ହକି ବିଶ୍ୱକପ ଓ ପାକିସ୍ତାନର ଆଧିପତ୍ୟ

0

ଭୁବନେଶ୍ୱର : ହକି ବିଶ୍ୱକପ ପ୍ରତିଯୋଗିତା ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାର ଲାଗିଛି। ପ୍ରତିଯୋଗିତାରେ ଅନ୍ୟତମ ଟାଇଟଲ ଫେବରିଟ୍‍ ପାକିସ୍ତାନକୁ ନେଇ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି। ସର୍ବାଧିକ ୪ଥର ବିଶ୍ୱକପ ଟାଇଟଲ ହାସଲ କରିଥିବା ପାକିସ୍ତାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ହେବା ନିଶ୍ଚିତ ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ପାକିସ୍ତାନ ଦଳକୁ ସୁରକ୍ଷା ଯୋଗାଇ ଦେବା ନେଇ ମଧ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ଜଣାପଡ଼ିଛି।
ହକି ବିଶ୍ୱକପ ଓ ପାକିସ୍ତାନ ଅଙ୍ଗାଙ୍ଗୀଭାବେ ଜଡ଼ିତ। ବିଶ୍ୱ ହକିର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ପାକିସ୍ତାନ ନିଜକୁ ଉପସ୍ଥାପିତ କରିପାରିଛି। ପାକିସ୍ତାନ ସର୍ବାଧିକ ୪ଥର ଚମ୍ପିଆନ ଓ ଦୁଇଥର ରନର୍ସଅପ ହୋଇଛି। ଏସୀୟ ରାଷ୍ଟ୍ର ପାକିସ୍ତାନ ୧୯୭୧ରେ ସ୍ପେନର ବାର୍ସିଲୋନାରେ ଆୟୋଜିତ ପ୍ରଥମ ସଂସ୍କରଣରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ୧୯୭୩ ନେଦରଲଣ୍ଡରେ ଆୟୋଜିତ ଦ୍ୱିତୀୟ ସଂସ୍କରଣରେ ଚତୁର୍ଥ, ୧୯୭୫ ମାଲେସିଆରେ ଆୟୋଜିତ ତୃତୀୟ ସଂସ୍କରଣରେ ରନର୍ସଅପ ହୋଇଥିଲା। ୧୯୭୮ ଆର୍ଜେଣ୍ଟିନାରେ ଆୟୋଜିତ ଚତୁର୍ଥ ସଂସ୍କରଣରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା। ୧୯୮୨ ଭାରତର ମୁମ୍ବଇରେ ଆୟୋଜିତ ପଞ୍ଚମ ସଂସ୍କରଣରେ ପାକିସ୍ତାନ ତୃତୀୟ ଟାଇଟଲ ହାସଲ କରିଥିଲା। ୧୯୮୬ ଇଂଲଣ୍ଡରେ ଆୟୋଜିତ ଷଷ୍ଠ ସଂସ୍କରଣରେ ୧୧ତମ ସ୍ଥାନ, ୧୯୯୦ ପାକିସ୍ତାନରେ ଆୟୋଜିତ ସପ୍ତମ ସଂସ୍କରଣରେ ଘରୋଇ ଦଳ ଭାବେ ଫାଇନାଲରେ ନେଦରଲାଣ୍ଡ ନିକଟରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୧୯୯୪ରେ ଅଷ୍ଟ୍ରେଲିଆର ସିଡ୍‍ନୀରେ ଆୟୋଜିତ ଅଷ୍ଟମ ସଂସ୍କରଣରେ ଦଳ ଚତୁର୍ଥ ଥର ଲାଗି ବିଶ୍ୱକପ ଟ୍ରଫି ହାସଲ କରିଥିଲା। ୧୯୯୮ ନେଦରଲାଣ୍ଡରେ ଆୟୋଜିତ ନବମ ସଂସ୍କରଣରେ ପଞ୍ଚମ ସ୍ଥାନ, ୨୦୦୨ ମାଲେସିଆର କ୍ୱାଲାମ୍ପପୁରଠାରେ ଆୟୋଜିତ ଦଶମ ସଂସ୍କରଣରେ ପଞ୍ଚମ ସ୍ଥାନ, ୨୦୦୬ ଜର୍ମାନୀରେ ଆୟୋଜିତ ଏକାଦଶତମ ସଂସ୍କରଣରେ ଷଷ୍ଠ ସ୍ଥାନ, ୨୦୧୦ ଭାରତର ମୁମ୍ବାଇରେ ଆୟୋଜିତ ଦ୍ୱାଦଶତମ ସଂସ୍କରଣରେ ୧୨ତମ ଓ ୨୦୧୪ ନେଦରଲାଣ୍ଡରେ ଆୟୋଜିତ ତ୍ରୟୋଦଶତମ ସଂସ୍କରଣ ଲାଗି ପାକିସ୍ତାନ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଥିଲା। ପ୍ରଥମ ୭ଟି ସଂସ୍କରଣରୁ ୪ଥର ଚମ୍ପିଆନ ହୋଇଥିବା ପାକିସ୍ତାନ ଶେଷ ୬ଟି ସଂସ୍କରଣରେ ନିଜର ପ୍ରାଧାନ୍ୟ ବଜାୟ ରଖିବାରେ ବିଫଳ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପ ଲାଗି ଦଳ ଯୋଗ୍ୟତା ହାସଲ କରିଛି। ବର୍ତ୍ତମାନ ପାକିସ୍ତାନ ଦଳ ଏବେ ସଙ୍କଟ ଦେଇ ଗତି କରୁଥିବାରୁ ଭଲ ପ୍ରଦର୍ଶନ ନେଇ ଆଶଙ୍କା ରହିଛି। ତଥାପି ପାକିସ୍ତାନ ପ୍ରତିଯୋଗିତାରେ କିଛି ଓଲଟପାଲଟ କରିବା ନେଇ ଆଶାକୁ ଏଡାଇ ଦିଆଯାଇନପାରେ।
ପାକିସ୍ତାନ ଦଳ : ମହମ୍ମଦ ରିଜ୍‍ୱାନ(ଅଧିନାୟକ ), ଆମଦ ସକିଲ ଭଟ୍ଟ (ଉପ ଅଧିନାୟକ ), ଇମ୍ରାନ ଭଟ୍ଟ, ମାଜୁର ଆବାସ, ଏମ ଇର୍ଫାନ ସିନିୟର,ଆଲିମ ବିଲାଲ, ମୁବାଶର ଅଲ୍ଲୀ, ଏମ. ତର୍ସିକ ଆର୍ସଦ, ତାସୱାର ଆବାସ, ରସିଦ୍‍ ମୋହମୁଦ, ଅଜିଜ ଅହମ୍ମଦ, ଏମ. ଇର୍ଫାନ ଜୁନିୟର, ଅଲ୍ଲୀ ସାନ୍‍, ଫୈଜଲ କ୍ୱାଦିର, ଆବୁବେକର ମେହେମୁଦ୍‍, ଉମର ଭଟ୍ଟ, ଏମ. ଆର୍ଟିକ ଆର୍ସଦ, ମହମ୍ମଦ ଜୁବେର।

Leave A Reply