କାଉଣ୍ଟରରେ ଭାରତ ମ୍ୟାଚର ଟିକଟ ନପାଇ ହକିପ୍ରେମୀ ନିରାଶ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍‍ରେ ହେବାକୁ ଥିବା ବିଶ୍ୱକପ୍‍ର ଟିକଟ କିଣିବା ଲାଗି ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସେମାବାରଠାରୁ କଳିଙ୍ଗ ଷ୍ଟାଡ଼ିୟମ ସମେତ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆଉଟ୍‍ଲେଟ୍‍ରେ ଟିକଟ ବିକ୍ରି କରାଯାଉଛି। ସୋମବାର କେତେକ ଆଉଟ୍‍ଲେଟ୍‍ରେ ଟିକଟ ନମିଳିବାକୁ ନେଇ ଦର୍ଶକ ପ୍ରବଳ ହୋହାଲ୍ଲା କରିଥିଲେ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ କାଉଣ୍ଟରର ସମେତ କିଛି ଆଉଟ୍‍ଲେଟ୍‍ରେ ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚ, ସେମିଫାଇନାଲ ଓ ଫାଇନାଲ ଟିକଟ ନଳିବାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅନ୍‍ଲାଇନ୍‍ରେ ୭୦ ପ୍ରତିଶତ ଓ କାଉଣ୍ଟରରେ ୩୦ ପ୍ରତିଶତ ଟିକଟ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚ ସମେତ ସେମିଫାଇନାଲ ଓ ଫାଇନାଲ ମ୍ୟାଚର ଟିକଟ କାଉଣ୍ଟରରେ କମ୍‍ ପରିମାଣରେ ବିକ୍ରି କରା ଯାଇଥିଲା। ଉକ୍ତ ମ୍ୟାଚ୍‍ଗୁଡ଼ିକର ମାତ୍ର ୨୦୦ ଟିକଟ କାଉଣ୍ଟରରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। କାଉଣ୍ଟରରେ କମ୍‍ ସଂଖ୍ୟକ ଟିକଟ ବିକ୍ରି କରାଯିବାକୁ ନେଇ ହକିପ୍ରେମୀ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚର ଟିକଟ ନପାଇ ହକିପ୍ରେମୀ ନିରାଶରେ ଫେରିଥିଲେ। କ୍ୱାର୍ଟରଫାଇନାଲ, ସେମିଫାଇନାଲ, ଫାଇନାଲ ମ୍ୟାଚ୍‍ ସମେତ ଭାରତ ଖେଳିବାକୁ ଥିବା ୩ଟି ଲିଗ୍‍ ମ୍ୟାଚ ବାଦ୍‍ ଅନ୍ୟ ଦଳର ଲିଗ୍‍ ମ୍ୟାଚ ଓ କ୍ରସ୍‍ଓଭର ମ୍ୟାଚ୍‍ର ଟିକଟ ଶେଷହେବା ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ କାଉଣ୍ଟରରେ ଏହା ବିକ୍ରି କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply