ସ୍ପେନକୁ ୪-୩ରେ ହରାଇଲା ଆର୍ଜେଣ୍ଟିନା

0

ଭୁବନେଶ୍ୱର : ଅଲିମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଗୁରୁବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ-ଏ’ର ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଛି। ବିଶ୍ୱ ମାନ୍ୟତା ତାଲିକାର ୨ୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ଏହି ମୁକାବିଲାରେ ଏକତରଫା ବିଜୟ ହାସଲ କରିବ ବୋଲି ହକିପ୍ରେମୀ ଯେଉଁ ଆଶା ରଖିଥିଲେ, ତାହାକୁ ସ୍ପେନ ଦଳ ଭୁଲ ପ୍ରମାଣିତ କରିଛି। ଚୂଡାନ୍ତ ଫଳାଫଳ ଆର୍ଜେଣ୍ଟିନା ସପକ୍ଷରେ ଯାଇଥିଲେ ସୁଦ୍ଧା ସ୍ପେନ ଦଳର କ୍ରୀଡାନୈପୂଣ୍ୟକୁ ଦର୍ଶକ ଉଚ୍ଚପ୍ରଶଂସା କରିଛନ୍ତି। ଏହି ବିଜୟ ଫଳରେ ଆର୍ଜେଣ୍ଟିନା ୩ ପଏଣ୍ଟ ପାଇଥିବାବେଳେ ସ୍ପେନକୁ କୌଣସି ପଏଣ୍ଟ ମିଳିନାହିଁ।
ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। ୩ ମିନିଟରେ ଏନ୍‍ରିକ୍‍ ଗଞ୍ଜାଲେଜ୍‍ଙ୍କ ଚମତ୍କାର ଫିଲ୍ଡ ଗୋଲ ବଳରେ ସ୍ପେନ ୧-୦ରେ ଆଗୁଆ ରହିଥିଲା। ତେବେ ୪ର୍ଥ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଅଗଷ୍ଟିନ୍‍ ମାଜିଲି ଗୋଲ ପରିଶୋଧ କରିଥିଲେ। ୧୩ ମିନିଟରେ ସ୍ପେନକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା। ଜୋସେପ୍‍ ରୋମିଉ କୌଣସି ତ୍ରୁଟି ନ ଦର୍ଶାଇ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ସ୍ପେନ ପୁଣି ୨-୧ ଗୋଲରେ ଆଗେଇ ଯାଇଥିଲା। ତେବେ ସ୍ପେନ ଦଳର ଏହି ଖୁସି ବେଶି ସମୟ ତିଷ୍ଠିନଥିଲା। ୧୪ ମିନିଟରେ ଲୁକାସ ଭିଲ୍ଲାଙ୍କଠାରୁ ପାସ୍‍ ପାଇ ଆର୍ଜେଣ୍ଟିନା ଖେଳାଳି ମାଜିଲି ୨ୟ ଗୋଲ ସ୍କୋର କରିବା ସହ ମ୍ୟାଚକୁ ସମାନ (୨-୨) ସ୍ଥିତିକୁ ଆଣିଥିଲେ। ୧୫ ମିନିଟରେ ଆର୍ଜେଣ୍ଟିନାକୁ ମିଳିଥିବା ପେନାଲଟି କର୍ଣ୍ଣରରୁ ଗଞ୍ଜାଲୋ ପିଲାଟ୍‍ ଗୋଲ ସ୍କୋର କରିବା ଫଳରେ ପ୍ରଥମ କ୍ୱାର୍ଟରରେ ଦଳ ୩-୨ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଅପେକ୍ଷାକୃତ ରକ୍ଷଣାତ୍ମକ ଭଙ୍ଗିରେ ଖେଳିବା ଫଳରେ କୌଣସି ଗୋଲ ହୋଇନଥିଲା। ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଆର୍ଜେଣ୍ଟିନା ସପକ୍ଷରେ ୩-୨ ରହିଥିଲା।
ତୃତୀୟ କ୍ୱାର୍ଟର ପ୍ରାରମ୍ଭରୁ ସ୍ପେନ ଦଳକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୩୫ ମିନିଟରେ ସ୍ପେନୀୟ ଖେଳାଳି ଭିନ୍‍ସେଙ୍କ୍‍ ରୁଇଜ୍‍ ଗୋଲ ଦେବାସହିତ ମ୍ୟାଚକୁ ୩-୩ ସ୍ଥିତିକୁ ଆଣିଥିଲେ। ୪୧ ମିନିଟରେ ସ୍ପେନକୁ ୨ୟ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଆର୍ଜେଣ୍ଟିନା ରକ୍ଷଣଭାଗ ଖେଳାଳିଙ୍କ ତତ୍ପରତା ଯୋଗୁଁ ଏହି ସୁଯୋଗ କାର୍ଯ୍ୟକାରୀ ହୋଇପାରିନଥିଲା। ୪୪ ମିନିଟରେ ଆର୍ଜେଣ୍ଟିନାକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଗଞ୍ଜାଲୋ ପିଲାଟ୍‍ଙ୍କ ଶକ୍ତିଶାଳୀ ସଟ୍‍କୁ ସ୍ପେନ ଗୋଲରକ୍ଷକ କ୍ୱିକୋ କର୍ଟିସ ଚମତ୍କାର ଭଙ୍ଗିରେ ଅଟକାଇବା ସହ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ଚତୁର୍ଥ କ୍ୱାର୍ଟର ୪୬ ମିନିଟରେ ସ୍ପେନକୁ ୩ୟ ପେନାଲଟି କର୍ଣ୍ଣର ମିଳିଥିଲା। ତେବେ ଜୋସେପ୍‍ ରୋମିଉଙ୍କ ସଟ୍‍କୁ ଆର୍ଜେଣ୍ଟିନା ଗୋଲରକ୍ଷକ ଜୁଆନ ଭିଭାଲଡି ଅଟକାଇଥିଲେ। ୪୯ ମିନିଟରେ ଆର୍ଜେଣ୍ଟିନାକୁ ଆଉ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ପିଲାଟ୍‍ ଏହାକୁ ଗୋଲରେ ପରିବର୍ତ୍ତନ କରିବା ଫଳରେ ଆର୍ଜେଣ୍ଟିନା ଶେଷରେ ୪-୩ ଗୋଲରେ ବିଜୟୀ ହୋଇଥିଲା।

Leave A Reply