ପୁରୁଷ ହକି ବିଶ୍ୱକପ୍‍: କିଛି ଜଣା, କିଛି ଅଜଣା

0

ଭୁବନେଶ୍ୱର: ପୁରୁଷ ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟର ୧୪ ତମ ସଂସ୍କରଣ ଓଡ଼ିଶାରେ ଆରମ୍ଭ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ବୁଧବାର ସନ୍ଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍‍ରେ ବେଲଜିୟମ୍‍ କାନାଡ଼ାକୁ ଭେଟୁଥିବା ବେଳେ ପରେ ପରେ ଭାରତ ଭେଟିବ ଦକ୍ଷିଣ ଆଫ୍ରିିକାକୁ। ବିଶ୍ୱକପ୍‍ରେ ଭାଗ ନେଇଥିବା ୧୬ଟି ଟିମ୍‍କୁ ୪ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ଭାରତ ଗ୍ରୁପ୍‍ ସିରେ ରହିଛି। ବିଶ୍ୱକପ୍‍ରେ ପ୍ରଥମ ଥର ପାଇଁ କ୍ରସ୍‍ଓଭର ପଦ୍ଧତି ଲାଗୁ ହୋଇଛି। ଓଡ଼ିଶାରେ ପ୍ରଥମ ଥର ଓ ଭାରତରେ ତୃତୀୟ ଥର ପାଇଁ ଆୟୋଜିତ ହେଉଛି ପୁରୁଷ ବିଶ୍ୱକପ୍‍ ହକି। ଏହି ପରିପ୍ରେକ୍ଷୀରେ ବିଶ୍ୱକପ୍‍ ହକିର ଇତିହାସ ଓ ଭାରତର ପ୍ରଦର୍ଶନ ଉପରେ କିଛି ଆଲୋଚନା –

– ଏହା ପୂର୍ବରୁ ୧୯୮୨ ଓ ୨୦୧୦ରେ ଭାରତରେ ପୁରୁଷ ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟ ଯଥାକ୍ରମେ ମୁମ୍ବଇ ଓ ଦିଲ୍ଲୀରେ ଆୟୋଜିତ ହୋଇଥିଲା।

– ୨୦୧୮ ସଂସ୍କରଣରେ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱକପ୍‍ ହକିରେ କ୍ରସ୍‍ଓଭର ମ୍ୟାଚ୍‍ ପଦ୍ଧତି ଅନୁସରଣ କରାଯାଉଛି। ଗ୍ରୁପ୍‍ ମ୍ୟାଚ୍‍ ପରେ ପ୍ରତି ଗ୍ରୁପ୍‍ର ଶୀର୍ଷ ଟିମ୍‍ କ୍ୱାଟର ଫାଇନାଲ୍‍ ଖେଳିବାକୁ ଯୋଗ୍ୟ ବିବେଚିତ ହେବ। ସେହିପରି ଗ୍ରୁପ୍‍ର ସବୁଠାରୁ ତଳେ ଥିବା ଟିମ୍‍ ମ୍ୟାଚ୍‍ରୁ ବାହାର ହୋଇଯିବ। ପ୍ରତି ଗ୍ରୁପ୍‍ର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍‍ ମଧ୍ୟରେ କ୍ୱାର୍ଟର ଫାଇନାଲ୍‍ ପାଇଁ ମୁକାବିଲା ହେବ।

-୧୯ ଦିନ ପାଇଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩୬ଟି ମ୍ୟାଚ୍‍ ଖେଳାଯିବ।

– ପୁରୁଷ ବିଶ୍ୱକପ୍‍ ହକି ଇତିହାସରେ ଭାରତ ମାତ୍ର ଥରେ ବିଜେତା ହୋଇଛି। ଆଜିକୁ ୪୩ ବର୍ଷ ପୂର୍ବେ ୧୯୭୫ରେ ମାଲେସିଆ ରାଜଧାନୀ କ୍ୱାଲାଲାମପୁରଠାରେ ଅନୁଷ୍ଠିତ ପୁରୁଷ ବିଶ୍ୱକପ୍‍ ହକି ଫାଇନାଲ୍‍ରେ ପାକିସ୍ତାନକୁ ୨-୧ ଗୋଲରେ ହରାଇ ଭାରତ ବିଶ୍ୱ ବିଜେତା ଗୌରବ ହାସଲ କରିଥିଲା।

– ୩୦ ବର୍ଷୀୟ ଶ୍ରୀଜେଶ ଭାରତୀୟ ଟିମ୍‍ର ସବୁଠାରୁ ବୟସ୍କ ଖେଳାଳି। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ପୁରୁଷ ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି।

– ଦିଲପ୍ରୀତ ସିଂହ ଭାରତୀୟ ଟିମ୍‍ର ସର୍ବକନିଷ୍ଠ(୧୯) ଖେଳାଳି।

-ଭାରତୀୟ ଟିମ୍‍ର ଖେଳାଳିଙ୍କ ହାରହାରି ବୟସ ୨୨ବର୍ଷ। ୨୦୧୬ ବିଶ୍ୱକପ୍‍ ଜୁନିୟରରେ ଭାଗ ନେଇଥିବା ୭ଜଣ ଖେଳାଳି ଚଳିତ ଥର ପୁରୁଷ ବିଶ୍ୱକପ୍‍ ହକିରେ ଭାଗ ନେଇଛନ୍ତି।

– ୨୬ ବର୍ଷ ବୟସ୍କ ନେଦରଲ୍ୟାଣ୍ଡ ଖେଳାଳି ପଲ୍‍ ଲିଟିଙ୍ଗ ଚତୁର୍ଥ ବୟସ୍କ ଖେଳାଳି ଭାବେ ପୁରୁଷ ବିଶ୍ୱକପ୍‍ ହକିରେ ଭାଗ ନେଉଥିବା ବେଳେ ଏହା ତାଙ୍କର ଚତୁର୍ଥ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ।

– ପୁରୁଷ ବିଶ୍ୱକପ୍‍ ହକି ଟାଇଟେଲ୍‍କୁ ପାକିସ୍ତାନ ସର୍ବାଧିକ ୪ ଥର ଜିତିଛି। ୧୯୭୧, ୧୯୭୮, ୧୯୮୨ ଓ ୧୯୯୪ରେ ପାକିସ୍ତାନକୁ ଏହି ମୁକୁଟ ମିଳିଥିଲା।

– ବିଶ୍ୱକପରେ ସର୍ବାଧିକ ମ୍ୟାଚ୍‍ ଜିତିବା ଓ ସର୍ବାଧିକ ଗୋଲ୍‍ କରିବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି। ଏହି ଟିମ୍‍ ବିଶ୍ୱକପ୍‍ରେ ୬୪ଟି ମ୍ୟାଚ୍‍ ଜିତିଥିବା ବେଳେ ପ୍ରତିପକ୍ଷଙ୍କୁ ୨୭୬ଟି ଗୋଲ୍‍ ଦେଇଛି।

– ସର୍ବାଧିକ ଗୋଲ୍‍ ବ୍ୟବଧାନରେ ବିଜୟ ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ନାମରେ ରହିଛି। ଅଷ୍ଟ୍ରେଲିଆ ୨୦୧୦ରେ ନୂଆଦିଲ୍ଳୀଠାରେ ୧୨-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।

– ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ୍‍ କରିବାର ରେକର୍ଡ ପାକିସ୍ତାନ ନାମରେ ରହିଛି। ୧୯୮୨ରେ ମୁମ୍ବଇଠାରେ ପାକିସ୍ତାନ ବିପକ୍ଷ ଦଳମାନଙ୍କ ବିରୋଧରେ ମୋଟ ୩୮ଟି ଗୋଲ୍‍ ସ୍କୋର କରିପାରିଥିଲା।

– ସର୍ବାଧିକ ପୁରୁଷ ବିଶ୍ୱକପ୍‍ ଖେଳିବାର ରେକର୍ଡ ନେଦରଲ୍ୟାଣ୍ଡର ଟାଇ କ୍ର୍ୟୁଜ୍‍ଙ୍କ ନାମରେ ରହିଛି। ସେ ୧୯୭୧, ୧୯୭୩, ୧୯୭୫, ୧୯୭୮, ୧୯୮୨, ୧୯୮୬ରେ ବିଶ୍ୱକପ୍‍ ଖେଳିଥିଲେ।

– ସର୍ବାଦ୍ରୁତ ଗୋଲ୍‍ କରିବାର ରେକର୍ଡ ନ୍ରୁ୍ୟଜଲାଣ୍ଡର ଷ୍ଟିଭ୍‍ ଏଡ୍‍ୱାର୍ଡଙ୍କ ନାମରେ ରହିଛି। ୨୦୧୪ରେ ଦକ୍ଷିଣ ଆଫ୍ରିକା ବିରୋଧରେ ମ୍ୟାଚ୍‍ ଆରମ୍ଭ ହେବାର ମାତ୍ର ୧୧ ସେକେଣ୍ଡ ଭିତରେ ସେ ଗୋଲ୍‍ କରିଥିଲେ।

