ହକି ଇଣ୍ଡିଆର ପୁନଃଗଠନ : ଓଡ଼ିଶା ଉପରେ ପ୍ରଭାବ ପକାଇବ?

୨୦୧୪ରୁ ଓଡ଼ିଶା ହକି ସହ ସମ୍ପୃକ୍ତ ଅଛନ୍ତି ନରିନ୍ଦର ବାତ୍ରା, ହକି ଆସୋସିଏସନ ଅଫ ଓଡ଼ିଶାକୁ ମିଳିନି ଆଇଓଏର ସ୍ବୀକୃତି !

କଟକ : ବୁଧବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ହକି ଇଣ୍ଡିଆ ପରିଚାଳନା ପାଇଁ ୩ ଜଣିଆ ପ୍ରଶାସନିକ କମିଟି ଗଠନ କରିଛନ୍ତି । ଏହା ଛଡ଼ା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ହକି ଇଣ୍ଡିଆର ଆଜୀବନ ସଦସ୍ୟତାକୁ ମଧ୍ୟ ଉଚ୍ଛେଦ କରିଛନ୍ତି । ଜାତୀୟ କ୍ରୀଡ଼ା ନୀତି ଅନୁସାରେ ୨୦ ସପ୍ତାହ ମଧ୍ୟରେ ହକି ଇଣ୍ଡିଆର ସମ୍ବିଧାନ ସଂଶୋଧନ କରିବାକୁ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି । ଫଳରେ ହକି ଇଣ୍ଡିଆର ପୁନଃଗଠନ ହେବା ସହ ଏହାର ସମସ୍ତ କର୍ମକର୍ତ୍ତା ଏବେ ପଦ ହରାଇବା ନିଶ୍ଚିତ ହୋଇଛି ।
ନ୍ୟାୟାଳୟଙ୍କ ଏଭଳି ରାୟ ପରେ ହକି ଇଣ୍ଡିଆର ଆଜୀବନ ସଦସ୍ୟ ରହିଥିବା ନରିନ୍ଦର ଧ୍ରୁବ ବାତ୍ରା ଏବେ ଆଜୀବନ ସଦସ୍ୟରୁ ବାଦ୍‌ ପଡିବା ସହ ଅନ୍ତର୍ଜାତୀୟ ହକି ମହାସଂଘ ପଦ ହରାଇବା ମଧ୍ୟ ସ୍ପଷ୍ଟ ହୋଇଛି । ନ୍ୟାୟାଳୟର ଏହି ରାୟ ପରେ ହକି ଇଣ୍ଡିଆ କର୍ମକର୍ତ୍ତାଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଏହାର ପ୍ରଭାବ ଓଡ଼ିଶା ହକି ଉପରେ ପଡିବାର ମଧ୍ୟ ସମ୍ଭାବନା ରହିଛି। ଓଡ଼ିଶା ହକି ସହିତ ନରିନ୍ଦର ଧ୍ରୁବ ବାତ୍ରା ୨୦୧୪ରୁ ସିଧାସଳଖ ସମ୍ପୃକ୍ତି ରହିଛନ୍ତି। ଏଥିମଧ୍ୟରେ ହକି ଇଣ୍ଡିଆ ହକି ଓଡ଼ିଶାର ସ୍ବୃକୃତି ପ୍ରତ୍ୟାହାର କରିବା ସହିତ ନବଗଠିତ ହକି ଆସୋସିଏସନ ଅଫ ଓଡ଼ିଶାକୁ ସ୍ବିକୃତି ଦେଇଛି। ଏବେ ବାତ୍ରାଙ୍କ ଉପରେ ନ୍ୟାୟାଳୟ ଛାଟ ଓ ସିବିଆଇ ଖଣ୍ଡା ଝୁଲିଥିବାବେଳେ ଏହାର ପ୍ରଭାବ ଓଡ଼ିଶା ହକିରେ ପଡିବା ନେଇ ଚର୍ଚ୍ଚା ଜୋର ଧରିଛି। ବାତ୍ରାଙ୍କ ସଦସ୍ୟତା ଅବୈଧ ହେବା ପରେ ହକି ଆସୋସିଏସନ ଅଫ ଓଡ଼ିଶାର ଭବିଷ୍ୟତ କଣ ତାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଓଡ଼ିଶା ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ୨୦୧୮ରୁ ରହି ଆସିଛନ୍ତି । ୨୦୩୩ ପର୍ଯ୍ୟନ୍ତ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ୨୦୧୮ ପୁରୁଷ ହକି ବିଶ୍ବକପ ଓଡ଼ିଶାରେ ଆୟୋଜିତ ହୋଇଥିବାବେଳେ ୨୦୨୩ ହକି ବିଶ୍ବକପ ମଧ୍ୟ ଭୁୂବନେଶ୍ବର ଓ ରାଉରକେଲାରେ ହେବ। ହକି ଓଡ଼ିଶାର ସମ୍ପାଦକ ପ୍ରତାପ ଶତପଥୀ କୁହନ୍ତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ରାୟ ପରେ ଓଡ଼ିଶା ହକି ଉପରେ କଣ ପ୍ରଭାବ ପଡିବ ତାହା ସମୟ କହିବ। ଓଡ଼ିଶା ସରକାର ହକି ପାଇଁ ଯାହା କରୁଥିଲେ ତାହା ବାତ୍ରାଙ୍କ ଜରିଆରେ କରୁଥିଲେ । ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ତୋଷାରପାତ ଅଭିଯୋଗରେ ବାତ୍ରାଙ୍କ ବିରୁଦ୍ଧରେ ସିବିଆଇ ତଦନ୍ତ ଚାଲିଛି। ଉକ୍ତ ୩୫ ଲକ୍ଷ ଟଙ୍କା କାହାର ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସଂସଦର ମତ ରଖିଥିଲେ ଯେ, ଭାରତୀୟ ହକି ଦଳ ପାଇଁ କେନ୍ଦ୍ର ସରକାର ସବୁ ଖର୍ଚ୍ଚ କରୁଛନ୍ତି । ଓଡ଼ିଶା ସରକାର ହକି ପାଇଁ ଯେଉଁ କୋଟି​‌କୋଟି ଟଙ୍କା ଦେଉଛନ୍ତି ତାହା କେଉଁ କ୍ଷେତ୍ରରେ ର୍ଖଚ୍ଚ ହେଉଛି ବୋଲି ଶ୍ରୀ ଶତପଥୀ କହିଛନ୍ତି । ୱେବସାଇଟ୍‌ ନଥିବାରୁ ହକି ଇଣ୍ଡିଆ ହକି ଓଡ଼ିଶାର ମାନ୍ୟତାକୁ ରଦ୍ଦ କରିଥିଲା । ହକି ଆସୋସିଏସନ ଅଫ ଓଡ଼ିଶାକୁ ହକି ଇଣ୍ଡିଆର ୩ ଜଣିଆ କମିଟି ସ୍ବିକୃତି ଦେଇଛି। ବାତ୍ରା କରିଥିବା କାର୍ଯ୍ୟ ଆଇନସମ୍ମତ ନୁହେଁ ବୋଲି ନ୍ୟାୟାଳୟ ରାୟ ଦେଇଛନ୍ତି। ଏଭଳି ସ୍ଥିତିରେ ହକି ଆସୋସିଏସନ ଓଡ଼ିଶାକୁ କିଭଳି ହକି ଇଣ୍ଡିଆର ମାନ୍ୟତା ମିଳିବ। ବର୍ତ୍ତମାନ ଭାରତୀୟ ଅଲିମ୍ପିକ୍‌ସ ସଂଘ ଏପର୍ଯ୍ୟନ୍ତ ହକି ଆସୋସିଏସନ ଅଫ ଓଡ଼ିଶାକୁ ଅନୁମୋଦନ ଦେଇନାହିଁ। ଏ ନେଇ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜବାବ ରଖିଛନ୍ତି। ଗୋଟିଏ ରାଜ୍ୟ ଗୋଟିଏ ସଂଘ ନିୟମ ଆଧାରରେ ହକି ଓଡ଼ିଶା ଏବେ ସୁଦ୍ଧା ଓଓଏର ଅନୁବନ୍ଧିତ ୟୁନିଟ୍‌ ରହିଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।

Comments are closed.