ସ୍ପଷ୍ଟ କଲା ହକି ଇଣ୍ଡିଆ; ସଲମାନଙ୍କୁ ରାଜ୍ୟ ସରକାର ଅର୍ଥ ଦେଇନାହାନ୍ତି

0

ଭୁବନେଶ୍ୱର : ବାରବାଟୀ ଷ୍ଟାଡ଼ିୟମରେ ପୁରୁଷ ହକି ବିଶ୍ୱକପ୍‍ ପାଇଁ ଆୟୋଜିତ ଉତ୍ସବ ଅବସରରେ ଯୋଗ ଦେଇଥିବା ବଲିଉଡ ତାରକା ସଲମନ ଖାନଙ୍କ ଉପସ୍ଥିତି ପାଇଁ ୧କୋଟି ୮୯ଲକ୍ଷ ଟଙ୍କା ପ୍ରଦାନ ପ୍ରାପ୍ୟକୁ ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିବାଦ ଦେଖା ଦେଇଛି। ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର ଗୁରୁବାର ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭାବମୂର୍ତ୍ତି ବଢ଼ାଇବା ପାଇଁ ସଲମନଙ୍କୁ ଏହି ଅର୍ଥରାଶି ପ୍ରଦାନ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ଉପରେ ବିଶ୍ୱକପ ଆୟୋଜକ ହକି ଇଣ୍ଡିଆ ଗଣମାଧ୍ୟମରେ ପ୍ରକାଶିତ ଏଭଳି ଖବର ଖଳ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଅନ୍ୟପକ୍ଷରେ ଲେଖାଶ୍ରୀ ତାଙ୍କ ମନ୍ତବ୍ୟ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି।
ଏ ପ୍ରସଙ୍ଗରେ ହକି ଇଣ୍ଡିଆ ଟୁଇଟରେ ହକି ପ୍ରତି ରାଜ୍ୟରେ ଥିବା ଭଲ ପାଇବା ଓ ଅକୁଣ୍ଠ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସଲମନଙ୍କୁ ପ୍ରଦାନ କରାଯାଇଥିବା ଅର୍ଥରାଶି ବାବଦରେ ସ୍ପଷ୍ଟ କରିଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପର ଉଦଘାଟନୀ ଉତ୍ସବ ଓ କଟକରେ ଏହି ଉତ୍ସବ ପାଳନ ପରିପ୍ରେକ୍ଷୀରେ ହୋଇଥିବା ସମସ୍ତ ଖର୍ଚ୍ଚ ହକି ଇଣ୍ଡିଆର ପ୍ରାୟୋଜକମାନେ ବହନ କରିଛନ୍ତି। ଏବାବଦରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ବ୍ୟୟ କରାଯାଇନାହିଁ।
ଲେଖାଶ୍ରୀଙ୍କର ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜେଡି କହିଛି। ହକି ଇଣ୍ଡିଆ ତା’ର ଟୁଇଟରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ୱରରେ ପାଳିତ ଉତ୍ସବ ଅବସରରେ ହୋଇଥିବା ଖର୍ଚ୍ଚ ବାବଦକୁ କୌଣସି ବ୍ୟୟ ବହନ କରିନାହାନ୍ତି ବୋଲି ସ୍ପଷ୍ଟ କରିଛି। ଏଣୁ ଏହା ସ୍ପଷ୍ଟ ଯେ ରାଜ୍ୟ ସରକାର ଏବାବଦକୁ ଟଙ୍କାଟିଏ ବି ଖର୍ଚ୍ଚ କରି ନାହାନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରବକ୍ତା ନିଜ ଟୁଇଟରେ ରଖିଥିବା ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜୁ ବାବୁଙ୍କୁ କ୍ଷମା ମାଗିବା ପାଇଁ ବିଜେଡି ଦାବି କରିଛି। ହକି ବିଶ୍ୱକପ ଉଦଘାଟନୀ ସମାରୋହର ସଫଳତାକୁ ବିଜେପି ସହି ପାରୁନାହିଁ। ଏପରି ଅଭିଯୋଗ ବିଜେପିର ଅପରିପକ୍ୱତା ଓ ଈର୍ଷା ଭାବର ସୂଚନା ଦେବା ସହ ସେମାନଙ୍କର ଶସ୍ତା ଓ ସ୍ୱାର୍ଥପର ରାଜନୀତିର ପରିଚୟ ଦେଉଛି। ଏକ ବିଶ୍ୱସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇପାରିଥିବାରୁ ଖୁସିବ୍ୟକ୍ତ କରିବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ରଖିବା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସମ୍ମାନକୁ ହାନି ପହଞ୍ଚାଇବାକୁ ବିଜେପି ପ୍ରୟାସ କରିଛି। ଯାହାକି ଅତ୍ୟନ୍ତ ଲଜ୍ୟାଜନକ ଏବଂ ଏଥିପାଇଁ ଲେଖାଶ୍ରୀ ତୁରନ୍ତ କ୍ଷମା ମାଗିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

Leave A Reply