ଭୁବନେଶ୍ୱରକୁ ନୂଆ ରୂପ ଦେଉଛନ୍ତି ୪ ଆମେରିକୀୟ ଚିତ୍ରକର

0

ଭୁବନେଶ୍ୱର : ଚଳିତମାସ ୨୮ରୁ ଏହି ମନ୍ଦିର ନଗରୀରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‍। ଏହି ମେଗା ଇଭେଣ୍ଟ ପୂର୍ବରୁ ରାଜଧାନୀ ସହରକୁ ଅଧିକ ଜୀବନ୍ତ ତଥା ସୁନ୍ଦର କରିବା ଲାଗି ରାଜ୍ୟ ସରକାର ନାନା ପଦକ୍ଷେପ ନେବାରେ ଲାଗିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଥିବା ବିଭିନ୍ନ କାନ୍ଥରେ ପେଣ୍ଟିଂ କରାଯାଉଛି। ବିଶେଷକରି ସହରର ବିଭିନ୍ନ ଓଭରବ୍ରିଜ୍‍ ତଳର କାନ୍ଥରେ ପେଣ୍ଟିଂ କରାଯାଉଛି।
ଭୁବନେଶ୍ୱରକୁ ରଙ୍ଗୀନ୍‍ ଓ ଆକର୍ଷଣୀୟ କରିବାର ଦାୟିତ୍ୱ ପାଇଛନ୍ତି ଆମେରିକାର ୪ ଚିତ୍ରକର ଜୁଲିଓ ଜିମିନେଜ୍‍, ଟ୍ରେସି ଲି ଷ୍ଟମ୍‍, ଜି ସ୍କିଣ୍ଡ୍‍ଲର ଓ ଆନାତ୍‍ ରୋନେନ୍‍। ଚଳିତମାସ ୧ରୁ ଏହି ୪ ଆମେରିକୀୟ ଚିତ୍ରକର ପେଣ୍ଟିଂ କାମ ଆରମ୍ଭ କରିଛନ୍ତି। ୧୬ରେ କାମ ସାରି ସେହିଦିନ ସେମାନେ ସ୍ୱଦେଶ ଫେରିଯିବାର ଯୋଜନା କରିଛନ୍ତି। ଏହି ୪ ଆମେରିକୀୟ ଚିତ୍ରକରଙ୍କ ବିଶେଷତ୍ୱ ହେଲା ଯେ ସେମାନେ ୩ଡି ଚିତ୍ର ଆଙ୍କିପାରନ୍ତି। ସେମାନେ ଆଙ୍କିଥିବା ଚିତ୍ରରୁ ଲାଗିବ ଯେପରି କାନ୍ଥ ମଧ୍ୟରୁ ଟ୍ରକ୍‍ଟି ବାହାରକୁ ମାଡ଼ିଆସୁଛି। ଏହିପରି ବହୁତ ଚିତ୍ର ଏହି ୪ ଆମେରିକୀୟ ଆଙ୍କିଛନ୍ତି; ଯାହାକୁ ଦେଖିବା ଲାଗି ଭୁବନେଶ୍ୱରବାସୀ କିଛି ସେକେଣ୍ଡ ଅଟକିଯିବେ ନିଶ୍ଚୟ। ସମସ୍ତ ପେଣ୍ଟିଂ ଅତ୍ୟନ୍ତ ଜୀବନ୍ତ ମନେ ହେଉଛନ୍ତି। ପୁଣି ଭୁବନେଶ୍ୱରର କାନ୍ଥମାନଙ୍କରେ ରାଜ୍ୟର ବିଭିନ୍ନ ଐତିହ୍ୟସମ୍ପନ୍ନ ସ୍ଥାନ, ପର୍ଯ୍ୟଟନ ସ୍ଥଳୀ ଏବଂ ହକି ସ୍ଥାନପାଇଛି। ଏହି ଚିତ୍ରକରଙ୍କ ମଧ୍ୟରୁ ଜୁଲିଓ ଜିମିନେଜ୍‍ ଗତ ୨୦ ବର୍ଷ ହେଲା ବିଶ୍ୱର ବିଭିନ୍ନ ସହରରେ କାନ୍ଥରେ ପେଣ୍ଟିଂ କରି ଆସୁଛନ୍ତି। ତେବେ ଭୁବନେଶ୍ୱରରେ ହକି ବିଶ୍ୱକପ୍‍ ଆୟୋଜନ ହେଉଥିବାରୁ ତାଙ୍କୁ କିଛି ଭିନ୍ନ ପ୍ରକାରର ପେଣ୍ଟିଂ କରିବାକୁ ପଡ଼ୁଛି। ଅନ୍ୟ ଚିତ୍ରକର ଟ୍ରେସି ଲି ଷ୍ଟମ୍‍ଙ୍କ ନାମରେ ଗିନିଜ୍‍ ବିଶ୍ୱରେକର୍ଡ ରହିଛି। ସେ କିଛିବର୍ଷ ତଳେ ଚକ୍‍ରେ ଜଣେ ମନୁଷ୍ୟର ବିଶ୍ୱର ସବୁଠାରୁ ବଡ଼ ଚିତ୍ର ଆଙ୍କିଥିଲେ। ପୁଣି ଜି ସ୍କିଣ୍ଡ୍‍ଲର ଓ ଆନାତ୍‍ ରୋନେନ୍‍ ହେଉଛନ୍ତି ୩ଡି ପେଣ୍ଟିଂ ବିଶେଷଜ୍ଞ। ଏହି ୪ ଆମେରିକୀୟ ମିଶି ସ୍ମାର୍ଟ ସିଟି ଭୁବନେଶ୍ୱରରକୁ ଏକ ନୂଆ ରୂପ ଦେବାକୁ ଯାଉଛନ୍ତି। ପୁଣି ବିଶ୍ୱକପ୍‍ ଦେଖିବାକୁ ଭୁବନେଶ୍ୱର ଆସୁଥିବା ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଏପରି ପେଣ୍ଟିଂ ନିଶ୍ଚୟ ଆକୃଷ୍ଟ କରିବ।

Leave A Reply