ମହିଳା ହକି : ୪ର୍ଥ ବିଜୟ ସହ ଗ୍ରୁପ୍‍ ଶୀର୍ଷରେ ଭାରତ

0

ଜାକର୍ତ୍ତା : ଭାରତୀୟ ମହିଳା ହକି ଦଳ ଚଳିତ ଏସୀୟ କ୍ରୀଡାରେ ଅପରାଜେୟ ଧାରାକୁ ଅବ୍ୟାହତ ରଖିଛି। ଅଧିନାୟିକା ରାଣୀ ରାମପାଲଙ୍କ ହ୍ୟାଟ୍ରିକ ବଳରେ ଭାରତ ସୋମବାର ଖେଳାଯାଇଥିବା ପୁଲ ‘ବି’ର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡକୁ ୫-୦ ଗୋଲରେ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ଭାରତ ଏହି ବିଜୟ ସହ ଚାରିଟି ମ୍ୟାଚରୁ ପୂରା ୧୨ ପଏଣ୍ଟ ପାଇ ଗ୍ରୁପ୍‍ରେ ଶୀର୍ଷ ସ୍ଥାନ ଅଧିକାର କରିଛି।
ଭାରତ-ଥାଇଲାଣ୍ଡ ମୁକାବିଲାର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତକୁ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ସେଗୁଡିକ କାର୍ଯ୍ୟକାରୀ ହୋଇପାରିନଥିଲା। ଦ୍ୱିତୀୟ କ୍ୱାର୍ଟରର ୧୬ ଓ ୨୨ ମିନିଟରେ ରାଣୀ ରାମପାଲଙ୍କ ଶକ୍ତିଶାଳୀ ସଟ୍‍କୁ ଥାଇଲାଣ୍ଡ ଗୋଲରକ୍ଷକ ଅଟକାଇଥିଲେ। ୨୪ ମିନିଟରେ ଭାରତକୁ ତୃତୀୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ରାଣୀ ପୁଣି ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ମଧ୍ୟାନ୍ତର ପରେ ଭାରତୀୟ ଦଳର ରଣନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତୃତୀୟ କ୍ୱାର୍ଟରର ୩୧ ମିନିଟରେ ଭାରତକୁ ଚତୁର୍ଥ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗୁରଜିତ କୌରଙ୍କ ସଟ୍‍ ଅଳ୍ପକେ ଥାଇଲାଣ୍ଡ ଗୋଲପୋଷ୍ଟ ବାହାରକୁ ଚାଲିଯିବା ଫଳରେ ଏହି ସୁଯୋଗ ହାତଛଡା ହୋଇଥିଲା। ୩୩ ମିନିଟରେ ଓଡ଼ିଆ ଖେଳାଳି ନମିତା ଟପ୍ପୋଙ୍କ ସଟ୍‍କୁ ପ୍ରତିପକ୍ଷ ଗୋଲରକ୍ଷକ ଅଟକାଇଥିଲେ। ୩୫ ମିନିଟରେ ଭାରତକୁ ପଞ୍ଚମ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗୁରଜିତ୍‍ ଏଥର ମଧ୍ୟ ଗୋଲ ଦେବାରେ ବିଫଳତା ପ୍ରକାଶ କରିଥିଲେ। ଏହି କ୍ୱାର୍ଟରର ୩୭ ମିନିଟରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା। ମୋନିକାଙ୍କ ନିକଟରୁ ପାଇଥିବା ପାସ୍‍କୁ ଗୋଲରେ ପରିବର୍ତ୍ତନ କରି ରାଣୀ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଏହି କ୍ୱାର୍ଟରରେ ଭାରତ ଆଉ ଦୁଇଟି ସୁଯୋଗ ପାଇଥିଲେ ସୁଦ୍ଧା ସେଗୁଡିକ ବେକାର ଯାଇଥିଲା।
ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତୀୟ ଦଳକୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୪୫ ମିନିଟରେ ରାଣୀ ଦ୍ୱିତୀୟ ଗୋଲ ସ୍କୋର କରି ଏହି ବ୍ୟବଧାନ ୨-୦କୁ ବୃଦ୍ଧି କରିଥିଲେ। ୪୯ ମିନିଟରେ ରାଣୀଙ୍କ ସଟ୍‍କୁ ଥାଇଲାଣ୍ଡ ରକ୍ଷଣଭାଗ ଖେଳାଳି ଅଟକାଇଥିଲେ। ୫୧ ମିନିଟରେ ଭାରତକୁ ଷଷ୍ଠ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଦୀପଗ୍ରେସ ଏକ୍କାଙ୍କ ସଟ୍‍କୁ ଥାଇଲାଣ୍ଡ ଗୋଲରକ୍ଷକ ଅଟକାଇଥିଲେ। ୫୧ ମିନିଟରେ ଥାଇଲାଣ୍ଡ ଗୋଲରକ୍ଷକଙ୍କ ପ୍ୟାଡ୍‍ରେ ବାଜି ଫେରିଆସିଥିବା ବଲକୁ ଗୋଲପୋଷ୍ଟକୁ ପଠାଇ ମୋନିକା ଦଳ ପକ୍ଷରୁ ୩ୟ ଗୋଲ ସ୍କୋର କରିଥିଲେ। ୫୪ ମିନିଟରେ ନବଜ୍ୟୋତ୍‍ କୌର ଦଳ ପକ୍ଷରୁ ଆଉ ଏକ ଗୋଲ ଦେବାଫଳରେ ଭାରତ ୪-୦ରେ ଆଗୁଆ ରହିଥିଲା। ୫୬ ମିନିଟରେ ରାଣୀ ଦଳ ପକ୍ଷରୁ ୫ମ ଗୋଲ ସ୍କୋର କରିବା ସହ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଭାରତୀୟ ଦଳ ସୋମବାର ପୂର୍ବରୁ ଟୁର୍ଣ୍ଣାମେଣ୍ଟର ତିନିଟି ମ୍ୟାଚରେ ୩୩ଟି ଗୋଲ ସ୍କୋର କରିସାରିଥିଲେ ସୁଦ୍ଧା ରାଣୀ ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ଗୋଲ ଖାତା ଖୋଲିପାରିଛନ୍ତି।

Leave A Reply