ହକି ବିଶ୍ୱକପ୍‍ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ

0

ଭୁବନେଶ୍ୱର : ଦିନକ ପରେ ହକି ବିଶ୍ୱକପ୍‍ର ଉଦ୍‍ଘାଟନ ଉତ୍ସବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ ହକି ବିଶ୍ୱକପ୍‍ ମହାସମର। ହକି ମହାକୁମ୍ଭ ଦେଖିବା ପାଇଁ ସାରା ବିଶ୍ୱରୁ ବିଦେଶୀ ପର୍ଯ୍ୟଟକଙ୍କ ଓଡ଼ିଶା ଆଗମନ ଆରମ୍ଭ ହୋଇଛି। ପୁଣି ବହୁ ପର୍ଯ୍ୟଟକ ଡିସେମ୍ବର ୧୬ ପୂର୍ବରୁ ଭୁବନେଶ୍ୱର ଆସିବା ସମ୍ଭାବନା ରହିଛି। ତେବେ ଅନେକ ବିଦେଶୀ ପର୍ଯ୍ୟଟକ ଭାରତ ସମ୍ପର୍କରେ ଜାଣନ୍ତି କିନ୍ତୁ ଓଡ଼ିଶା କେଉଁଠି ଅଛି ଜାଣନ୍ତି ନାହିଁ। ସେଥିପାଇଁ ଏବେ ସ୍ୱତନ୍ତ୍ର ଭାରତ ମାନଚିତ୍ର ପ୍ରସ୍ତୁତ ହୋଇଛି, ଯେଉଁଠି ଓଡ଼ିଶା ମାନଚିତ୍ର ଅଧିକ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରାଯାଇଛି। ହକି ବିଶ୍ୱକପ୍‍ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ତାହାକୁ ମଧ୍ୟ ମାନଚିତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଏହି ସ୍ୱତନ୍ତ୍ର ଭାରତୀୟ ମାନଚିତ୍ରକୁ ବିଭିନ୍ନ ଦେଶର ଭାରତୀୟ ଦୂତାବାସରେ ପ୍ରଦର୍ଶିତ କରାଯାଇଛି। ସେହିପରି ବିଦେଶରେ ଥିବା ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟରେ ମଧ୍ୟ ନୂଆ ଭାରତୀୟ ମାନଚିତ୍ର ପ୍ରଦର୍ଶିତ କରାଯାଇଛି। ଯାହା ଭାରତ ଆସିବାକୁ ଥିବା ପର୍ଯ୍ୟଟକ ଦେଖିପାରିବେ। ଭାରତ ଆସି ହକି ବିଶ୍ୱକପ୍‍ ଦେଖିବା ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ରାଜିଥିବା ପର୍ଯ୍ୟଟକଙ୍କୁ ଭାରତୀୟ ଦୂତାବାସ ଓ ପର୍ଯ୍ୟଟକ କାର୍ଯ୍ୟାଳୟ ମୌଳିକ ସୁବିଧା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହିତ ମିଳିତ ସମନ୍ୱୟରେ ଭାରତୀୟ ପର୍ଯ୍ୟଟନ ବିଦେଶୀ ପର୍ଯ୍ୟଟକଙ୍କୁ ରାଜ୍ୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ପ୍ରସ୍ତୁତ କରିଛି। ଏଥିରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଭୁବନେଶ୍ୱର ଧଉଳିକୁ ସ୍ଥାନିତ କରାଯାଇଛି। ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ଶାନ୍ତିସ୍ତୂପ ଧଉଳି। ତେଣୁ ହକି ବିଶ୍ୱକପ୍‍ ସମୟରେ ଦେଶବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଲାଗି ଧଉଳି କିଭଳି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଭାରତୀୟ ପର୍ଯ୍ୟଟନ ସହାୟକ ନିର୍ଦେଶକ ପ୍ରବୀର ଚକ୍ରବର୍ତ୍ତୀ କହିଛନ୍ତି।
