ଭାରତକୁ ହରାଇ ଅଷ୍ଟ୍ରେଲିଆ ଚମ୍ପିଆନ

0

ବ୍ରେଡା(ହଲାଣ୍ଡ) : ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ରନର୍ସ ଅପ୍ ହୋଇଛି।  ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ୧-୧ ଗୋଲରେ ଅମୀମାଂସିତ ରହିବା ଫଳରେ ପେନାଲଟି ସୁଟ୍‍ଆଉଟର ସହାୟତା ନିଆଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୩-୧ ଗୋଲରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜାଲେୱିସ୍କି, ଜେରେମି ଏଡୱାର୍ଡସ ଓ ଡାନିଏଲ ଗୋଲ ସ୍କୋର କରିଥିବାବେଳେ ଭାରତ ପକ୍ଷରୁ ସର୍ଦ୍ଦାର ସିଂହ, ହରମନପ୍ରୀତ ସିଂହ ଓ ଲଳିତ ଉପାଧ୍ୟାୟ ଗୋଲ ଦେବାରେ ବିଫଳ ହୋଇଥିଲେ। କେବଳ ମନପ୍ରୀତ ଗୋଟିଏ ଗୋଲ୍‌ ଦେଇଥିଲେ ୨୦୧୬ରେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ହାରି ଭାରତକୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ଅତୀତର ରେକର୍ଡକୁ ଅନୁଧ୍ୟାନ କଲେ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ନିଶ୍ଚିତଭାବେ ଫେଭରିଟ୍‍ ମାନ୍ୟତା ପାଇବାକୁ ଯୋଗ୍ୟ ଥିଲା। ଅଷ୍ଟ୍ରେଲିଆ ଦଳ ପ୍ରାରମ୍ଭରୁ ଆକ୍ରମଣ ଜାରି ରଖିଥିଲା। ତେବେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ସେମାନଙ୍କୁ ସଫଳତା ମିଳିନଥିଲା। ୫ ମିନିଟରେ ସୁରେନ୍ଦ୍ରଙ୍କ ଲମ୍ବା ସଟ୍‍ ଅଷ୍ଟ୍ରେଲିଆ ‘ଡି’ ଏରିଆରେ ପହଞ୍ଚିଥିଲେ ସୁଦ୍ଧା ସେଠାରେ କୌଣସି ଭାରତୀୟ ଖେଳାଳି ଉପସ୍ଥିତ ନ ଥିବାରୁ ଏହି ସୁଯୋଗ ବେକାର ଯାଇଥିଲା। ୭ ମିନିଟରେ ଭାରତ ରିଭ୍ୟୁ ଜରିଆରେ ପ୍ରଥମ ପେନାଲଟି କର୍ଣ୍ଣର ପାଇଥିଲା। ତେବେ ମନପ୍ରୀତ ସିଂହଙ୍କ ଦୁର୍ବଳ ସଟ୍‍ ଅଷ୍ଟ୍ରେଲିଆ ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ଗୋଟିଏ ମିନିଟ ବ୍ୟବଧାନରେ ଭାରତକୁ ଦ୍ୱିତୀୟ ପେନାଲଟି କର୍ଣ୍ଣର ମିଳିଥିଲା। ଭାରତୀୟ ଖେଳାଳିଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ ଏହି ସୁଯୋଗ ମଧ୍ୟ ହାତଛଡା ହୋଇଥିଲା। ଭାରତୀୟ ଖେଳାଳି ଗୋଲ ଦେବାର ଏକାଧିକ ଉଦ୍ୟମ ସୃଷ୍ଟି କରିଥିଲେ ସୁଦ୍ଧା ସେଗୁଡିକୁ ସଠିକ୍‍ଭାବେ କାର୍ଯ୍ୟକାରୀ କରିପାରିନଥିଲେ। ୧୩ ମିନିଟରେ ଭାରତକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଦିଲପ୍ରୀତ ସିଂହ ଅଷ୍ଟ୍ରେଲିଆ ‘ଡି’ ଏରିଆ ବାହାରୁ ରିଭର୍ସ ସଟ୍‍ ମାରିଥିବାବେଳେ ଏହା ଅଷ୍ଟ୍ରେଲିଆ ଗୋଲରକ୍ଷକଙ୍କ ପ୍ୟାଡ୍‍ରେ ବାଜି ଫେରିଆସିଥିଲା। ତେବେ ସେଠାରେ ଉପସ୍ଥିତ ଥିବା ଏସ୍‍.ଭି.