www.samajalive.in
Saturday, December 6, 2025
17.1 C
Bhubaneswar

ହକି ବିଶ୍ବକପ -୨୦୨୩ ଡ୍ର ଚୂଡାନ୍ତ: ଗ୍ରୁପ ‘ଡି’ରେ ଭାରତ

ଭୁବନେଶ୍ବର: ଭୁବନେଶ୍ବର-ରାଉରକେଲାରେ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପକ୍ଷରୁ ଡ୍ର ଚୂଡାନ୍ତ ହୋଇଛି। ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଡ୍ର ଘୋଷିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ।

ଦଳ ଗୁଡିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ତଥା ଏଫ୍‌ଆଇଏଚ୍‌ ମାନ୍ୟତାର ୧ ନମ୍ବର ଦଳ ଅଷ୍ଟ୍ରେଲିଆ ସହ ୧୧ତମ ମାନ୍ୟତାପ୍ରାପ୍ତ ଫ୍ରାନ୍ସ, ୭ମ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନା ଓ ଆଫ୍ରିକା ଚମ୍ପିଆନ ଦକ୍ଷିଣ ଆଫ୍ରିକା ରହିଥିବାବେଳେ ଗ୍ରୁପ-ବି ରେ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ, କୋରିଆ , ୪ର୍ଥ ମାନ୍ୟତାପ୍ରାପ୍ତ ଜର୍ମାନୀ, ଜାପାନ, ଗ୍ରୁପ-ସିରେ ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଓ ଗ୍ରୁପ-ଡି ରେ ଆୟୋଜକ ଭାରତ ସମେତ ୬ଷ୍ଠ ମାନ୍ୟତାପ୍ରାପ୍ତ ଇଂଲଣ୍ଡ, ସ୍ପେନ ଓ ୱେଲ୍‌ସ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାକୁ ଭାରତ ଆୟୋଜନ କରୁୁଛି। ଆୟୋଜକ ଦେଶ ଭାବେ ଭାରତ ଏଫ୍‌ଆଇଏଚ୍‌ ମାନ୍ୟତାର ୫ମ ସ୍ଥାନରେ ରହିବା ସହ ସିଧାସଳଖ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ଅନ୍ୟପକ୍ଷରେ ପାନ ଆମେରିକା କପ୍‌-୨୦୨୨ରେ ଆର୍ଜେଣ୍ଟିନା ଚମ୍ପିଆନ ହୋଇଥିବାବେଳେ ଏସୀୟ ଚମ୍ପିଆନ ଭାବେ ଜାପାନ ମଧ୍ୟ ପ୍ରତିଯୋଗିତାରେ ରହିଛି। ପ୍ରଥମ ଥର ଚିଲି ଦଳ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିଛି।

- Advertisement -

ହକି ବିଶ୍ବକପର ୫୨ ବର୍ଷର ଇତିହାସ ମଧ୍ୟରେ ଭାରତ ମାତ୍ର ଥରେ ବିଶ୍ବକପ ଜିତିଛି। ୧୯୭୫ରେ ଭାରତ ପ୍ରଥମ ଥର ପାଇଁ ମାଲେସିଆରେ ଚମ୍ପିଆନ ହୋଇଥିଲା। ଏହା ବ୍ୟତୀତ ଭାରତ ୧୯୭୩ରେ ରନର୍ସଅପ ସହ ରୌପ୍ୟ ଓ ୧୯୭୧ ପ୍ରଥମ ସଂସ୍କରଣରେ କାଂସ୍ୟ ପଦକ ହାସଲ କରିଥିଲା। ଅନ୍ୟପକ୍ଷରେ ବିଶ୍ବର ପ୍ରଥମ ଦେଶ ଭାବେ ଭାରତ ୪ଥଁ ଥର ପାଇଁ ହକି ବିଶ୍ବକପ ଆୟୋଜନ କରିବାକୁ ଯାଉଛି। ଏହା ପୂର୍ବରୁ ୧୯୮୨ ମୁମ୍ବଇ, ୨୦୧୦ ଦିଲ୍ଲୀ, ୨୦୧୮ ଭୁବନେଶ୍ବରରେ ପୁରୁଷ ହକି ବିଶ୍ବକପ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଡ୍ର ଘୋଷିତ କାର୍ଯ୍ୟକ୍ରମରେ ଏଫ୍‌ଆଇଏଚ କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସିଓଏ ସଦସ୍ୟ ଡ. ଏସ୍‌ ୱାଇ କ୍ୟୁରେସି, ଜାଫର ଇକ୍‌ବାଲ, ଓଡ଼ିଶା ହକି ପ୍ରମୋସନ କାଉନସିଲ ଅଧ୍ୟକ୍ଷ ତଥା ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ଓଡ଼ିଶା ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.​‌େ​‌କ ପାଣ୍ଡିଆନ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଏଫ୍‌ଆଇଏଚ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଥେରି ୱେଲ୍‌ ଉପସ୍ଥିତ ଥିଲେ।

ସବୁବେଳେ ବିଶ୍ବରେ ଶ୍ରେଷ୍ଠ ହକି ପ୍ରତିଯୋଗିତା ଆୟୋଜନ ନେଇ ଆମେ ପ୍ରସ୍ତୁତ। କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ରହିଥିବା ବେ​‌େ​‌ଳ ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମିତ ହୋଇଛି। ଆଉ ଏକ ଶ୍ରେଷ୍ଠ ହକି ପ୍ରତିଯୋଗିତା ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମସ୍ତ ପ୍ରତିଯୋଗୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ଏଫ୍‌ଆଇଏଚ୍‌ କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ କହିଛନ୍ତି, ହକି ବିଶ୍ବକପର ୧୫ତମ ସଂସ୍କରଣ ପାଇଁ ଓଡ଼ିଶା ପ୍ରସ୍ତୁତ। କଳିଙ୍ଗ ଷ୍ଟାଡ଼ିୟମରେ ପୂର୍ବରୁ ବିଶ୍ବକପ ଖେଳା ଯାଇଥିବା ବେଳେ ରାଉରକେଲାର ବିର୍ଶା ମୁଣ୍ଡା ଷ୍ଟାଡ଼ିୟମରେ ପ୍ରଥମ ଥର ବିଶ୍ବକପ ଖେଳାଯିବ। ଆଶା କରୁଛୁ ନୂଆ ଷ୍ଟାଡ଼ିୟମ ଦଳକୁ ଉତ୍ସାହିତ କରିବ ବୋଲି ଅହମ୍ମଦ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories