ଭୁବନେଶ୍ୱରରେ ହକି ମହାକୁମ୍ଭ : ଉଦ୍‍ଘାଟନ ଆଜି

0
ଭାରତରେ ତୃତୀୟଥର, ଓଡ଼ିଶାକୁ ପ୍ରଥମ ଆୟୋଜନ,  ଗୋଟିଏ ମଞ୍ଚରେ ୮ ଶାସ୍ତ୍ରୀୟ ନୃତ୍ୟର ମହାମିଳନ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ଭୁବନେଶ୍ୱରରେ ହକି ବିଶ୍ୱକପ ଆୟୋଜନ ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ। ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରୀଡା ହକି ବିଶ୍ୱକପ ମହାକୁମ୍ଭର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସାରା ବିଶ୍ବର ୧୬ଟି ଦେଶର ହକି ଦଳ ରାଜଧାନୀରେ ଏକାଠି ହୋଇସାରିଛନ୍ତି।
ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ସମେତ ସମଗ୍ର ଭୁବନେଶ୍ୱର ସହର ନବବଧୂ ବେଶରେ ସଜାଇ ହୋଇଛି। ବିଶ୍ୱକପ ଆୟୋଜନକୁ ସଫଳତାର ସହ ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ରୀଡା ସଂଗଠନ ଓ କର୍ମକର୍ତ୍ତା ଉଦ୍ୟମ ଚଳାଇଛନ୍ତି। ଏହି ବିଶ୍ୱକପ ପାଇଁ ଓଡ଼ିଶା ଉପରେ ବିଶ୍ୱ ହକିପ୍ରେମୀଙ୍କ ନଜର ରହିବ। ଏଭଳି ମେଗା କ୍ରୀଡା ଇଭେଣ୍ଟର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୨୪ ଘଣ୍ଟା ପରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ଟ୍ରଫି ଲଢେଇ ପୂର୍ବରୁ ଉଦ୍‍ଘାଟନୀ ଉତ୍ସବ ଲାଗି ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟନ ହେବ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ।

ମାନବତାର ଏକତା ଉପରେ ପର୍ଯ୍ୟବସିତ ହେବ ଉଦ୍‍ଘାଟନୀ ଉତ୍ସବ। ଦୁଇଘଣ୍ଟା ଧରି ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ବଲିଉଡ୍‍ର ଧକ୍‍ଧକ୍‌ ଗାର୍ଲ ଭାବେ ପରିଚିତ ମାଧୁରୀ ଦୀକ୍ଷିତ, ବଲିଉଡ୍‍ ବାଦ୍‍ଶାହା ଶାହରୁଖ ଖାନ, ଓସ୍କାର ବିଜେତା ଏଆର ରେହମାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମ ମଞ୍ଚ ପ୍ରସ୍ତୁତି ଶେଷ ହୋଇସାରିଛି। ବିଶ୍ୱକପର ଅଫିସିଆଲ ସଙ୍ଗ ଜୟ ହିନ୍ଦ, ଇଣ୍ଡିଆର ଧ୍ୱନିରେ କଳିଙ୍ଗ ଷ୍ଟାଡ଼ିୟମ ହେବ ପ୍ରକମ୍ପିତ। ଏହାଛଡ଼ା ୧୧୦୦ କଳାକାରଙ୍କ ଦ୍ୱାରା ବିଭିନ୍ନ ପିଢିର ନୃତ୍ୟ ଏଥିରେ ଦେଖିବାକୁ ମିଳିବ। ଗୋଟିଏ ମଞ୍ଚରେ ମହାମିଳନ ହେବ ଆଠ ଶାସ୍ତ୍ରୀୟ ନୃତ୍ୟ। ଶାସ୍ତ୍ରୀୟ, ଜାଜ୍‍ ଓ ବାଲେଟ୍‍ ସହ ଓଡ଼ିଶୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଏଥିପାଇଁ ଓଡ଼ିଶାର ୮୦୦ସମେତ ଦେଶର ବିଭିନ୍ନ ସ୍ଥାନରୁ ୩୦୦ କଳାକାର ରିହଲସାଲ ଶେଷ କରିଛନ୍ତି। ମାଧୁରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। ସେ ମଦର ଆର୍ଥ (ଭୂଦେବୀ) ଭୂମିକାରେ ଅବତୀର୍ଣ୍ଣ ହେବେ। ସେହିପରି ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀଙ୍କ ସମେତ ଅରୁଣା ମହାନ୍ତିଙ୍କ ନେତୃତ୍ୱରେ ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷିତ ହେବ।
ଏହି ଅବସରରେ ହକିପ୍ରତି ସମର୍ଥନ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିବା ମାଇ ହାର୍ଟ ବିଟ୍‍ ଫର ହକି ପ୍ରଶଂସକ ୧୬ ଦେଶର ଅଧିନାୟକଙ୍କୁ ପ୍ରଦାନ କରାଯିବ। ୨୮ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଦ୍ୱିତୀୟ ଉଦ୍‍ଘାଟନୀ ଉତ୍ସବ ଆୟୋଜିତ ହେବ। ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କିଙ୍ଗଖାନ ଶାହରୁଖ,  ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରେନ୍ଦର ଧୁବ୍ର ବାତ୍ରା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଯୋଗଦେବେ। ସ୍ୱତନ୍ତ୍ର ଅତିଥି ଭାବେ ୧୯୭୫ ହକି ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ଯୋଗଦେବେ। ଉଦ୍‍ଘାଟନୀ ଉତ୍ସବ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ୧୯୮୨ରେ ଭାରତରେ (ବମ୍ବେ) ପ୍ରଥମ ଥର ପାଇଁ ହକି ବିଶ୍ୱକପ ଆୟୋଜିତ ହୋଇଥିବାବେଳେ ଦ୍ୱିତୀୟ ଥର ୨୦୧୦ରେ ନୂଆଦିଲ୍ଲୀକୁ ଏହି ସୁଯୋଗ ମିଳିଥିଲା।

Leave A Reply