କରୋନା ମୁକାବିଲା : ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ଏଆଇଏଫଏଫ ଓ ହକି ଇଣ୍ଡିଆ

ନୂଆଦିଲ୍ଲୀ :  କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଭାରତ ସରକାରଙ୍କ ସହ ବିଭିନ୍ନ ରାଜ୍ୟର ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିପାଇଁ ସରକାରଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏପରି ସ୍ଥିତିରେ ସରକାରଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ବିଭିନ୍ନ କ୍ରୀଡ଼ାବିତ, ସଂଗଠନ ପ୍ରମୁଖ। ଏହି କ୍ରମରେ ଯୋଡ଼ି ହୋଇଯାଇଛି ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ।
ଏଆଇଏଫଏଫ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ସମସ୍ତେ ସହାୟତା ପ୍ରଦାନ କରିବା ଉଚିତ୍‌। ଏହାକୁ ଦୃଷ୍ଟି​ରେ‌ ରଖି ଏଆଇଏଫଏଫ ଆପେକ୍ସ କାଉନ୍‌ସିଲ ବୈଠକରେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଥାଉକି, କରୋନା ଭାଇରସ୍‌ ସଂକ୍ରମଣ ଏଆଇଏଫଏଫର ଅନେକ ଖେଳସୂଚୀ ଉପରେ କୁପ୍ରଭାବ ପକାଇଛି। ତେବେ ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମିଳିମିଶି କରୋନା ଭାଇରସ୍‌ ଉପରେ ବିଜୟ ପାଇବାକୁ କାମ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଏଆଇଏଫଏଫର ସଭାପତି ପ୍ରଫୁଲ୍ଲ ପଟେଲ । ଦେଶବାସୀ ଫୁଟବଲକୁ ବେଶ୍‌ ଭଲ ପାଆନ୍ତି ଏବଂ ବର୍ତ୍ତମାନ ସମୟରେ ଦେଶବାସୀଙ୍କ ସେବା କରିବାକୁ ଏଆଇଏଫଏଫ ନିକଟରେ ସୁଯୋଗ ରହିଥିବା ସେ ମତ ଦେଇଛନ୍ତି। ଗତମାସରେ ସବୁ କର୍ମଚାରୀ ଘରେ ରହି କାମ କରିବାକୁ ଏଆଇଏଫଏଫ ତରଫରୁ ନିର୍ଦେଶ ଦିଆଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ହକି ଇଣ୍ଡିଆ କରୋନା ସହାୟତା ବାବଦରେ ୨୫ ଲକ୍ଷ ଟଙ୍କା ଦାନ କରିଛି। ହକି ଇଣ୍ଡିଆ ନିଜର ଦାୟିତ୍ବକୁ ତୁଲାଇବାକୁ ଯାଇ ଦେଶର ଏକ ଅଂଶ ଭାବେ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛି ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି।

Comments are closed.