ସୁନିଲ ରିବାଉଣ୍ଡ୍‍ରୁ ଫାଇଦା ଉଠାଇ ପାରିନଥିଲେ। ଫଳରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ଭଙ୍ଗିରେ ଖେଳ ଆରମ୍ଭ କରିଥିଲେ। ୧୬ ମିନିଟରେ ସିମ୍ରନଜିତ ସିଂହ ପ୍ରତିପକ୍ଷ ‘ଡି’ ଭିତରକୁ ଚମତ୍କାର ପାସ୍‍ ଦେଇଥିଲେ; କିନ୍ତୁ ସୁନିଲଙ୍କ ସଟ୍‍ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଷ୍ଟିକ୍‍ରେ ବାଜି ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ୧୮ ମିନିଟରେ ଭାରତକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। ହରମନପ୍ରୀତ ସିଂହଙ୍କ ଶକ୍ତିଶାଳୀ ସଟ୍‍କୁ ଅଷ୍ଟ୍ରେଲୀୟ ଡିଫେଣ୍ଡର ଅଟକାଇବାରେ ସଫଳ ହୋଇଥିଲେ। ୨୦ ମିନିଟରେ ଅଷ୍ଟ୍ରେଲିଆକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ବ୍ଲାକ୍‍ ଗୋଭର୍ସଙ୍କ ସଟ୍‍କୁ ଭାରତୀୟ ଗୋଲରକ୍ଷକ ଶ୍ରୀଜେସ ରୋକିବାରୁ ଭାରତ ଗୋଲବରଣରୁ ବର୍ତ୍ତିଯାଇଥିଲା। ଅଷ୍ଟ୍ରେଲିଆକୁ ପୁଣି ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଗୋଭର୍ସ ଏହାକୁ ଗୋଲରେ ପରିବର୍ତ୍ତନ କରି ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଅଷ୍ଟ୍ରେଲିଆ ସପକ୍ଷରେ ୧-୦ ରହିଥିଲା।
ମଧ୍ୟାନ୍ତର ପରେ ଅଷ୍ଟ୍ରେଲିଆ ଦଳ ବାମପାର୍ଶ୍ବରୁ ଆକ୍ରମଣ ଜାରି ରଖିଥିଲା। ତେବେ ଅଷ୍ଟ୍ରେଲୀୟ ଖେଳାଳି ବିପଜ୍ଜନକ ଖେଳ ଖେଳୁଥିବାରୁ ରେଫେରୀ ସେମାନଙ୍କୁ ଚେତାବନୀ ଦେଇଥିଲେ। ୩୩ ମିନିଟରେ ଭାରତ ପୁଣି ପେନାଲଟି କର୍ଣ୍ଣର ପାଇଁ ଦାବି କରିଥିଲା। ଭିଡିଓ ରିପ୍ଲେକୁ ଅନୁଧ୍ୟାନ କରି ରେଫେରୀ ଭାରତକୁ ୪ର୍ଥ ପେନାଲଟି କର୍ଣ୍ଣର ନିର୍ଦେଶ ଦେଇଥିଲେ। ବରୁଣ କୁମାର ଓ ହରମନପ୍ରୀତଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହି ସୁଯୋଗ ମଧ୍ୟ ନଷ୍ଟ ହୋଇଥିଲା। ୩୫ ମିନିଟରେ ମନପ୍ରୀତଙ୍କ ଷ୍ଟିକ୍‌ ଅଷ୍ଟ୍ରେଲିଆ ଖେଳାଳିଙ୍କ ଗୋଡରେ ବାଜିବାରୁ ସେ ଆହତ ହୋଇଥିଲେ। ଏଥିପାଇଁ ଖେଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ୩୭ ମିନିଟରେ ସର୍ଦ୍ଦାର ସିଂହଙ୍କଠାରୁ ପାସ୍‍ ପାଇ ମନପ୍ରୀତ ଅଷ୍ଟ୍ରେଲିଆ ‘ଡି’ ମଧ୍ୟରେ ପ୍ରବେଶ କରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ୩୮ ମିନିଟରେ ଭାରତ ପୁଣି ପେନାଲଟି କର୍ଣ୍ଣର ପାଇଁ ଦାବି ଜଣାଇଥିଲେ ସୁଦ୍ଧା ଟିଭି ରେଫେରୀ ଏହାକୁ ନାକଚ କରିଦେଇଥିଲେ। ୩୯ ମିନିଟରେ ମନପ୍ରୀତଙ୍କ ଆଣ୍ଠୁରେ ବଲ ବାଜିବାରୁ ତାଙ୍କୁ ପଡିଆରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ୪୦ ମିନିଟରେ ଅଷ୍ଟ୍ରେଲିଆ ଅଧିନାୟକ ଆରାନ୍‍ ଜାଲ୍‍ୱିସ୍କ୍‍ଙ୍କୁ ସବୁଜ କାର୍ଡ ପ୍ରଦର୍ଶନ କରାଯାଇଥିଲା। ୪୨ ମିନିଟରେ ବିବେକ ପ୍ରସାଦ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରିବା ସହ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ ଗୋଲ ଦେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ୫୦ ମିନିଟରେ ଅଷ୍ଟ୍ରେଲିଆ ଫରୱାର୍ଡଙ୍କ ସଟ୍‍କୁ ଶ୍ରୀଜେସ ରୋକିବାରେ ସଫଳ ହୋଇଥିଲେ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ମ୍ୟାଚ ଅମୀମାଂସିତ ରହିବା ଫଳରେ ପେନାଲଟି ସୁଟ୍‍ଆଉଟର ଆବଶ୍ୟକତା ପଡିଥିଲା।

Leave A Reply