ଆରପାରିରେ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ

ରାଉରକେଲା: ଅର୍ଜୁନ ପୁରସ୍କାର ବିଜେତା ତଥା ଭାରତ ଜିତିଥିବା ଏକମାତ୍ର ବିଶ୍ବକପ୍ ଚମ୍ପିଆନ୍ ଦଳର ସଦସ୍ୟ ହକି କିମ୍ବଦନ୍ତୀ ଅଲମ୍ପିଆନ ମାଇକେଲ କିଣ୍ଡୋ ଆଉ ନାହାନ୍ତି। ଗୁରୁବାର ଅପରାହ୍ନରେ ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍)ରେ ପ୍ରାୟ ୭୪ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଛି। କିଣ୍ଡୋଙ୍କ ବିୟୋଗରେ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମାଇକେଲ କିଣ୍ଡୋ ଅସୁସ୍ଥ ଥିବା ବେଳେ ଗୁରୁବାର ପ୍ରତ୍ୟୁଷରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଆଇଜିଏଚ୍ ନିଆ ଯାଇଥିଲା। ସେଠାରେ ତାଙ୍କର ବିୟୋଗ ଘଟିଛି।

ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ବକାଳରୁ ରାଉରକେଲାରେ ରହି ଆସୁଥିବା ସ୍ୱର୍ଗତ କିଣ୍ଡୋ ଭାରତୀୟ ହକି ପାଇଁ ଅନେକ ଗୌରବ ଆଣିଥିଲେ। ଝାଡ଼ଖଣ୍ଡ ରାଜ୍ୟର କୁରଡେଗର ମୂଳବାସିନ୍ଦା ସ୍ୱର୍ଗତ କିଣ୍ଡୋ ଆର୍ଏସ୍ପିରୁ ଅବସର ଗ୍ରହଣ କରିବା ପରେ ରାଉରକେଲା ଶିଳ୍ପ ସହରାଞ୍ଚଳର ସେକ୍ଟର-୬ରେ ସପରିବାର ସହିତ ରହି ଆସୁଥିଲେ। ଗତ କିଛିଦିନ ଧରି ସେ ମଧୁମେହ ରୋଗରେ ପୀଡ଼ିତ ଥିବା ସହ ଆଣ୍ଠୁଜନିତ ଓ ଶ୍ରବଣ ସମସ୍ୟାରେ ପୀଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ତଥା ଜାତୀୟ ସ୍ତରର ଟେବୁଲ ଟେନିସ୍ ଖେଳାଳି ଆଲବର୍ଟ ଏବଂ ମାଇକେଲ୍ଙ୍କ ପତ୍ନୀ ଶୀଲା କିଣ୍ଡୋଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। କିଣ୍ଡୋଙ୍କ ପାର୍ଥିବ ଶରୀରକୁ ଆଇଜିଏଚ୍ ମର୍ଗ ହାଉସରେ ରଖାଯାଇଛି। ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଭାରତୀୟ ହକିରେ ମାଇକେଲ କିଣ୍ଡୋ ଏକ ସମ୍ମାନସ୍ପଦ ନାମ। ଭାରତୀୟ ଦଳର ସର୍ବକାଳୀନ ସର୍ବଶ୍ରେଷ୍ଠ ଡିଫେଣ୍ଡର ଭାବେ ତାଙ୍କୁ ଗଣନା କରା ଯାଉଥିଲା। ମାଇକେଲ୍ ୩ଟି ବିଶ୍ୱକପ (୧୯୭୧, ୧୯୭୩ ଓ ୧୯୭୫) ଖେଳିବାର ସୌଭାଗ୍ୟ ହାସଲ କରିଥିଲେ। ୧୯୭୫ରେ କୁଆଲା ଲମ୍ପୁରରେ ଭାରତ ଏକମାତ୍ର ବିଶ୍ୱକପ୍ ଜିତିଥିବା ବେଳେ ମାଇକେଲ କିଣ୍ଡୋ ଏହି ଦଳର ସଦସ୍ୟ ଥିଲେ। ୧୯୭୨ରେ ଜର୍ମାନରର ମୁନିକ୍ରେ ଅନୁଷ୍ଠିତ ଅଲମ୍ପିକ୍ସରେ ସେ ଖେଳିଥିବା ବେଳେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଝାଡ଼ଖଣ୍ଡ (ତତ୍କାଳୀପ ବିହାର)ର ସିମ୍ଡେଗା ଜିଲାର କୁରଡେଗ ଗ୍ରାମରେ ୧୯୪୭ ଜୁନ୍ ୨୦ରେ ମାଇକେଲ କିଣ୍ଡୋ ଜନ୍ମଗ୍ରହଣ କରିଥିଲେ। ଛୋଟ ବେଳୁ ହକି ଖେଳ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ। ଗାଁରେ ବାଡ଼ିକୁ ହକି ଷ୍ଟିକ୍ କରି ସାଙ୍ଗମାନଙ୍କ ସହ ଖେଳୁଥିଲେ। ୧୯୬୨ରେ ନୌସେନାରେ ତାଙ୍କୁ ନିଯୁକ୍ତି ମିଳିଲା। ଫଳରେ ସେ ସେନା ଦଳ ପାଇଁ ହକି ଖେଳିଥିଲେ। ୧୯୭୨ରେ ସେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ। ୧୯୭୧ ହକି ବିଶ୍ୱକପ ପରେ କିଣ୍ଡୋ ୧୯୭୨ ଅଲମ୍ପିକ୍ସ ଖେଳିଥିଲେ। ପରେ ୧୯୭୩ ଓ ୧୯୭୫ରେ ବିଶ୍ୱକପ୍ରେ ଖେଳିବା ପାଇଁ ଭାରତୀୟ ଦଳ ସୁଯୋଗ ପାଇଥିଲେ। ୧୯୭୫ରେ ଭାରତୀୟ ଦଳ ହକି ବିଶ୍ୱକପ ଜିତିବା ପରେ ପଞ୍ଜାବ ସରକାର ମାଇକେଲଙ୍କୁ ଏକ ସ୍କୁଟର ଉପହାର ଦେଇଥିଲେ। ଏହା ତାଙ୍କ କ୍ରୀଡ଼ା ଜୀବନକୁ ଅଧିକ ସ୍ମରଣୀୟ କରିଥିଲା।

