ପୁରୁଷ ହକିରେ ଭାରତର କ୍ରମାଗତ ତୃତୀୟ ବିଜୟ

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡାର ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ପୁଲ-ଏ’ର ଏହି ମ୍ୟାଚରେ ଭାରତ ୮-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ତିନିଟି ମ୍ୟାଚରୁ ୯ ପଏଣ୍ଟ ପାଇ ଗ୍ରୁପ୍‍ ଶୀର୍ଷରେ ରହିଛି। ଆସନ୍ତା ୨୬ରେ ଭାରତ ତାହାର ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ।
ଭାରତ ଏହି ମ୍ୟାଚ ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ କ୍ୱାର୍ଟରର ୭ ମିନିଟରେ ଏସ.ଭି.ସୁନିଲ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ପରବର୍ତ୍ତୀ ମିନିଟରେ ଲଳିତ ଉପାଧ୍ୟାୟ ଓ ଆକାଶଦୀପ ସିଂହଙ୍କ ସଟ୍‍କୁ ଜାପାନ ଗୋଲରକ୍ଷକ ଅଟକାଇଥିଲେ। ୧୨ ମିନିଟରେ ଦିଲପ୍ରୀତ ସିଂହ ଗୋଲ ସ୍କୋର କରି ଏହି ବ୍ୟବଧାନ ୨-୦କୁ ବୃଦ୍ଧି କରିଥିଲେ। ୧୪ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଅମିତ ରୋହିଦାସଙ୍କ ସଟ୍‍କୁ ଜାପାନ ଗୋଲରକ୍ଷକ ଅଟକାଇବା ଫଳରେ ଏହି ସୁଯୋଗ ହାତଛଡା ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରର ୧୭ ମିନିଟରେ ମିଳିଥିବା ଦ୍ୱିତୀୟ ପେନାଲଟି କର୍ଣ୍ଣରକୁ ରୂପିନ୍ଦର ଗୋଲରେ ପରିବର୍ତ୍ତନ କରିବା ଦ୍ୱାରା ଭାରତ ୩-୦ରେ ଆଗୁଆ ରହିଥିଲା। ଏହି କ୍ୱାର୍ଟରରେ ଭାରତୀୟ ଖେଳାଳିଙ୍କ ଏକାଧିକ ସଟ୍‍କୁ ଜାପାନ ଗୋଲରକ୍ଷକ ଅଟକାଇଥିବାବେଳେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଭାରତ ସପକ୍ଷରେ ୩-୦ ରହିଥିଲା।
ବିରତି ପରେ ତୃତୀୟ କ୍ୱାର୍ଟରର ୩୧ ମିନିଟରେ ଭାରତକୁ ତୃତୀୟ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ହରମନପ୍ରୀତ ସିଂହଙ୍କ ଶକ୍ତିଶାଳୀ ସଟ୍‍ ଜାପାନ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ୩୨ ମିନିଟରେ ମନଦୀପ ସିଂହ ଆଉ ଏକ ଗୋଲ ସ୍କୋର କରି ଏହି ବ୍ୟବଧାନ ୪-୦କୁ ବୃଦ୍ଧି କରିଥିଲେ। ୩୮ ମିନିଟରେ ଭାରତକୁ ୪ର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। ରୂପିନ୍ଦର ପାଲ ଏହାକୁ ଗୋଲରେ ପରିବର୍ତ୍ତନ କରି ଭାରତକୁ ୫-୦ରେ ଆଗୁଆ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତକୁ ଆଉ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଏହା ବେକାର ଯାଇଥିଲା। ତେବେ ଏହି କ୍ୱାର୍ଟରରେ ଆକାଶଦୀପ ସିଂହ (୪୬ ମିନିଟ), ବିବେକ ସାଗର ପ୍ରସାଦ (୪୮ ମିନିଟ) ଓ ମନଦୀପ ସିଂହ (୫୬ ମିନିଟ) ଗୋଲ ଦେବାରୁ ଭାରତ ଶେଷରେ ୮-୦ରେ ବିଜୟୀ ହୋଇଥିଲା।

Leave A Reply