ଧଉଳି ପାହାଡ଼ ନିକଟରେ ୨ଟି ପୁରାତନ ଗୁମ୍ଫାର ସନ୍ଧାନ କରାଯାଇଛି। ସେହିପରି ଏଠାରୁ ୨ଟି ଶିଳାଲିପି ଉଦ୍ଧାର ହୋଇଛି। ଅପରପକ୍ଷରେ ହାତ ତିଆରି ଖପରା, ବିଭନ୍ନ ରଙ୍ଗର ଖପରା ଓ ପଥରର ବାସନ ଉଦ୍ଧାର କରାଯାଇଛି। ଫଳରେ ଧଉଳି ଅଞ୍ଚଳରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ବୃହତ ଜନବସତି ଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍‍ ଦାବି କରିଛନ୍ତି। ଓଡ଼ିଶା ଇତିହାସର ପ୍ରଥମ ତାରିଖ ଥିବା ଐତିହାସିକ ଘଟଣା ତଥା ଭାରତ ଏବଂ ବିଶ୍ୱ ଇତିହାସକୁ ବିଶେଷ ଗୁରୁତ୍ୱ ରଖୁଥିବା ଖ୍ରୀଷ୍ଟପୂର୍ବ ୨୬୧ର କଳିଙ୍ଗ ଯୁଦ୍ଧକୁ ନେଇ ଯଦିଓ ବିତର୍କ ଦେଖାଦେଇଛି, ତଥାପି ଧଉଳିକୁ ସମ୍ଭାବ୍ୟ କଳିଙ୍ଗ ଯୁଦ୍ଧର ସ୍ଥାନ ଭାବେ କିଛି ଐତିହାସିକ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଠାରେ ସମ୍ରାଟ ଅଶୋକଙ୍କ ବୌଦ୍ଧଧର୍ମର ଭିତ୍ତି ପଡ଼ିଥିଲା ବୋଲି କୁହାଯାଇପାରେ। ସେହିପରି ଲଳିତଗିରି ଓ ରତ୍ନଗିରି ସମୃଦ୍ଧ ବୌଦ୍ଧ କୀର୍ତ୍ତିରାଜି ରହିଛି। ଏଠାରେ ଭଗବାନ ଗୌତମ ବୁଦ୍ଧଙ୍କ ଦେହାବଶେଷ ସଂରକ୍ଷଣ କରାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କୁ ଧଉଳି ଶାନ୍ତିସ୍ତୂପ, ଲଳିତଗିରି ଓ ରତ୍ନଗିରି ସାଙ୍ଗକୁ ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ଓଡ଼ିଶାରେ ରହଣି ମଧ୍ୟରେ ସେମାନଙ୍କୁ କିଭଳି ଓଡ଼ିଶା ବେଳାଭୂମି, ପରିବେଶ ପର୍ଯ୍ୟଟନ, ଐତିହ୍ୟ, ପୁରାତନ ମଠ ମନ୍ଦିର, ଉଦ୍ଭିଦ ଉଦ୍ୟାନ, ଜଳପ୍ରପାତ ଆଦି ସ୍ଥାନକୁ ପରିଭ୍ରମଣରେ ନିଆଯାଇପାରିବ ଏବଂ ସେମାନେ ରାଜ୍ୟର ସବୁଜିମାମୟ ପ୍ରାକୃତିକ ଦୃଶ୍ୟ ଉପଭୋଗ କରି ନିଆରା ଅନୁଭୂତି ନେଇ ଫେରିବେ ସେସବୁ ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ଚାଟାର୍ଜି କହିଛନ୍ତି।
ହକି ବିଶ୍ୱକପରେ ବିଦେଶରୁ ପ୍ରାୟ ୧୫ହଜାର ପର୍ଯ୍ୟଟକ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ତେବେ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ପ୍ରାୟ ୧୦ହଜାର ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଖେଳ ଦେଖିବା ପାଇଁ ଆସିବେ। ଯେଉଁ ପର୍ଯ୍ୟଟକଙ୍କ ଭିସା ଅବଧି ଶେଷ ହୋଇଯାଉଥିବା ତାହାର ଅନ୍‍ଲାଇନ୍‍ ନବୀକରଣ ପାଇଁ ପର୍ଯ୍ୟଟନ ବିଭାଗ ସବୁ ପ୍ରକାର ସୁବିଧା ଯୋଗାଇଦେବ। ଦିନକୁ ପରେ ହକି ବିଶ୍ୱକପ୍‍ ଉଦ୍‍ଘାଟନ ଉତ୍ସବ ଥିବାରୁ ପ୍ରାୟ ୨ହଜାର ପର୍ଯ୍ୟଟକ ଭୁବନେଶ୍ୱର ଆସି ବିଭିନ୍ନ ହୋଟେଲ୍‍ ଓ ରେଷ୍ଟୁରାଣ୍ଟରେ ରହିଥିବା ଜଣାପଡ଼ିଛି।

Leave A Reply