ହକିର ଅର୍ନ୍ତଜାତୀୟ ଖେଳାଳିଙ୍କୁ ନେଇ ଗଠିତ ବିଶ୍ୱ ଏକାଦଶରେ ମାଇକେଲ ଦୁଇଥର ମନୋନୀତ ହୋଇଥିଲେ। କ୍ରୀଡ଼ା କୃତିତ୍ବ ପାଇଁ କିଣ୍ଡୋ ୧୯୭୩ ନଭେମ୍ବର ୨୦ରେ ତତ୍କାଳୀନ ରାଷ୍ଟ୍ରପତି ଡ. ଭି.ଭି. ଗିରିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ। ୧୯୭୩ରେ ଝାଡଖଣ୍ଡ ସୀମଡେଗାର ଶୀଲା କିଣ୍ଡୋଙ୍କୁ ସେ ବିବାହ କରିଥିଲେ। ୧୯୭୭ରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍)ରେ ଚାକିରି ପ୍ରସ୍ତବ ପାଇ କିଣ୍ଡୋ ରାଉରକେଲା ଇସ୍ପାତ କାରଖାନାରେ ଯୋଗ ଦେଇଥିଲେ। ଆରଏସ୍ପିରେ ଚାକିରି କାଳରେ ସେ ଦୁଇଥର ଓଡ଼ିଶା ଦଳ ପକ୍ଷରୁ ଖେଳିଥିଲେ। ତାଙ୍କ ନେତୃତ୍ୱରେ ଓଡ଼ିଶା ଦଳ ପ୍ରଥମ ଜାତୀୟ ହକି ଚମ୍ପିଆନସିପ୍ରେ ପ୍ରବେଶ କରିବା ସହିତ ସେମିଫାଇନାଲ୍ ଖେଳିବାର ସୁଯୋଗ ପାଇଥିଲା। ପରେ ମାଇକେଲ୍ ଆରଏସିପର କ୍ରୀଡ଼ା ବିଭାଗର ନୂତନ ପ୍ରତିଭାଙ୍କୁ ତାଲିମ ପ୍ରଦାନ କରିଥିଲେ। ତାଙ୍କ ଉଦ୍ୟମକ୍ରମେ ରାଉରକେଲାରେ ୧୯୯୨ରେ ସେଲ୍ ହକି ଏକାଡେମୀ ପ୍ରତିଷ୍ଠା ହୋଇଥିଲା। ୨୦୦୪ରେ ସେ ଆରଏସିପରୁ ଅବସର ଗ୍ରହଣ କରିଥିଲେ।

ମାଇକେଲ୍ କିଣ୍ଡୋଙ୍କ ୧ପୁଅ ଓ ୨ଝିଅ। ସେକ୍ଟର-୬ରେ ଏକ ସେଲ୍ କ୍ୱାର୍ଟରରେ ମାଇକେଲ ପତ୍ନୀ ଶୀଲା, ପୁଅ ଟେବୁଲ ଟେନିସ ପ୍ରଶିକ୍ଷକ ଆଲବର୍ଟ କିଣ୍ଡୋ, ବ୍ୟାଙ୍କ୍ରେ ଚାକିରି କରିଥିବା ବୋହୂ ବିନିତା ପ୍ରଭା ଲାକ୍ରା ଓ ନାତି ତଥା ଟେବୁଲ ଟେନିସ ଖେଳାଳି ଅଙ୍କିିତ କିଣ୍ଡୋଙ୍କ ସହିତ ରହୁଥିଲେ। ଏହି ମହାନ ଖେଳାଳିଙ୍କୁ ଭାରତୀୟ ହକି ଖେଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ଅଲମ୍ପିଆାନ ଲାଜରୁସ ବାର୍ଲା, ପ୍ରବୋଧ ତିର୍କୀ, ଇଗ୍ନେସ ତିର୍କଙ୍କ ଭଳି ଖେଳାଳି ପ୍ରେରଣାର ଉତ୍ସ ବୋଲି କହିଛନ୍ତ। ତେବେ ମାଇକେଲ୍ ଝାଡ଼ଖଣ୍ଡର ମୂଳ ଖେଳାଳି ହୋଇଥିବାରୁ ତାଙ୍କୁ ଓଡ଼ିଶା ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଯେପରି ସମ୍ମାନ ପ୍ରଦାନ କରିବା କଥା; ତାହା କରିନଥିବା ଅଭିଯୋଗ ହୁଏ।

Comments are closed.