲିଥିବା ବିଜ୍ଞାପନକୁ ପ୍ରତ୍ୟାହାର କରିନେଲେ। ଆର୍ଥିକ ସଙ୍କଟ ଯୋଗୁଁ ବିଜ୍ଞାପନଦାତାମାନେ ହୋଡିଂରେ ବିଜ୍ଞାପନ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରୁନାହାନ୍ତି ଫଳରେ ଶତ ପ୍ରତିଶତ ହୋଡିଂ ସମ୍ପୂର୍ଣ୍ଣ ଫାଙ୍କା ପଡିଛି ବୋଲି ଆଉଟଡୋର ଆଡ ଏଜେନ୍ସି ଆସୋସିଏସନ ଅଫ ଓଡିଶା ପକ୍ଷରୁ କୁହାଯାଇଛି।
ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସୁଜିତ ସାହୁ ଓ ସାଧାରଣ ସମ୍ପାଦକ ସୁରେଶ ବିଶ୍ବାଳ ସୂଚନା ଦେଇ କହିଛନ୍ତି ଯେ ଟଙ୍କାଟିଏ ଆୟ ନ ଥିଲା ବେଳେ ଖର୍ଚ୍ଚର ମାତ୍ରା କମୁ ନାହିଁ। କର୍ମଚାରୀଙ୍କ ଦରମା, ବିଦ୍ୟୁତ ଦେୟ, ଘର ଭଡା ଆଦି ଖର୍ଚ୍ଚ ହୋଡିଂ ମାଲିକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଶିଳ୍ପ ଉପରେ ପ୍ରାୟ ୧୫ ହଜାର ପରିବାର ସିଧାସଳଖ ନିର୍ଭରଶୀଳ ଥିବାବେଳେ ପ୍ରାୟ ଦେଢ ଲକ୍ଷ ପରିବାର ପରୋକ୍ଷ ଭାବେ ନିର୍ଭର କରିଥାନ୍ତି। ନିକଟରେ ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଡିଂ ମରାମତି କରାଯିବା ସମ୍ଭବପର ହେଉନାହିଁ। ଏପରି ସଙ୍କଟରୁ ମୁକ୍ତ କରିବା ପାଇଁ ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀ, ମାନ୍ୟବର ରେଳବାଇ ମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା। ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୌର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଗୃହ ଏବଂ ପୌର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପତ୍ର ମାଧ୍ୟମରେ ଆର୍ଥିକ ସହାୟତା ପାଇଁ ନିବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ କିଞ୍ଚିତ୍ ସାହାଯ୍ୟ ଘୋଷଣା କରାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ।  ଏଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ଫଣି ବାତ୍ୟାରେ କ୍ଷୟକ୍ଷତି ଭରଣା ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷର ୬ ମାସର ହୋଡିଂ ଟିକସ ଛାଡ ପାଇଁ  ନିବେଦନ କରାଯାଇଥିଲା। କିନ୍ତୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ଅଦ୍ୟାବଧି ମିଳିପାରିନାହିଁ। ସାମ୍ପ୍ରତିକ ପରିସ୍ଥିତି ତଥା କୋଭିଡ୍-୧୯ ଏବଂ ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତି ଭରଣା ନିମନ୍ତେ ୨୦୨୦-୨୧ ଆର୍ଥିକକ ବର୍ଷର ହୋଡିଂ ଟିକସ ସମ୍ପୂର୍ଣ୍ଣ ଛାଡ କରିବା ନିମନ୍ତେ ଆସୋସିଏସନ୍ ନିବେଦନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଯଜ୍ଞାଶିଷ ମହାପାତ୍ର, ସହ ସମ୍ପାଦକ ସନତ ମହାନ୍ତି, କୋଷାଧ୍ୟକ୍ଷ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.