ଅଷ୍ଟ୍ରେଲିଆ କ୍ୱାର୍ଟରରେ; ଚୀନ୍‍-ଆୟରଲାଣ୍ଡ ମ୍ୟାଚ୍‍ ଡ୍ର

0

ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପ୍‍ରେ ପ୍ରଥମ ଦଳ ଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ମଙ୍ଗଳବାର ପୁଲ୍‍ ‘ବି’ର ମ୍ୟାଚ୍‍ରେ ଇଂଲଣ୍ଡକୁ ୩-୦ ଗୋଲ୍‍ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଫଳରେ ୨ଟି ମ୍ୟାଚ୍‍ରୁ ୬ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପୁଲ୍‍ ଶୀର୍ଷରେ ପହଞ୍ଚିଛି। ଚୀନ୍‍ ଓ ଆୟରଲାଣ୍ଡ ମଧ୍ୟରେ ୨ୟ ମ୍ୟାଚ୍‍ ୧-୧ ଗୋଲ୍‍ରେ ଡ୍ର ରହିଛି।
ମଙ୍ଗଳବାର ପ୍ରଥମ ମ୍ୟାଚ୍‍ରେ ଅଷ୍ଟ୍ରେଲିଆ ୩-୦ ଗୋଲ୍‍ରେ ଇଂଲଣ୍ଡକୁ ପରାସ୍ତ କରିଛି। ପ୍ରଥମ ୩ଟି କ୍ୱାର୍ଟର ଗୋଲ୍‍ଶୂନ୍ୟ ରହିଥିବା ବେଳେ ୪ର୍ଥ କ୍ୱାର୍ଟରରେ ୯ ମିନିଟ ମଧ୍ୟରେ ୩ଟି ଗୋଲ୍‍ଦେଇ ଅଷ୍ଟ୍ରେଲିଆ ଜିତିଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚ୍‍ରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ ହେଁ ପ୍ରଥମ ୩ଟି କ୍ୱାର୍ଟରରେ ଗୋଲ୍‍ ହୋଇନଥିଲା। ୪୭ ମିନିଟରେ ଅଷ୍ଟ୍ରେଲିଆ ଜେକ୍‍ ହ୍ୱେଟନ୍‍ ଗୋଲ୍‍ଦେବା ପରେ ୫୦ ମିନିଟରେ ବ୍ଲେକ୍‍ ଗୋଭର୍ସ ଓ ୫୬ ମିନିଟରେ କୋରି ୱେୟର ଗୋଲ୍‍ ଦେଇଥିଲେ। ଅଷ୍ଟ୍ରେଲିଆର ୩ଟିଯାକ ଗୋଲ୍‍ ଫିଲ୍‍ଡ ଗୋଲ୍‍ ଥିଲା। ଏଣେ ଏହି ପରାଜୟ ପରେ ଇଂଲଣ୍ଡ ଦଳ ସଙ୍କଟରେ ପଡ଼ିଯାଇଛି। ୨ଟି ମ୍ୟାଚ୍‍ରୁ ଇଂଲଣ୍ଡ ମାତ୍ର ୧ ପଏଣ୍ଟ ପାଇଛି। ଶେଷ ମ୍ୟାଚ୍‍ରେ ଏହା ପଡ଼ୋଶୀ ଆୟରଲାଣ୍ଡର ମୁକାବିଲା କରିବ। ୨ୟ ମ୍ୟାଚ୍‍ରେ ଆୟରଲାଣ୍ଡ ଓ ଚୀନ୍‍ ମଧ୍ୟରେ ମୁକାବିଲା ୧-୧ ଗୋଲ୍‍ରେ ଅମୀମାଂସିତ ରହିଛି। ୪୩ ମିନିଟରେ ଚୀନ୍‍ର ଗ୍ୱୋ ଜିନ୍‍ ଗୋଲ୍‍ ଦେଇଥିଲେ। ତେବେ ପରବର୍ତ୍ତୀ ମିନିଟରେ ଆୟରଲାଣ୍ଡର ଆଲାନ୍‍ ସୋଦର୍ନ ଗୋଲ୍‍ ସୁଝାଇ ଦେଇଥିଲେ।

Leave A Reply