ବିଶ୍ୱକପ : ସୁରକ୍ଷା ବ୍ୟବସ୍ଥା ସମୀକ୍ଷାକଲେ ହକି ଇଣ୍ଡିଆ ପ୍ରତିନିଧି

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲ୍‍କ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥା ନେଇ ହକି ଇଣ୍ଡିଆ କର୍ମକର୍ତ୍ତାମାନେ ସମୀକ୍ଷା କରିଛନ୍ତି। ଶନିବାର ହକି ଇଣ୍ଡିଆ ଯୁଗ୍ମ ସମ୍ପାଦକ ବି.ଏମ୍‍. ଭୂଷଣ ଓ ବିଶ୍ୱକପ ହକି ପ୍ରତିଯୋଗିତା ସଂଯୋଜକ ବିକ୍ରମ ପାଲ ଷ୍ଟାଡ଼ିୟମ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସହିତ ହକି ଇଣ୍ଡିଆ ପ୍ରତିନିଧିମାନେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ।
ଷ୍ଟାଡ଼ିୟମ୍‍ ଭିତରେ ଓ ବାହାରେ କିଭଳି ଭାବେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ସୁନିୟନ୍ତ୍ରିତ ହେବ; ସେନେଇ ବୈଠକରେ ଗୁରୁତ୍ୱାରୋପ କରା ଯାଇଥିଲା। ମ୍ୟାଚ୍‍ ସମୟରେ ଷ୍ଟାଡ଼ିୟମକୁ ହଜାର ହଜାର ଦର୍ଶକ ପ୍ରବେଶ କରିବା ସହିତ ଖେଳାଳିମାନେ ମଧ୍ୟ ପ୍ରବେଶ କରିବେ। ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହଛଡ଼ା ଖେଳାଳିମାନେ ବିମାନ ବନ୍ଦରରୁ ବିଭିନ୍ନ ହୋଟେଲକୁ ଆସିବା, ହୋଟେଲରୁ ଅଭ୍ୟାସ ଓ ଖେଳିବାକୁ ଯିବା ସମୟରେ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ସହିତ ଷ୍ଟାଡ଼ିୟମ ଭିତରେ ପାର୍କିଂ ସ୍ଥଳରେ କିଭଳି ଶୃଙ୍ଖଳିତ ପାର୍କିଂ କରାଯିବ; ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା ନେଇ ପୁଲିସ ମହାନିର୍ଦେଶକ ଡ. ଶର୍ମା ଓ କମିଶନର ଶ୍ରୀ ମହାନ୍ତି ହକି ଇଣ୍ଡିଆ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ ବୈଠକରେ ପ୍ରତିଯୋଗିତା ଲାଗି ଷ୍ଟାଡ଼ିୟମ ଭିତରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ନେଇ ମତ ରଖିଥିଲେ। ଅଭ୍ୟାସ ଓ ମୁଖ୍ୟ ହକି ଗ୍ରାଉଣ୍ଡରେ ନୂତନ ସିନ୍ଥେଟିକ୍‍ ଟର୍ଫ ବିଛାଯିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଷ୍ଟାଡ଼ିୟମ ସଂପ୍ରସାରିତ ଗ୍ୟାଲେରୀ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ଖେଳାଳି ଓ ଅଫିସିଆଲଙ୍କ ରହଣୀ ଲାଗି କଟକ, ଭୁବନେଶ୍ୱର ଓ ପୁରୀରେ ହୋଟେଲ ବୁକିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତୁରନ୍ତ ଶେଷ କରାଯିବ ବୋଲି ସଚିବ ଶ୍ରୀ ଦେବ ସୂଚନା ଦେଇଥିଲେ।

Leave A Reply