– ଗୋଟିଏ ମ୍ୟାଚ୍‍ରେ ୫ଟି ଗୋଲ କରିବାର ରେକର୍ଡ ଦୁଇ ଜଣଙ୍କ ନାମରେ ରହିଛି। ନେଦରଲ୍ୟାଣ୍ଡର ଟି ଭାନ୍‍ ଡେନ୍‍ ହୋନେର୍ଟ ବେଲଜିୟମ୍‍ ବିରୋଧରେ ୧୯୯୪ରେ ୫ଟି ଗୋଲ୍‍ କରିଥିବା ବେଳେ ନେଦରଲ୍ୟାଣ୍ଡର ଟିକ୍‍ ଟେକ୍‍ମିଆ ୨୦୦୬ରେ ଭାରତ ବିରୋଧରେ ୫ଟି ଗୋଲ୍‍ କରିଥିଲେ।

– ଟୁର୍ଣ୍ଣାମେଣ୍ଟରେ ବ୍ୟକ୍ତିଗତ ଭାବେ ସର୍ବାଧିକ ଗୋଲ୍‍ ଦେବାର ରେକର୍ଡ ନେଦରଲ୍ୟାଣ୍ଡର ପଲ୍‍ ଲିଟିଙ୍ଗସ୍‍ଙ୍କ ନାମରେ ରହିଛି। ୧୯୭୮ ପୁରୁଷ ବିଶ୍ୱକପ୍‍ ହକି ଟୁର୍ଣ୍ଣାମେଣ୍ଟରେ ୧୫ଟି ଗୋଲ ଦେଇ ସେ ଏହି ବିରଳ ରେକର୍ଡ ନିଜ ନାମରେ କରିଥିଲେ।

– ପୁରୁଷ ବିଶ୍ୱକପ୍‍ ହକିରେ ସର୍ବାଧିକ ସ୍ୱର୍ଣ୍ଣପଦକ ପାଇଥିବା ଖେଳାଳି ହେଉଛନ୍ତି ପାକିସ୍ତାନର ଅଖ୍‍ତର ରସୁଲ୍‍। ୧୯୭୧, ୧୯୭୮, ୧୯୮୨ରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

– ପୁରୁଷ ବିଶ୍ୱକପ୍‍ ହକି ଇତିହାସରେ ପ୍ରଥମ ଥର ପାଇଁ ଚାରିଟି ପର୍ଯ୍ୟାୟରେ ମ୍ୟାଚ୍‍ ଖେଳାଯିବ। ପ୍ରତି ପର୍ଯ୍ୟାୟ ୧୫ ମିନିିଟ ଅବଧି ବିଶିଷ୍ଟ ହେବ। ପ୍ରତି ପେନାଲ୍ଟି କର୍ଣ୍ଣର ଓ ଗୋଲ୍‍ ହେବା ପରେ ୪୦ ସେକେଣ୍ଡର ଟାଇମ୍‍ ଆଉଟ ଦିଆଯିବ।

– ବିଶ୍ୱ ହକିରେ ଭାରତର ରାଙ୍କ ୫ ରହିଛି। ପୁଲ ସିରେ ଭାରତ ଉପରକୁ କେବଳ ବେଲ୍‍ଜିୟମ୍‍ର ର୍ୟାଙ୍କ ୩ ରହିଛି। କାନାଡ଼ାର ରାଙ୍କ ୧୧ ଓ ଦକ୍ଷିଣ ଆଫ୍ରିକାର ରାଙ୍କ ୧୫ ରହିଛି।

-୨୦୧୪ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ପୁରୁଷ ବିଶ୍ୱକପ୍‍ ହକିରେ ୧୨ଟି ଦଳ ଭାଗ ନେଇଥିବା ବେଳେ ଭାରତର ନବମ ସ୍ଥାନରେ ରହିଥିଲା।

– ୨୦୦୨ ପରେ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱକପ୍‍ ହକିରେ ୧୬ଟି ଟିମ୍‍ ଭାଗ ନେଉଛନ୍ତି।

-ଚୀନ୍‍ ପ୍ରଥମ ଥର ପାଇଁ ପୁରୁଷ ବିଶ୍ୱକପ୍‍ ହକିରେ ଭାଗ ନେଉଛି।

Leave A Reply